ଓଡିଶାଲାଇଭ୍ ବ୍ୟୁରୋ

କରୋନା ସମୟରେ ଯୁବପିଢ଼ି କିପରି ନିଜ ମାନସିକ ସ୍ଵାସ୍ଥ୍ୟର ଯତ୍ନ ନେବେ? ସେ ସମ୍ପର୍କରେ କହୁଛନ୍ତି ମନସ୍ତତ୍ତ୍ଵବିତ୍ ସମ୍ବିତ ନନ୍ଦ।

କରୋନା ମହାମାରୀ ଯୋଗୁଁ ଲୋକଙ୍କ ଜୀବନଶୈଳୀ ପ୍ରଭାବିତ ହୋଇଛି। ସ୍କୁଲ କଲେଜ ବନ୍ଦ ହୋଇଯିବା ଫଳରେ ଯୁବପିଢ଼ିଙ୍କଠାରେ ମାନସିକ ଦୁଶ୍ଚିନ୍ତା ଦେଖାଯାଉଛି। ତେଣୁ କୋଭିଡ୍ ସମୟରେ ଯୁବପିଢ଼ି କିପରି ନିଜର ମାନସିକ ସ୍ଵାସ୍ଥ୍ୟକୁ ସୁସ୍ଥ ରଖିପାରିବେ ସେ ସମ୍ପର୍କରେ କହିଛନ୍ତି ମନସ୍ତତ୍ତ୍ଵବିତ୍ ସମ୍ବିତ ନନ୍ଦ।

ଓଡ଼ିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟ ପ୍ଲସର ମିଳିତ ଅଭିଯାନ ‘କେତେ ନୂଆ ବାଟ’ରେ ଭାଗ ନେଇ ସେ ଏ ସମ୍ପର୍କରେ କହିଛନ୍ତି।

କୋଭିଡ୍-୧୯ ଯୋଗୁଁ ତିନି ଚାରି ମାସ ହେବ ଲକଡାଉନ ଚାଲିଛି। ଆମେ ଏଥିରେ ସମସ୍ତେ ପ୍ରଭାବିତ ହୋଇଛୁ। କିନ୍ତୁ ଯେଉଁମାନେ ପାଠ ପଢ଼ୁଥିଲେ ସେହି ଛାତ୍ରଛାତ୍ରୀମାନେ ବେଶି ପ୍ରଭାବିତ ହୋଇଛନ୍ତି। ବିଶେଷକରି ୧୪ ରୁ ୨୫ ବର୍ଷ ବୟସର ପିଲାମାନେ ଯାହାଙ୍କୁ ଆମେ ଯୁବଗୋଷ୍ଠି ବୋଲି କହୁଛୁ ସେମାନେ କୋଭିଡ୍ ଯୋଗୁଁ ମାନସିକ ସ୍ତରରେ ବେଶି ପ୍ରଭାବିତ ହୋଇଛନ୍ତି ବୋଲି ସମ୍ବିତ ନନ୍ଦ କହିଛନ୍ତି।ଆଗରୁ ମୁଖ୍ୟତଃ ସ୍କୁଲ, କଲେଜ କିମ୍ବା ୟୁନିଭର୍ସିଟିରେ ପିଲାମାନଙ୍କ ଜୀବନ କଟୁଥିଲା। କହିବାକୁ ଗଲେ ତାଙ୍କର ଏକ ସଠିକ୍ କର୍ମମୟ ଜୀବନ ଚାଲିଥିଲା, ଯେଉଁଟା ତାଙ୍କର ଲକ୍ଷ୍ୟ ଥିଲା। କିନ୍ତୁ ବର୍ତ୍ତମାନ କୋଭିଡ୍-୧୯ ସେସବୁ ବନ୍ଦ କରିଦେଲା। ସେମାନେ କେବଳ ଘରେ ହିଁ ରହିଗଲେ।

