ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢୁଛି। ଏ ପରିସ୍ଥିତିରେ କେବେ ଟିକା ଉପଲବ୍ଧ ହେବ ତା’ ଉପରେ ସମସ୍ତଙ୍କ ନଜର। ଏକାଧିକ ଟିକା ଏବେ ପରୀକ୍ଷଣ ସ୍ଥିତିରେ ରହିଛି। ଏମିତି ପରିସ୍ଥିତିରେ କରୋନା ସମ୍ପର୍କିତ ନୀତି ଆୟୋଗର ବିଶେଷଜ୍ଞ କମିଟିର ଜରୁରୀ ବୈଠକ ଆସନ୍ତାକାଲି ବସିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂତ୍ରରୁ ସୂଚନା ମିଳିଛି। ବିଶେଷଜ୍ଞ କମିଟି ଅଧ୍ୟକ୍ଷ ଡକ୍ଟର ଭି.କେ. ପଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଟିକାକ୍ରୟ, ପରିବହନ ଓ ସାମୂହିକ ଟିକାକରଣ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହେବ। କମିଟି ଟିକା ନିର୍ମାତା, ରାଜ୍ୟ ସରକାର ଓ ଅନ୍ୟ ସମ୍ପର୍କିତ ସଂସ୍ଥା ସହ ଆଲୋଚନା କରିବେ।

ଦେଶରେ କୋଭାକ୍ସିନ, ଯାଇକୋଭ-ଡି ଓ କୋଭିସିଲ୍ଡର ପରୀକ୍ଷଣ ଚାଲିଛି। ଦ୍ୱିତୀୟ ପର୍ଯାୟ ପରୀକ୍ଷଣ ଆରମ୍ଭ ହୋଇସାରିଛି। ପରୀକ୍ଷଣର ପ୍ରାଥମିକ ଫଳାଫଳ ଆଶାଜନକ ରହିଥିବାରୁ, ଖୁବ ଶୀଘ୍ର ପ୍ରଭାବଶାଳୀ ଟିକା ଉପଲବ୍ଧ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏ ପରିସ୍ଥିତିରେ ଆସନ୍ତାକାଲିର ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ନୀତି ଆୟୋଗ ଦ୍ୱାରା ୨ଟି କମିଟି ଗଠନ ହୋଇଛି। ଡକ୍ଟର ପଲଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ୟାନେଲ ଟିକା ତିଆରି ବିଭିନ୍ନ ପର୍ଯ୍ୟାୟ ପରୀକ୍ଷଣ କଥା ବୁଝିବ। ଦ୍ୱିତୀୟ କମିଟି ସାମୂହିକ ଟିକାକରଣ, ଟିକାର ସଂରକ୍ଷଣ ଉପରେ କାମ କରିବ। କାରଣ ବିଭିନ୍ନ ଟିକାର ସଂରକ୍ଷଣ  ତାପମାତ୍ରା ଭିନ୍ନ ଭିନ୍ନ ହୋଇଥାଏ। ମଡର୍ନା ଟିକାକୁ ମାଇନସ ୭୦ ଡିଗ୍ରି ତାପମାତ୍ରାରେ ସଂରକ୍ଷଣ କରିବାର ଆବଶ୍ୟକତା ଥିବା ବେଳେ ଅକ୍ସଫୋର୍ଡ ଓ ଭାରତ ବାୟୋଟେକ ତିଆରି କରୁଥିବା ଟିକା ପାଇଁ ତାର ମାତ୍ରା ଭିନ୍ନ। ଏହି କମିଟି ହିଁ ନିଷ୍ପତ୍ତି ନେବ କେମିତି ଟିକାକରଣ କରାଯିବ ଓ  କାହାକୁ ପ୍ରଥମେ ଦିଆଯିବ।covid testing centers-2

“ସାମୂହିକ ଟିକାକରଣ ପାଇଁ ଟିକା ପ୍ରସ୍ତୁତ ହୋଇସାରିଲେ, ସମସ୍ତଙ୍କୁ ଦିଆଯିବ। ତେବେ ପ୍ରାଥମିକତା ଭିତ୍ତିରେ ପ୍ରଥମେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କଙ୍କୁ ଟିକା ଦିଆଯିବ। ଟିକାକରଣ ଭାଇରସ ସଂକ୍ରମଣରୁ ରକ୍ଷା କରିବ। ଏହାର ଅର୍ଥ ନୁହେଁ ଯେ, ଟିକା ଦେଲେ କରୋନା ଭଲ ହୋଇଯିବ। ତେଣୁ ଯେଉଁମାନେ ସଂକ୍ରମିତ ହୋଇ ନ ଥିବେ ସେମାନଙ୍କୁ କିପରି ସଂକ୍ରମଣରୁ ରକ୍ଷା କରାଯିବ ତାହା ପ୍ରାଥମିକତା ରହିବ। ଯେଉଁମାନେ ସଂକ୍ରମିତ ହୋଇ ସୁସ୍ଥ ହୋଇସାରିଛନ୍ତି, ସେମାନଙ୍କ ଶରୀରରେ ଆଣ୍ଟିବଡି ତିଆରି ହୋଇସାରିଥିବ। ତେବେ ପ୍ରଥମେ କାହାକୁ ପ୍ରଥମେ ଟିକା ଦିଆଯିବ ତାହା ଟିକା ଉପଲବ୍ଧ ହେବା ପରେ ସ୍ପଷ୍ଟ ହେବ”, କହିଛନ୍ତି ବିଶେଷଜ୍ଞ।

Comment