ଓଡିଶାଲାଇଭ୍ ବ୍ୟୁରୋ

ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ଏବଂ ଚୀନ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଲାଗି ରହିଛି। ଆଜି ପର୍ଯ୍ୟନ୍ତ ଏହି ବିବାଦର ସମାଧାନ ହୋଇପାରିନାହିଁ। ତେବେ ଦଲାଇଲାମା କୌଣସି ଦେଶକୁ ଗଲେ କାହିଁକି ସେଠାକାର ସରକାରଙ୍କ ପ୍ରତି ଚୀନ ଆପତ୍ତି ଉଠାଏ, ଚୀନ ଓ ଦଲାଇଲାମାଙ୍କ ମଧ୍ୟରେ ବିବାଦ କାହିଁକି, ଜାଣନ୍ତୁ-

କିଏ ଏହି ଦଲାଇଲାମା?

ଦଲାଇଲାମା ହେଉଛନ୍ତି ୮୫ ବର୍ଷ ବୟସ୍କ ଜଣେ ତିବ୍ବତୀୟ ଆଧ୍ୟାତ୍ମିକ ନେତା। ଚୀନ ଏବଂ ଦଲାଇଲାମାଙ୍କ ଇତିହାସ ହିଁ ଚୀନ ଓ ତିବ୍ବତର ଇତିହାସ। ୧୪୦୯ରେ ଜେ ସିଖାଂପା ଜେଲଗ ସ୍କୁଲ ସ୍ଥାପନ କରିଥିଲେ। ଏହି ସ୍କୁଲ ମାଧ୍ୟମରେ ବୌଦ୍ଧ ଧର୍ମ ପ୍ରଚାର କରାଯାଉଥିଲା। ଏହି ସ୍ଥାନଟି ଭାରତ ଏବଂ ଚୀନ ମଝିରେ ରହିଥିଲା ଯାହାକୁ ବର୍ତ୍ତମାନ ତିବ୍ବତ ବୋଲି କୁହାଯାଉଛି। ଏହି ସ୍କୁଲର ସବୁଠୁ ଚର୍ଚ୍ଚିତ ଛାତ୍ର ଥିଲେ ଗେଂଦୁନ ଦ୍ରୁପ। ସେହି ଗେଂଦୁନ ପରବର୍ତ୍ତୀ ସମୟରେ ଦଲାଇଲାମା ନାମରେ ପରିଚିତ ହେଲେ।CGU newବୌଦ୍ଧ ଧର୍ମ ଅନୁସାରେ ଦଲାଇଲାମାଙ୍କୁ ଏକ ପ୍ରତୀକ ଭାବେ ଦେଖାଯାଏ। ତାଙ୍କୁ କରୁଣାର ପ୍ରତୀକ ଭାବେ ବୌଦ୍ଧ ଧର୍ମାବଲମ୍ବୀ ଉପାସନା କରନ୍ତି। ଅନ୍ୟପଟେ ଦଲାଇଲାମାଙ୍କ ସମର୍ଥକମାନେ ତାଙ୍କୁ ନିଜର ନେତା ବୋଲି ଭାବନ୍ତି। ତାଙ୍କୁ ମୁଖ୍ୟତଃ ଜଣେ ଶିକ୍ଷକ ରୂପରେ ଦେଖାଯାଏ। କାରଣ ‘ଲାମା’ ଶବ୍ଦର ଅର୍ଥ ହେଉଛି ଗୁରୁ। ଲାମା ନିଜ ଲୋକମାନଙ୍କୁ ଠିକ୍ ମାର୍ଗରେ ଚାଲିବା ପାଇଁ ପ୍ରେରଣା ଦିଅନ୍ତି। ତିବ୍ବତୀୟ ବୌଦ୍ଧ ଧର୍ମର ନେତା ସାରା ବିଶ୍ଵର ବୌଦ୍ଧମାନଙ୍କୁ ମାର୍ଗଦର୍ଶନ କରାଇଥାନ୍ତି।