“ଘରେ ରହିଲେ ବି ସେମାନେ କିଛି କରିପାରିବେ। କିନ୍ତୁ ତା’ ଭିତରେ କିଛି ପିଲାଙ୍କର ହୁଏତ ମନ ଟିକେ ଦବିଯାଇଥିବ। ସେହି ଯେଉଁ ପୁରୁଣା ଜୀବନ ପାଉନାହାନ୍ତି, ସେମାନେ ସାଙ୍ଗସାଥୀଙ୍କ ସହିତ ଦେଖା ହୋଇପାରୁନାହାନ୍ତି, କିଏ ନିଜର ଏକ ସଉକ ରଖିଥିଲା ଯାହାକୁ ସେତିକି ସେ ଆଉ କରିପାରୁନି, କିଏ ଖେଳୁଥିଲା ଏବଂ ପାଠପଢ଼ା ସାଙ୍ଗରେ ତା’ର ଖେଳ ଅଧାରେ ରହିଗଲା, କିଏ ଭଲ ଗୀତ ବଜାଉଥିଲା ଏସବୁ ଏବେ ବନ୍ଦ ହେଇଗଲା। ତେଣୁ ସେମାନଙ୍କର ମନ ଟିକେ ଦବିଯାଇଛି। କାରଣ ଏତେ ସମୟ ଧରି ଘରେ କରିବେ କ’ଣ? ତେଣୁ କେହି କେହି ଉଦାସ ହୋଇଯାଇଛନ୍ତି”, ସମ୍ବିତ ନନ୍ଦ କହିଛନ୍ତି।

ମାନସିକ ଦୁଶ୍ଟିନ୍ତାର କାରଣ

ଏହି ସମୟରେ ପିଲାମାନଙ୍କ ମନ ଉଦାସ ରହୁଥିବାର ଅନେକ ଲକ୍ଷଣ ଦେଖିବାକୁ ମିଳିଛି। କିଛି ପିଲା ନିଜ ପରୀକ୍ଷାକୁ ନେଇ ଚିନ୍ତାରେ ରହୁଛନ୍ତି। ଅନେକ ପିଲା ବହୁ ସମୟ ଧରି ଶୋଇରହୁଛନ୍ତି। ମୋବାଇଲରେ ବହୁତ ସମୟ ଗେମ୍ ଖେଳୁଛନ୍ତି। ଏସବୁ ପିଲାମାନଙ୍କ ପାଇଁ ଖରାପ। କାରଣ ଆମକୁ ସବୁବେଳେ ଏକ ସକ୍ରିୟ ଜୀବନଶୈଳୀ ଦରାକାର। ସକ୍ରିୟ ରହିଲେ ଆମ ମସ୍ତିଷ୍କ ଏବଂ ମନ ମଧ୍ୟ ସକ୍ରିୟ ରହିବ। ଏହାଛଡ଼ା ଯଦି ଆମେ ଗୋଟିଏ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ରଖିଦେଉଛୁ ତେବେ ଆମ ଜୀବନର ପ୍ରକୃତ ଲକ୍ଷ୍ୟଠାରୁ ଆମେ ହୁଏତ ଦୂରେଇଯିବୁ ବୋଲି ସେ କହିଛନ୍ତି।

ଘରେ ରହିବା ପରେ ସେମାନେ ପରିବାରର ଆର୍ଥିକ ସଙ୍କଟ, ପାରିବାରିକ ସମସ୍ୟା ବିଷୟରେ ଜାଣିଲେ। ତେଣୁ ସେମାନଙ୍କ ମନକୁ ଏକ ସଙ୍ଗରେ ଅନେକ ପ୍ରକାର ଚିନ୍ତା ଆସିଯାଉଛି।ସେ ଆହୁରି କହିଛନ୍ତି, “ପିଲାମାନେ ଗୋଟିଏ ଲକ୍ଷ୍ୟପଥରେ ଯାଉଥିଲେ। ବର୍ତ୍ତମାନ ତାଙ୍କୁ ବେଳେବେଳେ ଲକ୍ଷ୍ୟଭ୍ରଷ୍ଟ ହେବା ପରି ଲାଗୁଥିବ ଯେମିତି ଜୀବନରେ ଆଉ କିଛି ନାହିଁ, ମୁଁ ଆଗକୁ କ’ଣ ଭାବିବି, ମୋର ସ୍ଵପ୍ନ ସବୁ କ’ଣ ଚୁରମାର୍ ହେଇଗଲା, ମୁଁ ଯେଉଁ ଲକ୍ଷ୍ୟରେ ଯାଉଥିଲି ସେଠି କ’ଣ ଆଉ ପହଞ୍ଚି ପାରିବିନି ଏହିଭଳି ବିଭିନ୍ନ ପ୍ରଶ୍ନ ସେମାନଙ୍କ ମନରେ ଆସୁଥିବ।”

