ଓଡିଶାଲାଇଭ୍ ବ୍ୟୁରୋ

କୋଭିଡ୍ ସମୟରେ ଭିନ୍ନକ୍ଷମମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ଆମେ କିପରି ସାହାଯ୍ୟ, ସହଯୋଗ ଯୋଗାଇ ଦେବା ଉଚିତ୍ ସେ ସମ୍ପର୍କରେ କହୁଛନ୍ତି ଓଡ଼ିଶାର ପୂର୍ବତନ ଭିନ୍ନକ୍ଷମ କମିସନର କସ୍ତୁରୀ ମହାପାତ୍ର।

କରୋନା ସମୟରେ ଭିନ୍ନକ୍ଷମମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷିତ ରଖିବା ଏବେ ଏକ ବଡ଼ ଆହ୍ଵାନରେ ପରିଣତ ହୋଇଛି। ବର୍ତ୍ତମାନର ଏହି ବିପଦ ସମୟରେ ସେମାନଙ୍କ ଜୀବିକା ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ଓଡ଼ିଶାର ପୂର୍ବତନ ଭିନ୍ନକ୍ଷମ କମିସନର କସ୍ତୁରୀ ମହାପାତ୍ର।

ଓଡିଶାଲାଇଭ୍ ଓ ସ୍ଵାସ୍ଥ୍ୟ ପ୍ଲସ୍‌ର ମିଳିତ ଅଭିଯାନ ‘କେତେ ନୂଆ ବାଟ’ରେ ଭାଗ ନେଇ ସେ ଏହା କହିଛନ୍ତି।

କରୋନା ସମୟରେ ଭିନ୍ନକ୍ଷମମାନେ ଅଧିକ ପ୍ରଭାବିତ ହେଉଛନ୍ତି

କରୋନା ମହାମାରୀ ସମସ୍ତଙ୍କୁ ପ୍ରଭାବିତ କରିଛି। କିନ୍ତୁ ସାଧାରଣ ଲୋକଙ୍କ ଅପେକ୍ଷା ଭିନ୍ନକ୍ଷମମାନେ ଅଧିକ ପ୍ରଭାବିତ ହେଉଛନ୍ତି। ସେମାନଙ୍କ ଜୀବନ ଜୀବିକା ବହୁ ପରିମାଣରେ ପ୍ରଭାବିତ ହୋଇଛି ବୋଲି କସ୍ତୁରୀ କହିଛନ୍ତି।କ୍ଵାରେଣ୍ଟାଇନ୍ ସେଣ୍ଟରରେ ଭିନ୍ନକ୍ଷମଙ୍କ ପାଇଁ ସୁବିଧା

କ୍ଵାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ଭିନ୍ନକ୍ଷମଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବା ଉପରେ କସ୍ତୁରୀ ମହାପାତ୍ର ଗୁରୁତ୍ଵ ଦେଇଛନ୍ତି। କସ୍ତୁରୀ କହିଛନ୍ତି, “ଯଦି ଜଣେ ଭିନ୍ନକ୍ଷମ ବ୍ୟକ୍ତି କ୍ଵାରେଣ୍ଟାଇନ୍‌ରେ ରହୁଛନ୍ତି ତେବେ ସେଠାରେ ତାଙ୍କୁ ସବୁ ପ୍ରକାର ସୁବିଧା ମିଳିବା ଦରକାର। ଶୌଚାଳୟ ଯିବା ଠାରୁ ଖାଇବା ପିଇବା ସବୁଥିଲେ ତାଙ୍କ ପାଇଁ ସୁବିଧା ହେବା ଦରକାର।”

କୋଭିଡ୍-୧୯ରେ ଭିନ୍ନକ୍ଷମଙ୍କ ଜୀବିକା

କରୋନା ସମୟରେ ଭିନ୍ନକ୍ଷମମାନଙ୍କ ଜୀବିକା ବହୁ ମାତ୍ରାରେ ପ୍ରଭାବିତ ହୋଇଛି। “ଯେଉଁମାନେ ଖୁଚୁରା ବ୍ୟବସାୟ କରୁଥିଲେ ସେମାନଙ୍କ ବ୍ୟବସାୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଗଲାଣି। ସେମାନଙ୍କର ଆର୍ଥିକ ବା ଶାରୀରିକ ଅବସ୍ଥା ସେତିକି ସୁଦୃଢ଼ ନୁହେଁ ଯେଉଁଥିରେ କି ସେମାନେ ଚଳିପାରିବେ”, କସ୍ତୁରୀ କହିଛନ୍ତି।