୧୬୩୦ ଦଶକରେ ତୀବ୍ବତର ଏକୀକରଣଠାରୁ ହିଁ ବୌଦ୍ଧ ଏବଂ ତୀବ୍ବତୀୟ ନେତୃତ୍ଵ ଭିତରେ ଲଢ଼େଇ ଜାରି ରହିଥିଲା। ତେବେ ପଞ୍ଚମ ଦଲାଇଲାମା ତିବ୍ବତକୁ ଏକାଠି କରିବାରେ ସଫଳ ହୋଇଥିଲେ। ଏଥିସହ ତିବ୍ବତ ସାଂସ୍କୃତିସମ୍ପନ୍ନ ହୋଇଉଠିଲା। ତିବ୍ବତର ଏକୀକରଣ ପରେ ସେଠାରେ ବୌଦ୍ଧ ଧର୍ମରେ ମଧ୍ୟ ସମ୍ପନ୍ନତା ଆସିଲା। ଜେଲଗ ବୌଦ୍ଧମାନେ ମଧ୍ୟ ୧୪ଦଶ ଦଲାଇଲାମାଙ୍କୁ ମାନ୍ୟତା ପ୍ରଦାନ କରିଥିଲେ।ଚୀନ ଓ ଦଲାଇଲାମାଙ୍କ ମଧ୍ୟରେ ସମକାଳୀନ ସମ୍ବନ୍ଧ

ଚୀନ ତିବ୍ବତ ଉପରେ ନିଜର ଅଧିକାର ଜାହିର କରିଆସିଛି। ତେବେ ଦଲାଇଲାମାଙ୍କ ନିର୍ବାଚନ ପ୍ରକ୍ରିୟାକୁ ନେଇ ଚୀନ ଓ ତିବ୍ବତ ମଧ୍ୟରେ ବିବାଦ ଦେଖାଦେଇଥିଲା। ୧୯୧୨ରେ ତ୍ରୟୋଦଶ ଦଲାଇଲାମା ତିବ୍ବତକୁ ସ୍ଵାଧୀନ ଘୋଷଣା କରିଥିଲେ। ପାଖାପାଖି ୪୦ ବର୍ଷ ପରେ ଚୀନ ତିବ୍ବତ ଉପରେ ଆକ୍ରମଣ କଲା। ଚୀନ ଏହି ଆକ୍ରମଣ ସେତେବେଳେ କରିଥିଲା ଯେତେବେଳେ ୧୪ଦଶ  ଦଲାଇଲାମାଙ୍କର ନିର୍ବାଚନ ପ୍ରକ୍ରିୟା ଚାଲିଥିଲା। ତିବ୍ବତକୁ ଏହି ଲଢ଼େଇରେ ପରାଜୟ ସ୍ଵୀକାର କରିବାକୁ ପଡ଼ିଥିଲା।