ମାନସିକ ସ୍ଵାସ୍ଥ୍ୟକୁ କିପରି ଠିକ୍ ରଖିବେ

କେବଳ ଦୁଶ୍ଚିନ୍ତା ଆସୁଛି ବୋଲି ଭାବିଲେ ହେବନାହିଁ। ଆମକୁ ସକରାତ୍ମକ ହେବାକୁ ପଡ଼ିବ। ସବୁ ଖରାପ ସମୟର ଅନ୍ତ ଥାଏ। ସମସ୍ତଙ୍କ ପାଇଁ ଗୋଟିଏ ଖରାପ ସମୟ ଆସିଛି, ପୁଣି ତାହା ବଦଳିବ ଏବଂ ଭଲ ସମୟ ଆସିବ ବୋଲି ସମ୍ବିତ କହିଛନ୍ତି।

ଯେଉଁ ପିଲା ନିଜ ମାନସିକ ସ୍ଥିତି ବିଷୟରେ ନିଜ ପରିବାର ସଦସ୍ୟ, ସାଙ୍ଗସାଥୀ, ଶୁଭାକାଙ୍‌କ୍ଷୀମାନଙ୍କ ସହ କଥା ହୋଇପାରୁଛି ତେବେ ତାହା ପିଲାର ମାନସିକ ସ୍ଥିତିକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। କିନ୍ତୁ ଯେଉଁ ପିଲା ନିଜ ମାନସିକ ଦୁଶ୍ଚିନ୍ତା ବିଷୟରେ କାହାକୁ କହିପାରୁନାହିଁ ତାହେଲେ ବହୁତ ଅସୁବିଧା ହୋଇପାରେ ବୋଲି ସେ କହିଛନ୍ତି।

ରୁଟିନ୍ ଜୀବନଶୈଳୀ ଆପଣାଇବା ଉଚିତ

ପିଲାମାନେ ସ୍କୁଲ, କଲେଜ ଯିବା ସମୟରେ ଯେପରି ସକାଳୁ ଶୀଘ୍ର ଉଠି ନିଜର ନିତ୍ୟକର୍ମ ସାରି ଠିକ୍ ସମୟରେ ସବୁ କାମ କରୁଥିଲେ ଏହି ସମୟରେ ସେମିତି କରିବା ଉଚିତ୍। ଏକ ସକ୍ରିୟ ଜୀବନଶୈଳୀ ପାଇଁ ରୁଟିନ ଅନୁସାରେ କାମ କରିବା ନିହାତି ଜରୁରୀ ବୋଲି ସେ କହିଛନ୍ତି।

ନିୟମିତ ବ୍ୟାୟାମ ଜରୁରୀ

ଏହି ସମୟରେ ମାନସିକ ଦୂରାବସ୍ଥାକୁ କମ୍ କରିବା ପାଇଁ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାବେଳେ ବ୍ୟାୟାମ, ଯୋଗ ଆଦି କରନ୍ତୁ। ଏହା ମନ ଏବଂ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

ପ୍ରେରଣାଦାୟୀ ଭିଡିଓ, କମେଡି, ନ୍ୟୁଜ୍ ଆଦି ଦେଖିବା ଦରକାର

ପିଲାମାନେ ମୋବାଇଲରେ ପ୍ରେରଣାଦାୟୀ ବାର୍ତ୍ତା ଦେଖିପାରିବେ। ଏସବୁ ଦେଖିଲେ ପିଲାମାନଙ୍କୁ ପ୍ରେରଣା ମିଳେ। ପିଲାମାନେ ବେଳେବେଳେ ମଜା କଥା ମଧ୍ୟ ଦେଖିବା ଉଚିତ୍। ହସକଥା ଦେଖିଲେ ଆମର ଶରୀର ଏବଂ ମନ ଟିକେ ହାଲକା ହୋଇଥାଏ ବୋଲି ସେ କହିଛନ୍ତି।

ଏହାଛଡ଼ା ପିଲାମାନେ ପ୍ରତିଦିନ କିଛି ସମୟ ନ୍ୟୁଜ ଦେଖିବା ଦରକାର। ଏହାଦ୍ଵାରା ସେମାନେ ଦେଶବିଦେଶର ଘଟଣାବଳୀ ବିଷୟରେ ଅବଗତ ହୋଇପାରିବେ।ପ୍ରତିଦିନ ବହି ପଢ଼ନ୍ତୁ

