ଓଡ଼ିଶାଲାଇଭ ବ୍ୟୁରୋ

ସମଗ୍ର ଦେଶର ଯୁକ୍ତ ୨ ବୋର୍ଡ଼ ପରୀକ୍ଷା ଫଳ ପ୍ରକାଶ ପାଇସାରିଥିବା ବେଳେ ଓଡ଼ିଶାରେ ତାର ନାଁ ଗନ୍ଧ ବି ନାହିଁ। ଏବର୍ଷର +୨ ପରୀକ୍ଷା ଫଳ ବାହାରିବା କଥା କାହାର ମନେ ଅଛି କି ନା ତାହା ବି ଜାଣିବା କଷ୍ଟ।

ଫଳ ପ୍ରକାଶ ପାଇବା କ୍ଷେତ୍ରରେ ଅହେତୁକ ବିଳମ୍ବ ଯୋଗୁଁ ଓଡ଼ିଶା ସରକାର ଏଦିଗରେ ଏବେ ତତ୍ପରତା ଦେଖାଇବା ଆରମ୍ଭ କରିଛନ୍ତି। ମୂଲ୍ୟାୟନ କେନ୍ଦ୍ରକୁ ପରୀକ୍ଷକମାନଙ୍କୁ ତୁରନ୍ତ ପଠାଇବା ପାଇଁ ସମସ୍ତ କଲେଜ ଅଧ୍ୟକ୍ଷମାନଙ୍କୁ ସରକାର ଇତି ମଧ୍ୟରେ ନିର୍ଦ୍ଦେଶ ଦେଇଛନ୍ତି।CGU new

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ କଲେଜ ପ୍ରିନ୍ସିପାଲମାନଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ଯଦିଓ ଜୁନ ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଆରମ୍ଭ ହୋଇଛି ଏପର୍ଯ୍ୟନ୍ତ ତାହା ଶେଷ ହୋଇନାହିଁ। ଏହାର କାରଣ କୋଭିଡ ଯୋଗୁଁ ୫୦ ପ୍ରତିଶତରୁ ଅଧିକ ପରୀକ୍ଷକ ମୂଲ୍ୟାୟନ କେନ୍ଦ୍ରକୁ ଯାଉନାହାନ୍ତି। ପିଲାଙ୍କର ଭବିଷ୍ୟତ ବିପନ୍ନ ହେବାର ସମ୍ଭାବନା ଥିବାରୁ ଯଥା ଶୀଘ୍ର ପରୀକ୍ଷା ଖାତା ଦେଖା ଶେଷ ହେବା ଉଚିତ ବୋଲି ନିର୍ଦ୍ଦେଶକ ତାଙ୍କ ଚିଠିରେ କହିଛନ୍ତି।

ଏ ସଂକ୍ରାନ୍ତରେ ସ୍କୁଲ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ମଧ୍ୟ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଯଥା ଶୀଘ୍ର ଶେଷ ହେବା କ୍ଷେତ୍ରରେ ସହଯୋଗ କରିବା ପାଇଁ ଲେଖିଛନ୍ତି।

ଏଣେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ ଚାରି ଜିଲ୍ଲାରେ ଦୁଇ ସପ୍ତାହ ବ୍ୟାପି ଲକଡାଉନ ଘୋଷଣା କରାଯାଇଛି ଓ ସେଥିପାଇଁ ୩୫ଟି କେନ୍ଦ୍ରରେ ଖାତା ଦେଖା ବନ୍ଦ କରାଯାଇଛି। ପରିସ୍ଥିତିକୁ ଦେଖି ଜିଲ୍ଲାପାଳମାନେ ଖାତା ଦେଖା ହୋଇପାରିବ କି ନା ତାହା ସ୍ଥିର କରିବେ ବୋଲି ମନ୍ତ୍ରୀ କହିଛନ୍ତି।

ଖାତା ଦେଖା ଓ ପରୀକ୍ଷା ଫଳ ପ୍ରକାଶରେ ଅସାଧାରଣ ବିଳମ୍ବ ଯୋଗୁଁ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତା ପ୍ରକଟ କରିଛନ୍ତି।ଯୁକ୍ତ ଦୁଇ ବୋର୍ଡ଼ର ବେପରବାୟ ମନୋବୃତ୍ତି ବିଳମ୍ବ ପାଇଁ ଦାୟୀ ବୋଲି ସେମାନେ କହିଛନ୍ତି।ଯଦି ସିବିଏସଇ କର୍ତ୍ତୃପକ୍ଷ ପରୀକ୍ଷକ ମାନଙ୍କ ଘରକୁ ଖାତା ପଠାଇ ଠିକ ସମୟରେ ଫଳ ପ୍ରକାଶ କରିପାରିଲେ ଏଠି କାହିଁକି ତାହା ହୋଇପାରିବ ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

Comment