ଓଡିଶାଲାଇଭ୍ ବ୍ୟୁରୋ
ବ୍ରହ୍ମପୁର ମଣ୍ଡଳ କାରାଗାରରେ ପୁଣି ୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩୩ ଜଣ ବିଚାରଧୀନ କଏଦୀ ଥିବା ବେଳେ ୧୦ ଜଣ ଜେଲ୍ କର୍ମଚାରୀ ଅଛନ୍ତି।
ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜେଲ୍ର ଜେଲର ମଧ୍ୟ ଅଛନ୍ତି। ତେବେ ଆକ୍ରାନ୍ତମାନଙ୍କୁ ଅଲଗା ରଖାଯାଇଥିବା ଜେଲ୍ ଅଧୀକ୍ଷକ କହିଛନ୍ତି। ଗତକାଲି ଜେଲ୍ କର୍ମଚାରୀ ଓ କଏଦୀଙ୍କୁ ମିଶାଇ ୪୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଆଜି ପୁଣି ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜେଲ୍ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଛି।
ବର୍ତ୍ତମାନ ରାଜ୍ୟର କରୋନା ହଟସ୍ପଟ୍ ପାଲଟିଥିବା ଗଞ୍ଜାମ ଜିଲ୍ଲାରେ ୫ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଜିଲ୍ଲାରେ କରୋନା ସ୍ଥିତିକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି।
ଗଞ୍ଜାମରେ ବର୍ତ୍ତମାନ ସୁଦ୍ଧା ୧୫୦ରୁ ଉର୍ଦ୍ଧ୍ଵ ପୋଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ଏବେ ବ୍ରହ୍ମପୁର ଜେଲ୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଦେଖାଦେଇଛି।














