ଓଡିଶାଲାଇଭ୍ ବ୍ୟୁରୋ

ସାରା ବିଶ୍ଵକୁ କବଳିତ କରିଥିବା କରୋନା ମହାମାରୀ ବିରୋଧରେ ବିଭିନ୍ନ ଦେଶ ଟିକା ପ୍ରସ୍ତୁତିରେ ଲାଗିଛନ୍ତି। ତେବେ ପ୍ରଥମେ କେଉଁ ଦେଶ କରୋନା ଟିକା ବାହାର କରିବ ତାହାକୁ ନେଇ ପ୍ରତିଯୋଗିତା ଚାଲିଛି। ଏଭଳି ସ୍ଥିତିରେ ରୁଷ ଚଳିତ ମାସରେ ପ୍ରଥମ କରୋନା ଟିକା ବଜାରକୁ ଆଣିବ ବୋଲି ଜଣାପଡ଼ିଛି।

ଏକ ରିପୋର୍ଟ ଅନୁସାରେ ରୁଷ ରେଗୁଲେଟର୍ସ ଏହି ମାସରେ ଦେଶର ପ୍ରଥମ କରୋନା ଟିକାକୁ ମଞ୍ଜୁରୀ ଦେଇପାରନ୍ତି। ଅନ୍ୟପଟେ ଏତେ ଶୀଘ୍ର କରୋନା ଟିକା ପ୍ରସ୍ତୁତିକୁ ନେଇ କିଛି ବିଶେଷଜ୍ଞ ଚିନ୍ତା ବ୍ୟକ୍ତ କରିଛନ୍ତି।

ରୁଷ ଅକ୍ଟୋବର ମାସରୁ କରୋନା ଭୂତାଣୁ ବିରୋଧରେ ବହୁତ ବଡ଼ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ରୁଷ ସ୍ଵାସ୍ଥ୍ୟମନ୍ତ୍ରୀ ମିଖେଲ ମୁରାଶ୍କୋ କହିଛନ୍ତି ଯେ ଦେଶର ସ୍ଵାସ୍ଥ୍ୟ ଅଧିକାରୀମାନେ ଟିକାକରଣ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ତେବେ ପ୍ରଥମେ ଦେଶର ଡାକ୍ତର ଓ ଶିକ୍ଷକଙ୍କୁ କରୋନା ଟିକା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।corona worlwideସାରା ବିଶ୍ଵରେ ୨୦ରୁ ଅଧିକ କରୋନା ଟିକା ଉପରେ ଗବେଷଣା ଜାରି ରହିଛି। ତେବେ ରୁଷର ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ମସ୍କୋର ଗାମଲେୟା ଇନ୍‌ଷ୍ଟିଚ୍ୟୁଟ୍ ରୁଷୀୟ କରୋନା ଟିକାର କ୍ଲିନିକାଲ ଟ୍ରାଏଲ କରିସାରିଛି ଏବଂ ଏବେ କାଗଜପତ୍ର କାମ ଚାଲିଛି।

ଏହା ପୂର୍ବରୁ ଆମେରିକାର ପ୍ରମୁଖ ସଂକ୍ରାମକ ରୋଗ ବିଶେଷଜ୍ଞ ଏନ୍ଥନୀ ଫାଉଚୀ କହିଥିଲେ ଯେ ରୁଷ ଏବଂ ଚୀନ ବାସ୍ତବରେ କରୋନା ଟିକା ପରୀକ୍ଷଣ କରୁଛନ୍ତି ବୋଲି ସେ ଅନୁମାନ କରୁଛନ୍ତି। ଅନ୍ୟ କୌଣସି ଦେଶ ଆମେରିକାଠାରୁ ପ୍ରଥମେ କରୋନା ଟିକା ବାହାର କରିବେ ବୋଲି ସେ ସ୍ଵୀକାର କରିପାରୁନାହାନ୍ତି। ଅନ୍ୟ ଦେଶଗୁଡ଼ିକୁ ଟିକା ପାଇଁ ଆମେରିକା ଉପରେ ନିର୍ଭର କରିବାକୁ ପଡ଼ିବ ବୋଲି ଫାଉଚୀ କହିଥିଲେ।

Comment