ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଟିକାକରଣ ଅଭିଯାନ ଦ୍ରୁତ ଗତିରେ ଆଗେଇ ଚାଲିଛି। ତଥ୍ୟ ଅନୁସାରେ କେବଳ ୧୩ ଦିନ ଭିତରେ ୧୦ କୋଟି ଲୋକଙ୍କୁ ଟିକାକରଣ କରାଯାଇ ଟିକାକରଣ କ୍ଷେତ୍ରରେ ଏକ ନୂଆ ରେକର୍ଡ଼ ସୃଷ୍ଟି ହୋଇଛି। ଏହାକୁ ମିଶାଇ ଦେଶରେ ଟିକା ନେଇଥିବା ହିତାଧିକାରୀଙ୍କ ସଂଖ୍ୟା ୭୦ କୋଟି ଟପିଛି। ଏଥିମଧ୍ୟରୁ ଏକ ଚତୁର୍ଥାଂଶ ଲୋକେ ଡବଲ୍ ଡୋଜ୍ ନେଇ ସାରିଛନ୍ତି।

ଅଗଷ୍ଟ ୨୫ ତାରିଖରେ ଦେଶରେ ଟିକାକରଣ ୬୦ କୋଟିରେ ପହଞ୍ଚିଥିଲା ଏବଂ ତା’ର ୧୩ ଦିନ ପରେ ଏହି ସଂଖ୍ୟା ୭୦ କୋଟି ଅତିକ୍ରମ କରିଛି। ଦେଶରେ ପ୍ରଥମ ୧୦ କୋଟି ଟିକାକରଣ ପାଇଁ ପ୍ରାୟ ୮୫ ଦିନ ସମୟ ଲାଗିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଟିକାକରଣ ଉପରେ ଅଧିକ ଗୁରୁତ୍ଵ ଦିଆଯାଇଥିଲା।

ଆଶା କରାଯାଉଛି ଆଗାମୀ ଦିନରେ ଟିକାର ଯୋଗାଣ ବଢ଼ିବା ଫଳରେ ଟିକାକରଣ ଅଭିଯାନ ଆହୁରି ଜୋରଦାର ହେବ। ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ସମସ୍ତଙ୍କୁ ଟିକା ଦିଆ ସରିଥିବ ବୋଲି ଲକ୍ଷ୍ୟ ରଖିଛନ୍ତି ଭାରତ ସରକାର। ଦୈନିକ କୋଟିଏରୁ ଅଧିକ ଟିକାର ଆବଶ୍ୟକତା ରହିଥିବା କହି ଆସୁଛନ୍ତି ବିଶେଷଜ୍ଞ। ଯଦି ଏହିଭଳି ଟିକା ଦାନ ଚାଲେ ତେବେ କରୋନା ବିରୁଦ୍ଧରେ ଭାରତ ଏକ ବଡ଼ ବିଜୟ ହାସଲ କରିପାରିବ।

Comment