ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ୍ ସହ ସାରା ଭାରତକୁ ସ୍ତବ୍ଧ କରି ଚାଲିଗଲେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ମୁମ୍ଵାଇର ବାନ୍ଦ୍ରାସ୍ଥିତ ବାସଭବନରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ ପଡ଼ୋଶୀ। ହେଲେ ସୁଶାନ୍ତ ସିଂହ ରାଜପୁତ କାହିଁକି ଆତ୍ମହତ୍ୟା ତାହାର କାରଣ ଏଯାଏଁ ସ୍ପଷ୍ଟ ହୋଇପାରୁନାହିଁ।
ଛୋଟ ପରଦାରୁ ବଲିଉଡ୍ ଷ୍ଟାର ବନିଥିବା ସୁଶାନ୍ତ ସିଂହ ରାଜପୁତ ୧୯୮୬ ମସିହା ଜାନୁଆରି ୨୧ରେ ପାଟନାରେ ଜନ୍ମ ଗ୍ରହଣ କରିଥିଲେ। ସୁଶାନ୍ତ ସିଂହ ଟିଭି ପରଦାରୁ ଯାଇ ବଲିଉଡରେ ଜଣେ ବେଶ୍ ଜଣାଶୁଣା ଅଭିନେତା ହୋଇପାରିଥିଲେ।

ତେବେ ଜାଣନ୍ତୁ କିପରି ଥିଲା ସୁଶାନ୍ତଙ୍କ ଟିଭିରୁ ବଲିଉଡ୍ ପର୍ଯ୍ୟନ୍ତ…
୨୦୦୮ରେ ସୁଶାନ୍ତ ପ୍ରଥମ ଟିଭିରେ ଏକ ମେଗା ଧାରାବାହିକ ‘କିସ୍ ଦେଶ ମେ ହୈ ଦିଲ୍ ମେରା’ ରେ ଅଭିନୟ କରି କ୍ୟାରିୟର ଆରମ୍ଭ କରିଥିଲେ। ଏହି ସିରିଏଲରେ ତାଙ୍କର ଏତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନଥିଲା। ପରେ ସେ ପବିତ୍ର ରିସ୍ତା ସିରିଏଲରେ ଅଭିନୟ କରିଥିଲେ।

‘ପବିତ୍ର ରିସ୍ତା’ରୁ ମିଳିଲା ପରିଚୟ
୨୦୦୯ରେ ପବିତ୍ର ରିସ୍ତା ସିରିଏଲ ଜରିଆରେ ସୁଶାନ୍ତଙ୍କୁ ଲୋକପ୍ରିୟତା ମିଳିଥିଲା। ଏହି ସିରିଏଲରେ ତାଙ୍କୁ ପରିଚୟ ସୃଷ୍ଟି କରିୁବାର ସୁଯୋଗ ମିଳିଥିଲା। ସୁଶାନ୍ତ ଜଣେ ଭଲ ଅଭିନେତା ହେବା ସହିତ ଜଣେ ଭଲ ଡ୍ୟାନ୍ସର ମଧ୍ୟ। ସେ ଦୁଇଟି ଡ୍ୟାନ୍ସିଂ ଶୋ, ‘ଜରା ନଚ୍କେ ଦିଖା’ ଓ ‘ଝଲକ୍ ଦିଖଲେ ଆଜା’ରେ ଅଂଶ ଗ୍ରହଣ କରିଥିଲେ।
ବଲିଉଡରେ ବ୍ରେକ
୨୦୧୩ରେ ସୁଶାନ୍ତଙ୍କୁ ବଲିଉଡରେ ଏକ ବଡ଼ ବ୍ରେକ ମିଳିଥିଲା। ସେ ପ୍ରଥମେ ‘କାଇ ପୋ ଚେ’, ଦ୍ୱିତୀୟ ଫିଲ୍ମ ‘ସୁଦ୍ଧ ଦେଶୀ ରୋମାନ୍ସ’ ଫିଲ୍ମରେ ସୁଯୋଗ ପାଇଥିଲେ। ତା’ ପରେ ‘ଡିଟେକ୍ଟିଭ ବ୍ୟୋମକେଶ’ରେ ଅଭିନୟ କରିଥିଲେ।

ଏମ୍ଏସ୍ ଧୋନୀରେ ଚାଲେଞ୍ଜିଙ୍ଗ ରୋଲ
ସୁଶାନ୍ତଙ୍କ ପାଇଁ ଏମ୍ଏସ୍ ଧୋନୀଙ୍କ ବାୟୋପିକ ଏମ୍ଏସ୍ ଧୋନୀ –ଦ ଅନଟୋଲ୍ଡ ଷ୍ଟୋରୀ ସବୁଠୁ ଚାଲେଞ୍ଜିଙ୍ଗ ରହିଥିଲା। ଏଥିରେ ତାଙ୍କୁ ଖୁବ୍ ସଫଳତା ମିଳିଥିଲା।
୨୦୧୭ରେ ତାଙ୍କୁ ‘ରାବ୍ତା’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ଏତେ ହିଟ ହୋଇନଥିଲେ ବି ସେ ପୁଣି ‘କେଦାଦନାଥ’ ଫିଲ୍ମରେ ଦମଦାର ଅଭିନୟ କରି ପୁଣି ଫର୍ମକୁ ଫେରିଥିଲେ। ପରେ ସେ ଛିଛୋରେ, ଦିଲ ବିଚାରା ଓ ପିକେ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।


