କିଛି ବର୍ଷ ପରେ ତିବ୍ବତର ଲୋକମାନେ ଚୀନ ଶାସକଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଦେଲେ। ତିବ୍ବତର ଲୋକମାନେ ନିଜର ସ୍ଵାଧୀନତା ଦାବି କଲେ। କିନ୍ତୁ ବିଦ୍ରୋହୀମାନଙ୍କୁ ସଫଳତା ମିଳିନଥିଲା। ସେତେବେଳେ ଦଲାଇଲାମାଙ୍କୁ ଲାଗିଲା ଯେ ସେ ଚୀନ ଜାଲରେ ନିହାତି ଭାବରେ ଫସିଯିବେ। ତେଣୁ ସେ ଭାରତ ଆସିବାକୁ ନିଷ୍ପତ୍ତି ନେଲେ।୧୯୫୯ ମସିହାରେ ଅନେକ ତିବ୍ବତୀୟଙ୍କୁ ସାଥିରେ ଧରି ସେ ଭାରତ ଆସିଥିଲେ। ୧୯୫୯ ମସିହା ମାର୍ଚ୍ଚ ୧୭ ତାରିଖରେ ତିବ୍ବତର ରାଜଧାନୀ ଲହାସାରୁ ପାଦରେ ଚାଲିଚାଲି ହିମାଳୟର ପାହାଡ଼ ପର୍ବତକୁ ପାର କରି ଭାରତ ଅଭିମୁଖେ ଯାତ୍ରା କରିଥିଲେ। କୁହାଯାଏ ସେତେବେଳେ ଚୀନ ସରକାରଙ୍କଠାରୁ ବର୍ତ୍ତିବା ପାଇଁ ସେମାନେ କେବଳ ରାତିରେ ହିଁ ଯାତ୍ରା କରୁଥିଲେ। ଏହି ସମୟରେ ବୌଦ୍ଧ ଧର୍ମୀମାନେ ପ୍ରାର୍ଥନା କରିବାରୁ ଆକାଶରେ ଘନ କୁହୁଡ଼ି ସୃଷ୍ଟି ହୋଇଥିଲା ଏବଂ ସେମାନଙ୍କୁ ଚୀନ ଜାହାଜ ଦୃଷ୍ଟିରୁ ରକ୍ଷା କରିଥିଲା ବୋଲି ମଧ୍ୟ କୁହାଯାଏ। ଏପରି ବହୁ ଘାତ ପ୍ରତିଘାତର ସାମ୍ନା କରି ଦଲାଇଲାମା ଏବଂ ଅନ୍ୟ ସହଯୋଗୀମାନେ ମାର୍ଚ୍ଚ ୩୧ରେ ଭାରତ ମାଟିରେ ପାଦ ଦେଇଥିଲେ।

କିନ୍ତୁ ଦଲାଇଲାମାଙ୍କୁ ଭାରତର ଶରଣ ଦେବା ଚୀନକୁ ଠିକ୍ ଲାଗିନଥିଲା। ସେତେବେଳେ ଚୀନରେ ମାଓ ସେ ତୁଙ୍ଗ ଶାସନ କରୁଥିଲେ। ତେଣୁ ଦଲାଇଲାମା ଓ ଚୀନର କମ୍ୟୁନିଷ୍ଟ ଶାସକଙ୍କ ଭିତରେ ଉତ୍ତେଜନା ବୃଦ୍ଧି ପାଇଲା। ଦଲାଇ ଲାମାଙ୍କୁ ସାରା ବିଶ୍ଵରୁ ସହାନୁଭୂତି ମିଳିଲା କିନ୍ତୁ ସେ ସେପର୍ଯ୍ୟନ୍ତ ନିର୍ବାସନ ଜୀବନ ହିଁ ଜିଉଁଥିଲେ।

ଶାନ୍ତିର ପ୍ରତୀକ ଦଲାଇଲାମା

୧୯୮୯ରେ ଦଲାଇଲାମାଙ୍କୁ ଶାନ୍ତିର ପ୍ରତୀକ ଭାବେ ନୋବେଲ ପୁରସ୍କାର ପ୍ରଦାନ କରାଗଲା। ବର୍ତ୍ତମାନ ଦଲାଇଲାମାଙ୍କ କହିବା କଥା ହେଉଛି, ସେ ଚୀନଠୁ ସ୍ଵାଧୀନତା ଚାହୁଁନାହାନ୍ତି କିନ୍ତୁ ସ୍ଵାୟତ୍ତତା ଚାହୁଁଛନ୍ତି। ଚୀନ ଏବଂ ଦଲାଇଲାମାଙ୍କ ଭିତରେ ୧୯୫୦ ରୁ ଆରମ୍ଭ ହୋଇଥିବା ଏହି ବିବାଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଦଲାଇଲାମା ଭାରତରେ ରହିବା ଯୋଗୁଁ ଚୀନ ସହିତ ଭାରତର ସମ୍ପର୍କ ଖରାପ ମଧ୍ୟ ହୋଇଛି।

Comment