ଓଡିଶାଲାଇଭ୍ ବ୍ୟୁରୋ
ମହାମାରୀ କରୋନା ଭୂତାଣୁ ନୟାଗଡ଼ ଜିଲ୍ଲାରେ ପୁଣି ଜଣଙ୍କର ଜୀବନ ନେଇଛି। ଜୁଲାଇ ୨୫ ତାରିଖରେ ସରକାର ଦେଇଥିବା ସୂଚନା ଅନୁଯାୟୀ, ନୁଆଗାଁ ବ୍ଲକ୍ରେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏଥିସହ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ୨ରେ ପହଞ୍ଚିଛି।
ଏହା ପୂର୍ବରୁ ନୟାଗଡ଼ ସହରାଞ୍ଚଳର ଜଣେ ଔଷଧ ବ୍ୟବସାୟୀ କରୋନାରେ ପ୍ରାଣ ହରାଇଥିଲେ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୯୬ରେ ପହଞ୍ଚିଛି। ସେଥିମଧ୍ୟରୁ ୩୦୧ ଜଣ ସୁସ୍ଥ ହୋଇଥିବା ବେଳେ ୧୯୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।
ନୟାଗଡ଼ ସହର ଏମ୍ଆଇ କଲୋନିରୁ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।
ଦଶପଲ୍ଲା ଥାନାର ଏକାଧିକ ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ଏହି ଥାନାକୁ କିଛି ଦିନ ପାଇଁ ବନ୍ଦ କରାଯାଇଛି। ସ୍ଥାନୀୟ ଲୋକେ ନୂଆଗାଁ ଥାନାରେ ରିପୋର୍ଟ କରିବାକୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। କରୋନା ମୁକାବିଲା କ୍ଷେତ୍ରରେ ନିୟୋଜିତ ପୋଲିସ, ପ୍ରଶାସନିକ ଓ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀମାନେ କରୋନାରେ ଆକ୍ରାନ୍ତ ହେବା ଏବେ ଚିନ୍ତାର ବିଷୟ ହୋଇଛି।