ପାଠପଢ଼ା ପାଇଁ ବ୍ୟବସ୍ଥା

କରୋନା ସମୟରେ ଅଫ୍‌ଲାଇନ୍ ପରୀକ୍ଷା ବନ୍ଦ ହୋଇଯାଇଛି। ଭିନ୍ନକ୍ଷମଙ୍କ ପାଇଁ ପାଠ ପଢ଼ିବାକୁ ସରକାର ମଧ୍ୟ ସେମିତି କୌଣସି ବ୍ୟବସ୍ଥା କରିନାହାନ୍ତି। ଏଭଳି ସ୍ଥିତିରେ ଭିନ୍ନକ୍ଷମ ପିଲାମାନେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ବୋଲି କସ୍ତୁରୀ କହିଛନ୍ତି।

ସେ ଆହୁରି କହିଛନ୍ତି, “ଭିନ୍ନକ୍ଷମମାନେ ଆଗରୁ ମଧ୍ୟ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିଲେ, ବର୍ତ୍ତମାନ ପରିସ୍ଥିତିରେ ହେଉଛନ୍ତି ଏବଂ ଭବିଷ୍ୟତରେ ଯଦି ସେମାନଙ୍କ ପାଇଁ ବିହିତ ପଦକ୍ଷେପ ନ ନିଆଯାଏ ତାହେଲେ ସେମାନେ ଆହୁରି ଅସୁବିଧାର ସମ୍ମୁଖୀନ ହେବେ।”ସରକାରୀ ସହାୟତା

ଭିନ୍ନକ୍ଷମମାନଙ୍କ ପାଇଁ ସରକାର ଯେଉଁ ସବୁ ସହାୟତା ଘୋଷଣା କରିଛନ୍ତି ସେସବୁ ଯେମିତି ଭିନ୍ନକ୍ଷମଙ୍କ ନିକଟରେ ପହଞ୍ଚିପାରିବ ତାହା ଆମେ ସମସ୍ତେ ସୁନିଶ୍ଚିତ କରିବା ଦରକାର ବୋଲି କସ୍ତୁରୀ କହିଛନ୍ତି।

ସେ ଆହୁରି କହିଛନ୍ତି, “ଭିନ୍ନକ୍ଷମଙ୍କ ପାଇଁ ଲୋନ୍‌ର ବ୍ୟବସ୍ଥା କରିବା ସହ ସବ୍‌ସିଡି ଦେବା ଦରକାର। ଏଥିସହ ସେମାନଙ୍କ ପାଇଁ ସରକାରଙ୍କ ତରଫରୁ କିଛି ପ୍ରାୟୋଜକ ଯୋଗାଡ଼ କରିବା ଦରକାର ଯାହାଫଳରେ ସେମାନେ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିବେ।”

ବିଭିନ୍ନ ପ୍ରକାର ଭିନ୍ନକ୍ଷମଙ୍କ ପାଇଁ ଭିନ୍ନ ବ୍ୟବସ୍ଥା

ଭିନ୍ନକ୍ଷମତା ଦୃଷ୍ଟିରୁ ବିଚାର କଲେ ପ୍ରାୟ ୨୧ ପ୍ରକାର ଭିନ୍ନକ୍ଷମ ଅଛନ୍ତି। ସେମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ଭିନ୍ନ ଭିନ୍ନ ବ୍ୟବସ୍ଥା ହେବା ଦରକାର। ଭିନ୍ନକ୍ଷମ ପିଲାଙ୍କ ସୁରକ୍ଷା ଓ ଯତ୍ନକୁ ସୁନିଶ୍ଚିତ କରୁଥିବା ବାପା ମାଆଙ୍କୁ ମଧ୍ୟ କେନ୍ଦ୍ର ସରକାର ପ୍ରୋତ୍ସାହନ ଯୋଗାଇବା ଦରକାର ବୋଲି କସ୍ତୁରୀ କହିଛନ୍ତି।

