ଓଡ଼ିଶାଲାଇଭ୍ ବ୍ୟୁରୋ

(କଟକରୁ ପ୍ରଣବ କୁମାର ନନ୍ଦୀ):  ଝିଅମାନେ ସାଧାରଣତଃ ହାତରେ ମେହେନ୍ଦୀ ଲଗାଇବାକୁ ଖୁବ ପସନ୍ଦ କରିଥାନ୍ତି। ହାତରେ ଭିନ୍ନ ଭିନ୍ନ ଡିଜାଇନର ମେହେନ୍ଦୀ କରିବାକୁ ଭଲପଆଆନ୍ତି। ପୂର୍ବରୁ ପରମ୍ପରା ବୋଲାଉଥିବା ମେହେନ୍ଦୀ ଏବେ ଫ୍ୟାସନରେ ପରିଣତ ହୋଇଛି।

ମେହେନ୍ଦୀ ପ୍ରତି ଝିଅଙ୍କ ଦୁର୍ବଳତା ଦେଖି ଆଜିକାଲି ସହରର ବିଭିନ୍ନ ମାର୍କେଟରେ ଏବଂ ସପିଂ ମଲରେ ଅନେକ ମେହେନ୍ଦୀ ଡିଜାଇନର ରହୁଛନ୍ତି।

କଟକର ଏସଜିବିଏଲ ଆଇନକ୍ସ ସପିଂ ମଲ, ରିଲାଏନ୍ସ ଟ୍ରେଣ୍ଡ , ବିଗବଜାର ସହିତ ସହରର ବିଭିନ୍ନ ବିୟୁଟି ପାର୍ଲର ଏବଂ ମେହେନ୍ଦୀ ଡିଜାଇନର ନିକଟରେ ଗ୍ରାହକମାନଙ୍କ ଭିଡ ଜମୁଛି।

ସପିଂ ମଲରେ କିଣାକିଣି କରିବା ସହିତ ମେହେନ୍ଦୀ ଲଗାଇବା ପାଇଁ ଏବେ କଲେଜ ପଢୁଆ ଝିଅ, ଯୁବତୀ ଓ ମହିଳାମାନେ ବେଶ ପସନ୍ଦ କରୁଛନ୍ତି। ଏହାଛଡା ବିବାହ, ବିଭିନ୍ନ ପର୍ବପର୍ବାଣୀ ଓ ପାର୍ଟିରେ ଯୋଗଦେବା ପୂର୍ବରୁ ଝିଅମାନେ ହାତରେ ମେହେନ୍ଦୀ ଲଗାଇବା ପାଇଁ ବେଶ ପସନ୍ଦ କରୁଥିବାର ପରିଲକ୍ଷିତ ହେଉଛି।

ବର୍ତ୍ତମାନ ବ୍ରାଇଡାଲ, ଆରୋବିକ୍, ମାରୱାଡି, ରାଜସ୍ଥାନୀ, ଜରଦୋଷି ପ୍ରଭୃତି ଡିଜାଇନର ମେହେନ୍ଦୀ ଉପଲବ୍ଧ ହେଉଛି। ଏହା ମଧ୍ୟରୁ ବ୍ରାଇଡାଲ ମେହେନ୍ଦୀର ଚାହିଦା ଅଧିକ ରହିଛି। ସେହିପରି ବ୍ରାଇଡାଲ ମେହେନ୍ଦୀ ମଧ୍ୟରେ ଫେସ୍ ଡିଜାଇନର ଚାହିଦା ବିଶେଷ ରହିଛି।

ମେହେନ୍ଦୀ ଲଗାଇ ଦେବା ପାଇଁ ଡିଜାଇନରଙ୍କୁ  ୨୦ରୁ ୩୦ ମିନିଟ ପର୍ଯ୍ୟନ୍ତ ସମୟ ଲାଗିଥାଏ। ସେହିପରି ବ୍ରାଇଡାଲ ମେହେନ୍ଦୀ ଲଗାଇବା ପାଇଁ ୧ ଘଣ୍ଟାରୁ ୩ ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗିଥାଏ।

ମାରୱାଡି ଡିଜାଇନ ମେହେନ୍ଦୀର ଦର ୩୦୦ ଟଙ୍କାରୁ ଆରମ୍ଭ କରି ୨ ହଜାର ଟଙ୍କା ମଧ୍ୟରେ ରହିଛି  ସେହିପରି ରାଜସ୍ଥାନୀ ଡିଜାଇନ ମେହେନ୍ଦୀର ଦର ୨୫୦ରୁ ୧ ହଜାର ଟଙ୍କା ମଧ୍ୟରେ ରହିଛି । ଆରୋବିକ ଡିଜାଇନ ମେହେନ୍ଦୀର ଦର ଶହେ ଟଙ୍କାରୁ ୫୦୦ ଟଙ୍କାଇ ମଧ୍ୟରେ ରହିଛି। ଜରଦୋଷି ମେହେନ୍ଦୀର ଦର ୫୦୦ରୁ ୨ ହଜାର ଟଙ୍କା ମଧ୍ୟରେ ରହିଛି। ସେହିପରି ବ୍ରାଇଡାଲ ଡିଜାଇନ ମେହେନ୍ଦୀର ଦର ୩ ହଜାରରୁ ଆରମ୍ଭ କରି ୧୦ ହଜାର ଟଙ୍କା ମଧ୍ୟରେ ରହିଛି। ମେହେନ୍ଦୀ ଦୋକାନଗୁଡିକରେ ବିଭିନ୍ନ ଡିଜାଇନ ଅନୁସାରେ ଦର ନିର୍ଦ୍ଧାରଣ କରାଯାଇଛି। ଦର ସୁହାଇଲା ଭଳି ଡିଜାଇନ ପସନ୍ଦ କରି ଗ୍ରାହକ ମେହେନ୍ଦୀ ଲଗାଉଛନ୍ତି।

କଟକର ଜଣେ ମେହେନ୍ଦୀ କାରିଗର ରମେଶ ଶ୍ରୀବାସ୍ତବଙ୍କ କହିବା ଅନୁଯାୟୀ ଏବେ ସହରର ଝିଅଙ୍କ ମଧ୍ୟରେ ବ୍ରାଇଡାଲ ଓ ମାରୱାଡି ଡିଜାଇନ ମେହେନ୍ଦୀର ଅଧିକ ଡିମାଣ୍ଡ ରହିଛି। ୧୦ ବର୍ଷ ବୟସରୁ ସେ ତାଙ୍କ ଭାଇଙ୍କଠାରୁ ମେହେନ୍ଦୀ ଲଗାଇବା କଳା ଶିଖିଥିଲେ।

ଡିଜାଇନ ଅନୁସାରେ ଗ୍ରାହକମାନଙ୍କୁ ମେହେନ୍ଦୀ ଲଗାଇବାର ମୂଲ୍ୟ ଦେବାକୁ ପଡିଥାଏ। ସେହିପରି ଅନ୍ୟ ଜଣେ ମେହେନ୍ଦୀ କାରିଗର ମନୋଜ ରାୟଙ୍କ କହିବା ଅନୁସାରେ ବର୍ତ୍ତମାନ ବ୍ରାଇଡାଲ ମେହେନ୍ଦୀର ଅଧିକ ଚାହିଦା ରହିଛି। ବ୍ରାଇଡାଲ ମେହେନ୍ଦୀ ମଧ୍ୟରେ ଏବେ ଫେସ ଡିଜାଇନର କ୍ରେଜ ବିଶେଷ ଦେଖିବାକୁ ମିଳୁଛି।

ଭାରତୀୟ ସଂସ୍କୃତିରେ ମେହେନ୍ଦୀର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ମେହେନ୍ଦୀ ନାରୀ ଜୀବନର ପ୍ରତ୍ୟେକ ଖୁସିର ମୁହୂର୍ତ୍ତର ମୂକସାକ୍ଷୀ ହୋଇଥାଏ। ମେହେନ୍ଦୀ ସଦାସର୍ବଦା ସର୍ମପଣ ଭାବକୁ ପ୍ରତିପାଦନ କରିଥାଏ। ନିଜେ ପଥରର କଷଟିରେ ପେଷି ହୋଇ ମଧ୍ୟ ଅନ୍ୟ ଜୀବନରେ ଆନନ୍ଦ ଭରିଦେଇଥାଏ।

ପୂର୍ବରୁ ମଞ୍ଜୁଆତି ପତ୍ର , ହରଗୈାରା ଫୁଲ, ଖଇର, ଲେମ୍ବୁରସ ମିଶାଇ ମେହେନ୍ଦୀ ପେଷ୍ଟ ପ୍ରସ୍ତୁତ କରାଯାଉଥିଲା। ବର୍ତ୍ତମାନ ମେହେନ୍ଦୀ ପାଇଁ ସ୍ୱତନ୍ତ୍ର ଆଫ୍ରିନ ମେହେନ୍ଦୀ ପାଉଡର ଓ ମେହେନ୍ଦୀ ଅଏଲ ବ୍ୟବହାର କରାଯାଉଛି। ମେହେନ୍ଦୀ ପ୍ରସ୍ତୁତ ପାଇଁ ଆଫ୍ରିନ ପାଉଡର ସହିତ ମେହେନ୍ଦୀ ଅଏଲକୁ ମିଶାଯାଇ ଗୋଟିଏ ରାତି ରଖାଯାଇଥାଏ।

ପୂର୍ବ ପ୍ରସ୍ତୁତ ପେଷ୍ଟକୁ ମେହେନ୍ଦୀ କାରିଗରମାନେ ଗ୍ରାହକମାନଙ୍କ ହାତରେ ଲଗାଇ ବିଭିନ୍ନ ଡିଜାଇନର ରୂପ ଦେଇଥାନ୍ତି। ମେହେନ୍ଦୀ ଲଗା ଶିକ୍ଷା କରିବା ପାଇଁ କୋର୍ସ କରିବାକୁ ପଡିଥାଏ। ଏଥିପାଇଁ ରାଜ୍ୟ ବାହାରେ ବହୁ କଲେଜ ଓ ଟ୍ରେନିଂ ସେଣ୍ଟର ରହିଛି। ସଂପ୍ରତି କଟକରେ ବିଭିନ୍ନ ଟ୍ରେନିଂ ସେଣ୍ଟରରେ ଏହି କୋର୍ସ ଶିକ୍ଷା ଦିଆଯାଉଛି। ମେହେନ୍ଦୀ କୋର୍ସ ପାଇଁ ୬ ମାସ ସମୟ ଲାଗୁଛି।

Comment