ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ୍-୧୯ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସୁନ୍ଦରଗଡ଼ ଏବଂ ରାଜଗାଙ୍ଗପୁର ପୌରାଞ୍ଚଳରେ କଟକଣା ଜାରି କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ଏହି କଟକଣା ଅଗଷ୍ଟ ୧ରୁ ୧୫ ତାରିଖ ଯାଏଁ ବଳବତ୍ତର ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ଗ୍ରୋସରୀ, ପରିବା, କ୍ଷୀର ଏବଂ ଅଣ୍ଡା ଦୋକାନ ସକାଳ ୬ଟାରୁ ଦିନ ୨ଟା ଯାଏଁ ଖୋଲାରହିବ। ଦିନ ୨ଟା ପରେ କେହି ବାହାରକୁ ଆସି ଭିଡ଼ ନକରିବାକୁ ଜିଲ୍ଲାପାଳ ଅପିଲ୍ କରିଛନ୍ତି।
- ହୋଟେଲ ଖୋଲାରହିବ। ହେଲେ କେହି ଏଠାରେ ଖାଇପାରିବେ ନାହିଁ। କେବଳ ପାର୍ସଲ ନେବାର ବ୍ୟବସ୍ଥା ହେବ।
- ପରିବା ଦୋକାନ, ଆମିଷ ଦୋକାନ, ରାସ୍ତାକଡ଼ ଦୋକାନ, ଠେଲା ଦୋକାନ ଆଦି ପ୍ରତିଦିନ ସକାଳ ୬ଟାରୁ ଦିନ ୨ଟା ଯାଏଁ ଖୋଲା ରହିବ।
- ଦିନ ୨ଟା ପରେ ଲୋକଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ କରାଯାଇଛି।
- ସମସ୍ତ ହସ୍ପିଟାଲ, କ୍ଲିନିକ, ନର୍ସିଂହୋମ, ଔଷଧ ଦୋକାନ, ଆମ୍ବୁଲାନ୍ସ ସେବା କଟକଣା ମୁକ୍ତ ରହିଛି।
- ଜିଲ୍ଲା ଓ ପୌର ପ୍ରଶାସନ ଅଫିସ୍, ପୋଲିସ, ଅଗ୍ନିଶମ ସେବା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଫିସ, ଟେଲିକମ୍ ସେବା କଟକଣାମୁକ୍ତ।
- ଜଳ ଯୋଗାଣ, ଏଲ୍ପିଜି ଗ୍ୟାସ ଯୋଗାଣ, ବିଦ୍ୟୁତ ଯୋଗାଣ ଏବଂ ପରିମଳ ସେବା ଚାଲୁ ରହିବ।
- ପେଟ୍ରୋଲ ଟାଙ୍କି, ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ମିଡିଆ ଖୋଲାରହିବ। ହକର୍ମାନେ ଖବରକାଗଜ ବିତରଣ କରିପାରିବେ।
- ରାଜପଥରେ ମାଲପରିବହନ ଏବଂ ସାଧାରଣ ପରିବହନ ଚାଲୁ ରହିବ।
- ଏୟାରପୋର୍ଟ, ରେଳଷ୍ଟେସନ ଏବଂ ବସ୍ ଷ୍ଟାଣ୍ଡକୁ ଘରୋଇ ଗାଡ଼ି, ଟାକ୍ସି ଚଳାଚଳ କରିପାରିବ।
- ଜାତୀୟ ଏବଂ ରାଜ୍ୟରାଜପଥ କଡ଼ରେ ଢାବା ଖୋଲାରହିବ। ଏଠାରୁ କେବଳ ପାର୍ସଲ ନେଇହେବ।
- ବାହାଘର ଏବଂ ଅନ୍ତିମ ସଂସ୍କାର ପାଇଁ ଅନୁମତି ନେବାକୁ ପଡ଼ିବ। କୋଭିଡ୍ କଟକଣା ଭିତରେ ଏସବୁ କରିବାକୁ ପଡ଼ିବ।
- ଏଟିଏମ୍ ଏବଂ କ୍ଲିୟରିଂ ହାଉସ୍ ଖୋଲାରହିବ।
- ନିୟମ ଉଲ୍ଲଂଘନ କଲେ ଦଣ୍ଡ ବ୍ୟବସ୍ଥା। ବିପର୍ଯ୍ୟୟ ପ୍ରଶମନ ପରିଚାଳନା ଆକ୍ଟ-୨୦୦୫ର ସେକ୍ସନ ୫୧ରୁ ୬୦ ଅନୁଯାୟୀ ମାମଲା ପରିଚାଳନା ହେବ। ଆଇପିସି ଧାରା ୧୮୮ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

















