ଓଡ଼ିଶାଲାଇଭ୍ ବ୍ୟୁରୋ

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାକୁ କରୋନାମୁକ୍ତ କରିବାକୁ ତତ୍ପର ହୋଇଛି ପ୍ରଶାସନ। ଏଥିପାଇଁ ଦୁଇଟି ରାଉଣ୍ଡରେ ସେବାୟତମାନଙ୍କର ମୋଟ ୬ ହଜାର କରୋନା ପରୀକ୍ଷା କରାଯିବ। ଯେଉଁ ସେବାୟତଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିବ ସେମାନଙ୍କୁ ବାହୁଡ଼ା ଯାତ୍ରାରେ ସାମିଲ କରାଯିବ ନାହଁ। କେବଳ ଯେଉଁ ସେବାୟତଙ୍କ ରିପୋର୍ଟ ନେଗେଟିଭ୍ ଆସିବ ସେମାନଙ୍କୁ ବାହୁଡ଼ା ଯାତ୍ରାରେ ସାମିଲ କରାଯିବ।

ଗୁଣ୍ଡିଚା ଯାତ୍ରା ପରେ ଗୁରୁବାର ଛତିଶା ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଆଗାମୀ ଦିନରେ ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରୀ ବିଜେ କିଭଳି ଭାବେ ସୁରୁଖୁରୁ ସହକାରେ ଆୟୋଜନ କରାଯିବ ସେନେଇ ଏହି ବୈଠକରେ ଆଲୋଚନା ହୋଇଥିଲା।“ବର୍ତ୍ତମାନ ସମସ୍ତ ସେବାୟତମାନଙ୍କର କରୋନା ପରୀକ୍ଷା କରାଯାଉଛି। ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍ ଆସିବ କେବଳ ସେମାନଙ୍କୁ ହିଁ ବାହୁଡ଼ା ଯାତ୍ରାରେ ସାମିଲ ହେବାକୁ ସୁଯୋଗ ମିଳିବ”, କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର।

ଏଥିସହିତ ସେବାୟତ ଓ ସେମାନଙ୍କର ପରିବାର ପାଇଁ ଦୁଦୁୱାଲା ଧର୍ମଶାଳା ଓ ଭିତର ସେବାୟତ ନିଯୋଗରେ ସ୍ୱାସ୍ଥ୍ୟ ଶିବିର ଖୋଲାଯିବ। ଏହି ଶିବିରରେ ମେଡିସିନ୍, ଅର୍ଥୋପେଡିକ୍ ଡାକ୍ତରମାନେ ରହିବେ। ଏଠାରେ ସେବାୟତମାନଙ୍କର ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ତଥ୍ୟ ସଂଗ୍ରହ କରାଯିବ। ନୀଳାଦ୍ରି ବିଜେ ପରେ ୧୫ ଦିନ ଧରି ସେବାୟତଙ୍କ ଉପରେ ନଜର ରଖାଯିବ। ତା’ ସହିତ ବଡ଼ଦାଣ୍ଡ ଓ ଆଖପାଖର ଗଳିକୁ ମଧ୍ୟ ସାନିଟାଇଜ୍ କରାଯିବ ବୋଲି କୁହାଯାଇଛି।ବାହୁଡ଼ା ଯାତ୍ରା ପୂର୍ବରୁ ଦୁଇଟି ରାଉଣ୍ଡରେ ୬ ହଜାର ଓ ରଥଯାତ୍ରା ପରେ ୫ ହଜାର ଆଣ୍ଟିବଡ଼ ପରୀକ୍ଷା ହେବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି। ଏଥିସହିତ ସେବାୟତମାନଙ୍କ ପରିବାରକୁ ମଧ୍ୟ ମାସ୍କ ଓ ସାନିଟାଇଜର ପ୍ରଦାନ କରାଯିବ ବୋଲି କୁହାଯାଇଛି।

ବାହୁଡ଼ା ଯାତ୍ରା ଦିନ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଲୋକମାନେ ନିଜ ବାଲକୋନି ଓ ଝରକାରେ ରଥଯାତ୍ରାକୁ ଦେଖିପାରିବେ। ହେଲେ ବାହାର ଲୋକମାନଙ୍କୁ ସୁଯୋଗ ଦେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି।

Comment