ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ- ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ଏବେ ବି ଛକାପଞ୍ଝା ଲାଗି ରହିଛି। ଯାହାକୁ ନେଇ ଭାରତୀୟମାନେ ଚାଇନିଜ୍ ଜିନିଷକୁ ବର୍ଜନ କରିବାରେ ଲାଗିଛନ୍ତି। ଏହାରି ମଧ୍ୟରେ ଦିଲ୍ଲୀର ହୋଟେଲ୍ ଓ ଗେଷ୍ଟ ହାଉସ୍ ମାଲିକ ସଂଘ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଦିଲ୍ଲୀର କୌଣସି ହୋଟେଲ କିମ୍ବା ଗେଷ୍ଟ ହାଉସରେ ଚୀନର ନାଗରିକଙ୍କୁ ରହିବାକୁ ଦିଆଯିବ ନାହିଁ ବୋଲି ସଂଘ ଘୋଷଣା କରିଛି।

ଦିଲ୍ଲୀରେ ଏବେ ପ୍ରାୟ ୩  ହଜାରରୁ ଅଧିକ ହୋଟେଲ୍ ଓ ଗେଷ୍ଟ ହାଉସ୍ ରହିଛି। ଏହା ମଧ୍ୟରେ ପ୍ରାୟ ୭୫ ହଜାରରୁ ଅଧିକ ରୁମ୍ ମଧ୍ୟ ରହିଛି। ଏହି ରୁମରେ କୌଣସି ଚୀନ୍ ନାଗରିକଙ୍କୁ ରହିବାକୁ ଦିଆଯିବ ନାହିଁ ବୋଲି ସଂଘ ବିଚାର କରିଛି।

ସଂଘର ମହାମନ୍ତ୍ରୀ ମହେନ୍ଦ୍ର ଗୁପ୍ତା କହିଛନ୍ତି ଯେ, ଚୀନ୍ ଯେଭଳି ଭାବେ ଆମ ସୈନ୍ୟମାନଙ୍କୁ ଆକ୍ରମଣ କଲା ତାହା ନିନ୍ଦନୀୟ। ଏଥିରେ ଆମର ୨୦ ଜଣ ଯବାନ ପ୍ରାଣ ହରାଇଲେ। ତେଣୁ ଏଥିପାଇଁ ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି।

କିଛି ଦିନ ତଳରେ ଚୀନର ସେନା ଓ ଭାରତୀୟ ସୈନ୍ୟ ଗଲୱାନ ଘାଟିରେ ହାତାହାତି ହୋଇଥିଲେ। ଯେଉଁଥିରେ ଭାରତର ୨୦ ଜଣ ଯବାନ ପ୍ରାଣ ହରାଇଥିଲେ। ସେହିଦିନଠାରୁ ଦେଶରେ ଚୀନ୍ ବିରୋଧୀ ବିଭିନ୍ନ କାର୍ଯ୍ୟକଳାପ ଦେଖିବାକୁ ମିଳୁଛି। କେତେକ ଅଞ୍ଚଳରେ ଲୋକମାନେ ଚାଇନା ମାଲକୁ ପୋଡ଼ିବା ସହିତ ଏହାକୁ ବର୍ଜନ କରୁଥିବା ଦେଖିବାକୁ ମିଳିଛି।

Comment