ଏହାଛଡ଼ା ପରିବାର ସଦସ୍ୟମାନେ ନିଜ ପିଲାଦିନର କାହାଣୀ କିମ୍ବା ସଫଳ ବ୍ୟକ୍ତିଙ୍କ କାହାଣୀ କହିବା ଦ୍ଵାରା ପିଲାମାନଙ୍କ ମନରେ କିଛି ନୂଆ ଆଶା ସୃଷ୍ଟି ହୋଇପାରିବ।

ସେ କହିଛନ୍ତି, “ପ୍ରତିଦିନ ଗୋଟେ ବହି ପଢ଼ନ୍ତୁ। ଆଜିକାଲି ଅନେକ ପ୍ରେରଣାଦାୟକ ବହି, କମେଡି ବହି, ସେଲିବ୍ରିଟିମାନଙ୍କ ବହି ମିଳୁଛି। ତେଣୁ ବହି ପଢ଼ିଲେ ପଢ଼ିବା ଅଭ୍ୟାସ ରୁହେ ଏବଂ ମାନସିକ ସ୍ତରରେ ଏକାଗ୍ରତା ସୃଷ୍ଟି ହୁଏ। ପଢ଼ିବା ଅଭ୍ୟାସଟା ପାଠ ସହିତ ଯୋଡ଼ି ହୋଇ ରହିବାରେ ସାହାଯ୍ୟ କରେ। ଏଥିସହ ଜ୍ଞାନ ମଧ୍ୟ ବଢ଼ିଥାଏ।”

ସେ ଆହୁରି କହିଛନ୍ତି, “ମନ ଯଦି ବ୍ୟସ୍ତ ରହିଲା ଆମକୁ ଆଦୌ ବିରକ୍ତ ଲାଗିବନି। ତେଣୁ ଏମିତି ଅନେକ ବାଟ ଅଛି ଯେଉଁଥିରେ ଆମେ ନିଜକୁ ସକରାତ୍ମକ ଦିଗରେ ନିୟୋଜିତ କରିପାରିବା। ଏହା ଫଳରେ ଯେତେବେଳେ ପରିସ୍ଥିତି ପୁଣି ସାଧାରଣ ଅବସ୍ଥାକୁ ଫେରିଆସିବ, ସ୍କୁଲ କଲେଜ ଖୋଲିବ, ପିଲାମାନେ ନିଜ ଲକ୍ଷ୍ୟ ସ୍ଥଳକୁ ଫେରିଯିବେ ସେତେବେଳେ ହଠାତ୍ କିଛି ଆଶ୍ଚର୍ଯ୍ୟ ଲାଗିବନି କି ବହୁତ କଷ୍ଟ ହେବନି। ଆମକୁ ଘରେ ରହି ମଧ୍ୟ ନିଜ ଜୀବନକୁ ପୁଣି ଥରେ ଆରମ୍ଭ କରିବାର ଅଛି। ତେଣୁ ପୂର୍ବରୁ ଯେମିତି କାମରେ ସକ୍ରିୟ ରହୁଥିଲେ ସେମିତି ଘରେ ରହି ପ୍ରତିଦିନ ରୁଟିନ ଅନୁସାରେ କାମ କରିବା ଉଚିତ।”CGU newଶିଶୁ ଏବଂ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ, ନିରନ୍ତର ଶିକ୍ଷା ଏବଂ ସୁରକ୍ଷାକୁ ନେଇ ଓଡ଼ିଶା ସରକାର, ୟୁନିସେଫ୍ ଏବଂ ଅନ୍ୟ ଅଂଶୀଦାରମାନେ ଏ ବାବଦରେ କ’ଣ ସବୁ ପଦକ୍ଷେପ ନେଉଛନ୍ତି ତା’ର ଏକ ବ୍ୟାପକ ଚିତ୍ର ଉପସ୍ଥାପନ କରିଛି ‘କେତେ ନୂଆ ବାଟ’।

ଏହି କାର୍ଯ୍ୟକ୍ରମ ପ୍ରତି ରବିବାର ସକାଳ ୧୦ଟା୩୦ ମିନିଟରେ ଆକାଶବାଣୀର ଓଡ଼ିଶାରେ ଥିବା ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେଉଛି। ତା’ସାଙ୍ଗକୁ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ବିଭିନ୍ନ ସୋସିଆଲ ଚ୍ୟାନେଲରେ ମଧ୍ୟ ଏକ ସମୟରେ ପ୍ରସାରିତ ହେଉଛି।

Comment