ଭିନ୍ନକ୍ଷମ ପିଲାଙ୍କ ଆତ୍ମବିଶ୍ଵାସ ବଢ଼ାଇବା ପାଇଁ ବ୍ୟବସ୍ଥା

ବର୍ତ୍ତମାନ ସ୍କୁଲଗୁଡ଼ିକ ବନ୍ଦ ରହିଛି। ତେଣୁ ଏହି ସମୟରେ ଭିନ୍ନକ୍ଷମ ପିଲାଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଶିକ୍ଷା ସହାୟକ, ବ୍ଲକ୍ ରିସୋର୍ସ ଟିଚର ଆଦି ଯଦି ତାଙ୍କ ଘରକୁ ଯାଇ କିଛି ବ୍ୟବସ୍ଥା ଯୋଗାଇ ପାରିବେ ତେବେ ସେମାନଙ୍କ ଆତ୍ମବିଶ୍ଵାସ ବଢ଼ିବ ବୋଲି କସ୍ତୁରୀ କହିଛନ୍ତି।

ସମସ୍ତଙ୍କର ସହଯୋଗ ଦରକାର

ଭିନ୍ନକ୍ଷମ ପିଲାଙ୍କୁ ସାମାଜିକ, ଶାରୀରିକ ଏବଂ ମାନସିକ ସୁରକ୍ଷା ଯୋଗାଇ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। କସ୍ତୁରୀ କହିଛନ୍ତି, “ସରକାରୀ ବ୍ୟବସ୍ଥା ସହିତ ପରିବାର, ସରକାର, ସାମାଜିକ କର୍ମୀ ଏବଂ ସ୍ଵେଚ୍ଛାସେବୀ ସଙ୍ଗଠନ ସମସ୍ତେ ଯଦି ହାତ ମିଳାଇବେ ତାହେଲେ ହିଁ ଭିନ୍ନକ୍ଷମ ବ୍ୟକ୍ତିବିଶେଷମାନଙ୍କ ଅବସ୍ଥା ସୁଧୁରିବ।”ସାମାଜିକ ଦୂରତ୍ଵ ଗୁରୁତ୍ଵପୂର୍ଣ୍ଣ

ଭିନ୍ନକ୍ଷମ ପିଲାମାନଙ୍କ ପାଖରେ ଶାରୀରିକ ବା ସାମାଜିକ ଦୂରତ୍ଵର କିଛି ମାନେ ନ ଥାଏ। ତେଣୁ ସେମାନଙ୍କ ଭିତରେ ଶାରୀରିକ ଦୂରତ୍ଵ ରଖି କିଭଳି ସେମାନଙ୍କୁ ସୁରକ୍ଷିତ ରଖାଯାଇପାରିବ ତାହା ଏବେ ପ୍ରଶ୍ନବାଚୀ ବୋଲି କସ୍ତୁରୀ କହିଛନ୍ତି।

କାଉନସେଲିଂର ବ୍ୟବସ୍ଥା

ସଟ୍‌ଡାଉନ୍‌, ଲକ୍‌ଡାଉନ୍‌ ଯୋଗୁଁ ସେମାନେ ଦୀର୍ଘ ଦିନ ହେଲା ଘରେ ଥିବାରୁ ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି। କସ୍ତୁରୀ କହିଛନ୍ତି, “ମାନସିକ ସ୍ତରରେ ସେମାନଙ୍କ ବ୍ୟତିବ୍ୟସ୍ତତା କମ କରିବା ପାଇଁ ତାଙ୍କୁ ବୁଝାଇବାକୁ ପଡ଼ିବ ଏବଂ ସେମାନଙ୍କ ଆତ୍ମବଳ ବୃଦ୍ଧି କରିବାକୁ ହେବ। ଏଥିପାଇଁ କାଉନସେଲିଂ ଏବଂ ସପୋର୍ଟ ସିଷ୍ଟମ ଉପରେ ଗୁରୁତ୍ଵ ଦେବା ଦରକାର।”

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।ଏହି କାର୍ଯ୍ୟକ୍ରମ ପ୍ରତି ରବିବାର ସକାଳ ୧୦ଟା ୩୦ ମିନିଟରେ ଓଡ଼ିଶାରେ ଥିବା ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେଉଛି। ଏଥିସହ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ବିଭିନ୍ନ ସୋସିଆଲ ଚ୍ୟାନେଲରେ ମଧ୍ୟ ଏକ ସମୟରେ ପ୍ରସାରିତ ହେଉଛି।

Comment