ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜଧାନୀର କୋଭିଡ୍ ସ୍ଥିତିକୁ ନେଇ ସୂଚନା ଦେଲେ ବିଏମସି କମିସନର

“ଲୋକମାନେ ସମସ୍ତେ କରୋନାକୁ ଭଲଭାବେ ଜାଣିଛନ୍ତି। ତା’ପରେ ବି ସନ୍ଧ୍ୟା ସମୟରେ ବଜାରରେ ଗହଳି କରୁଛନ୍ତି। ବଜାରରେ ଲୋକମାନେ ସାମାଜିକ ଦୂରତା ମଧ୍ୟ ମାନୁନାହାନ୍ତି। ଏପରି ହେଲେ କରୋନା ସଂକ୍ରମଣ ବୃଦ୍ଧି ପାଇବ, ଆଉ ସଂକ୍ରମଣ ରୋକିବାକୁ ବିଏମସି ପକ୍ଷରୁ ସେହି ବଜାରକୁ ମଧ୍ୟ ସଟଡାଉନ୍ ଘୋଷଣା କରାଯାଇପାରେ”, ଭୁବନେଶ୍ୱରର କୋଭିଡ୍ ସ୍ଥିତିକୁ ନେଇ ପ୍ରେସମିଟ କରିବା ସମୟରେ ଏପରି କହିଛନ୍ତି ବିଏମସି କମିସନର ପ୍ରେମଚନ୍ଦ ଚୌଧୁରୀ।ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭୁବନେଶ୍ୱରରେ ଏବେ ସୁଦ୍ଧା ୬୪୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ଭିତରୁ ୩୧୪ ଜଣ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ହେଲେ ଆଗକୁ ଏହି ସ୍ଥିତି ଜାରି ରହିବାକୁ ହେଲେ ଲୋକମାନଙ୍କ ସହଯୋଗ ଆବଶ୍ୟକ।CGU newବିଏମସି ତରଫରୁ ମଧ୍ୟ କରୋନାକୁ ରୋକିବାକୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷକରି ବସ୍ତି ଅଞ୍ଚଳକୁ ଫୋକସରେ ରଖାଯାଇଛି। ଏଥିପାଇଁ ଅନେକ ଅଞ୍ଚଳକୁ ଆକ୍ଟିଭ୍ ସର୍ଭେଲାନ୍ସରେ କରାଯିବା ସହିତ ସ୍ଲମ୍ କମିଟିମାନ ଗଠନ କରାଯାଇଛି ବୋଲି କମିସନର ପ୍ରେମଚନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ସେ ତିନୋଟି ଉଦାହରଣ ଦେଇଥିଲେ। ପ୍ରଥମ ଉହାହରଣଟି ହେଲା, ଯେତେବେଳେ ଭୁବନେଶ୍ୱରର ବ୍ଲୁ ହୁଇଲ୍ ହସ୍ପିଟାଲରୁ ମୋଟ ୪୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ ସେତେବେଳେ ବିଏମସି ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ହସ୍ପିଟାଲରେ ୧୪ ରାଉଣ୍ଡ ଆକ୍ଟିଭ୍ ସର୍ଭେଲାନ୍ସ କରାଯିବା ସହିତ ୨୫୦ ଜଣ ହସ୍ପିଟାଲ କର୍ମଚାରୀଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେହିପରି ଦ୍ୱିତୀୟ ଉଦାହରଣ ଦେଇ କମିସନର କହିଥିଲେ ଯେ, ମଞ୍ଚେଶ୍ୱର ଅଞ୍ଚଳର ଏକ ଶିଳ୍ପରେ ୩୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ହେଲେ ବିଏମସିର ଆଗୁଆ ପଦକ୍ଷେପର ଫଳ ସ୍ୱରୂପ ଏବେସୁଦ୍ଧା ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ସେହିପରି ଡୁମୁଡୁମା ସୁବାଷ ନଗର ବସ୍ତି ଓ ଲକ୍ଷ୍ମୀ ବଜାର ବସ୍ତିରେ ମଧ୍ୟ କିଭଳି ଭାବେ କରୋନାକୁ ମୁକାବିଲା କରାଗଲା ସେ ନେଇ କମିସନର ବିସ୍ତୃତ ରିପୋର୍ଟ ରଖିଥିଲେ।

କରୋନାକୁ ରୋକିବାକୁ ହେଲେ ଲୋକମାନଙ୍କର ସହଯୋଗ ନିହାତି ଆବଶ୍ୟକ। ଏଥିପାଇଁ ଲୋକମାନେ ନିଜେ ସଚେତନ ହେବା ଦରକାର। ସାମାଜିକ ଦୂରତା ନିୟମକୁ ପାଳନ କରିବା ସହିତ ମୁହଁରେ ମାସ୍କ ଓ ହାତରେ ସାନିଟାଇଜର ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ।

Comment