ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେହେନ୍ଦୀ ବିନା ଅଧୁରା ରଜ ସଜବାଜ। ହାତରେ ଗାଢ ରଙ୍ଗର ମେହେନ୍ଦୀ ଝିଅମାନଙ୍କୁ ବେଶ୍‌ ଭଲ ଲାଗେ। ସେଥିପାଇଁ ମେହେନ୍ଦୀକୁ ଗାଢ଼ କରିବା ପାଇଁ କିଏ କେତେ ଉପାୟ ଆପଣେଇ ଥାଆନ୍ତି। ଯଦି ଆପଣ ବି ହାତରେ ମେହେନ୍ଦୀର ଗାଢ ରଙ୍ଗ ଚାହୁଁଛନ୍ତି ତେବେ ଏମିତି କିଛି ଉପାୟ ଆପଣେଇ ପାରିବେ…

୧) ମେହେନ୍ଦୀ ଲଗାଇବା ପୂର୍ବରୁ ହାତ ଓ ପାଦକୁ ଭଲ ଭାବେ ସଫା କରନ୍ତୁ। ହାତ ଓ ପାଦ ଭଲ ଭାବେ ପରିଷ୍କାର ହୋଇଗଲେ ମେହେନ୍ଦୀ ଭଲ ଭାବେ ଗାଢ଼ରଙ୍ଗ ହୋଇଥାଏ।

୨) ମେହେନ୍ଦୀ ଲଗାଇବା ପରେ କିଛି ଘଣ୍ଟା ଶୁଖିବା ଲାଗି ଛାଡ଼ି ଦିଅନ୍ତୁ। ପାଖାପାଖି ୧ ଘଣ୍ଟା ପର୍ଯ୍ୟନ୍ତ ମେହେନ୍ଦୀ ଲଗାଇ ରଖିବା ଫଳରେ ଏହା ଅଧିକ ଗାଢ଼ ହୋଇଥାଏ।

୩) ମେହେନ୍ଦୀ ଶୁଖିଲା ପରେ ହାତରେ ଲେମ୍ୱୁ ଓ ଚିନି ପାଣି ଲଗାଇ ରଖନ୍ତୁ। ଏହାସହିତ ଥରେ କିମ୍ୱା ଦୁଇ ଥର ସୋରିଷ ତେଲ ଲଗାନ୍ତୁ।

୪) ତାୱାରେ ଦୁଇରୁ ତିନୋଟି ଲବଙ୍ଗ ପକାଇ ହାତକୁ ପାଖକୁ ନେଇ ସେକନ୍ତୁ। ଏହାଦ୍ୱାରା ଆପଣ ଥଣ୍ଡା ହାତ ଗରମ ହେବା ସହ ମେହେନ୍ଦୀ ଗାଢ଼ ହୋଇଥାଏ।

୫) ମେହେନ୍ଦୀକୁ ସାବୁନରେ ସଫା କରନ୍ତୁ ନାହିଁ। ଏପରି କଲେ ମେହେନ୍ଦୀର ରଙ୍ଗ ହାଲୁକା ହୋଇପାରେ। ଛୁରୀ କିମ୍ବା ଚାମଚରେ ଧିରେ ଧିରେ ମେହେନ୍ଦୀ ଛଡ଼ାଇପାରିବେ। ମେହେନ୍ଦୀ ଛଡ଼ାଇବାର କିଛି ଘଣ୍ଟା ପର୍ଯ୍ୟନ୍ତ ପାଣି ବ୍ୟବହାର କରନ୍ତୁ ନାହିଁ।

୬) ମେହେନ୍ଦୀକୁ କେବେହେଲେ ହିଟର କିମ୍ବା ଡ୍ରାୟରରେ ଶୁଖାନ୍ତୁ ନାହିଁ। ସବୁବେଳେ ପ୍ରାକୃତିକ ଭାବେ ଶୁଖାଇବାକୁ ଚେଷ୍ଟା କରନ୍ତୁ।

୭) ମେହେନ୍ଦୀର ରଙ୍ଗ ଗାଢ଼ କରିବା ଲାଗି ସୋରିଷ ତେଲ ମଧ୍ୟ ବ୍ୟବହାର କରିପାରିବେ। ମେହେନ୍ଦୀ ଛଡ଼ାଇବା ପରେ ସୋରିଷ ତେଲ ଲଗାଇଲେ ମେହେନ୍ଦୀ ଅଧିକ ଗାଢ଼ ଦେଖାଯିବ।

Comment