ଓଡ଼ିଶାଲାଇଭ୍‌ ବ୍ୟୁରୋCoronavirus blood test

ଆଗକୁ ରାଜ୍ୟରେ ଦିନକୁ ୧ ଲକ୍ଷ କରୋନା ଟେଷ୍ଟ କରିବାକୁ ହେଉଛି ଯୋଜନା। ଏନେଇ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ୍)ର ନିର୍ଦ୍ଦେଶକ ଅଜୟ ପରିଡ଼ା ଦେଇଛନ୍ତି ସୂଚନା।

‘‘ରାଜ୍ୟରେ ପ୍ରତିଦିନ ବଢ଼ୁଥିବା କରୋନା ସଂକ୍ରମଣ ହାରକୁ ନିୟନ୍ତ୍ରଣ କରିବା ପାଇଁ ଶୀଘ୍ର ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ଆଇସୋଲେଟ୍ କରିବାକୁ ପଡ଼ିବ। ଏଥି ନିମନ୍ତେ ରାପିଡ଼ ଆଣ୍ଟିଜେନ୍ ଟେଷ୍ଟକୁ ବୃଦ୍ଧି କରିବାକୁ ପଡ଼ିବ’’, କହିଛନ୍ତି ଅଜୟ ପରିଡ଼ା।

ଆଜି ରାଜ୍ୟରେ ୩୨ ହଜାର ନମୁନା ପରୀକ୍ଷଣ କରାଯାଇଛି। ଅଗଷ୍ଟ ୨୦ ସୁଦ୍ଧା ଦୈନିକ ୫୦ ହଜାର ଟେଷ୍ଟ କରାଯିବ। ସେହି କ୍ରମରେ ରାଜ୍ୟରେ କରୋନାକୁ ମାତ୍ ଦେବାପାଇଁ ଦୈନିକ ପାଖାପାଖି ୧ ଲକ୍ଷ କରୋନା ଟେଷ୍ଟ କରାଯିବାର ଯୋଜନା ରଖାଯାଇଛି ବୋଲି ସେ କହିଛନ୍ତି।

ଓଡ଼ିଶାରେ କରୋନା ସ୍ଥିତି ଏବେ ହୁ ହୁ ହୋଇ ବଡ଼ୁଛି। ଗଞ୍ଜାମ, ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ବାଲେଶ୍ଵର, ଯାଜପୁର ଆଦି ଜିଲ୍ଲାମାନଙ୍କରୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି। ଏଣୁ ପ୍ରତି ଜିଲ୍ଲାକୁ ଆଣ୍ଟିଜେନ୍ କିଟ୍ ପଠାଯାଉଛି। ଆଣ୍ଟିଜେନ୍ କିଟ୍ ଦ୍ଵାରା ଶୀଘ୍ର ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ଆଇସୋଲେଟ କରାଯିବ।

ଅନ୍ୟପକ୍ଷରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କରୋନା ମୁକାବିଲା ସମୀକ୍ଷା ବୈଠକରେ ରାଜ୍ୟବାସୀଙ୍କୁ ଲକ୍ଷଣ ଦେଖାଗଲେ ସ୍ଵେଚ୍ଛାକୃତଭାବେ ଟେଷ୍ଟ କରାଇବାକୁ ରାଜ୍ୟବାସୀଙ୍କୁ ଆହ୍ଵାନ ଦେଇଛନ୍ତି।

Comment