ଓଡିଶାଲାଇଭ୍ ବ୍ୟୁରୋ

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କୁ ଘରେ ଘରେ ପୂଜା କରାଯାଏ। ଏହାକୁ ଗଣେଶ ଚତୁର୍ଥୀ ବୋଲି କୁହାଯାଏ। ଏହି ଦିନ ଗଣେଶଙ୍କୁ ବିଭିନ୍ନ ପ୍ରକାର ଭୋଗ ଲାଗି ହୁଏ। ସବୁ ଭୋଗ ଭିତରୁ ଗଣେଶଙ୍କ ପ୍ରିୟ ଭୋଗ ହେଉଛି ମୋଦକ ବା ଲଡୁ। ତେବେ ଗଣେଶଙ୍କର ଲଡ଼ୁ ଏତେ ପ୍ରିୟ କାହିଁକି ଜାଣନ୍ତୁ ପୂରା କାହାଣୀ…

ସବୁ ପ୍ରକାର ମିଠା ଭିତରେ ଲମ୍ବୋଦରଙ୍କ ଅତିପ୍ରିୟ ହେଲା ମୋଦକ। ମୋଦକ ବିନା ଗଣେଶଙ୍କ ଆବାହାନ ଅସଂପୂର୍ଣ୍ଣ ବୋଲି ମନେ କରାଯାଏ। କେତେ କ’ଣ ଭୋଗରାଗ ଲାଗିଲେ ବି ମୋଦକ ଭୋଗ ହିଁ ଗଣପତିଙ୍କ ମନକୁ ପ୍ରସନ୍ନ କରିପାରେ। ତେଣୁ କରି ଗଣେଶଙ୍କୁ ‘ମୋଦକପ୍ରିୟ’ ବୋଲି ମଧ୍ୟ ସମ୍ବୋଧନ କରାଯାଏ।ମୋଦକ ପ୍ରସ୍ତୁତି

ପ୍ରଥା ଅନୁଯାୟୀ ୨୧ ପ୍ରକାର ମୋଦକ ପରସାଯାଏ ଲମ୍ବୋଦରଙ୍କୁ ଭୋଗ ଆକାରରେ। ମୋଦକକୁ ଚାଉଳ ଗୁଣ୍ଡ, ଅଟା କିମ୍ବା ମଇଦା ଭିତରେ ନଡ଼ିଆ ଓ ଗୁଡ଼ ମିଶ୍ରିତ ପୂର ଦିଆଯାଇ ପ୍ରସ୍ତୁତ କରାଯାଏ। ଏହା ପରେ ମୋଦକକୁ ଷ୍ଟିମ୍ କରାଯାଏ କିମ୍ବା ଛଣା ହୁଏ। ପରିଶେଷରେ ଏହା ଉପରେ ଶୁଦ୍ଧ ଘିଅର ଏକ ମୋଟା ପରତ ଲଗାଇ ଭୋଗ ଆକାରରେ ପୂଜା ହୁଏ।

ମୋଦକ ପ୍ରିୟ ଗଣେଶ

ତେବେ ଗଣେଶଙ୍କର ମୋଦକ କାହିଁକି ପ୍ରିୟ? ଏହାକୁ ନେଇ କେତେକ କାହାଣୀ ବର୍ଣ୍ଣିତ। ପୌରାଣିକ କଥା ବର୍ଣ୍ଣିତ ତଥ୍ୟ ଅନୁଯାୟୀ, ଅନୁସୟା (ୠଷି ଅଟ୍ରିଙ୍କ ସ୍ତ୍ରୀ) ଭଗବାନ ଶିବ, ମାତା ପାର୍ବତୀ ଓ ଗଣେଶଙ୍କୁ ଆଶୀର୍ବାଦ ପାଇବା ଆଶାରେ ନିଜ କୁଟୀରକୁ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରିତ ଅତିଥିଙ୍କୁ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଖାଇବା ପାଇଁ ଦେଲେ। କିନ୍ତୁ ଗଣେଶଙ୍କ ପେଟ ପୂରିଲା ନାହିଁ। ଯାହା ପରଶାଗଲା ସବୁ ଖାଇ ଯାଉଥିଲେ। ଭଗବାନ ଶିବ ଓ ମାତା ପାର୍ବତୀ କାହାରିକୁ କିଛି ମିଳୁ ନଥିଲା ଖାଇବାକୁ। ପରିଶେଷରେ ଗଣେଶଙ୍କୁ ମିଠାରେ ମୋଦକ ଖାଇବାକୁ ଦିଆଗଲା। ଯାହା ଖାଇବା ପରେ ତାଙ୍କ ପେଟ ପୂରିଥଇଲା। ସେ ସନ୍ତୁଷ୍ଟ ହୋଇଯାଇଥିଲେ। ଏହା ଦେଖି ମାତା ପାର୍ବତୀ ଜାଣିବାକୁ ଚାହିଁଲେ ସେହି ମିଠା ବିଷୟରେ ଆଉ ମୋଦକ ତିଆରି କରିବା ବିଧି ଶିଖିଥିଲେ।କିନ୍ତୁ ପଦ୍ମପୁରାଣରେ ଗଣେଶଙ୍କ ମୋଦକ ପ୍ରିୟ ହେବା ପଛରେ ଅନ୍ୟ ଏକ କାହାଣୀ ରହିଛି। ଦିନେ ସମସ୍ତ ଦେବୀ ଦେବତା ମିଶି ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ଭେଟ କରିବା ପାଇଁ କୈଳାଶ ପର୍ବତ ଯାଇଥିଲେ। ସେମାନେ ଏକ ଅଲୌକିକ ମିଠା ମୋଦକ ଭେଟ ସ୍ଵରୂପ ସାଥୀରେ ନେଇଥିଲେ। ଏହାକୁ ଖାଇବା ବ୍ୟକ୍ତି ଶାସ୍ତ୍ର, କଳା, ବିଜ୍ଞାନ, କଳା ଓ ଲେଖନୀରେ ପାରଙ୍ଗମ ଓ ବୁଦ୍ଧିମାନ ହୋଇପାରିବ ବୋଲି କହିଥିଲେ।

ଏହା ଶୁଣି ମାତା ପାର୍ବତୀ ଏହାକୁ ଦୁଇ ପୁଅ କାର୍ତ୍ତିକ ଓ ଗଣେଷଙ୍କ ଭିତରେ ସମାନ ଭାଗ ବାଣ୍ଟି ଦେବେ ବୋଲି ଭାବିଲେ। କିନ୍ତୁ ଦୁଇ ଭାଇ ଏହାକୁ ଭାଗ କରିବାକୁ ପ୍ରସ୍ତୁତ ହେଲେ ନାହିଁ। ତେଣୁ ପାର୍ବତୀ ଏକ ଉପାୟ ଖୋଜି ବାହାର କଲେ। ଯିଏ ଯେତେ ଅଳ୍ପ ସମୟ ମଧ୍ୟରେ ପୃଥିବୀ ପରିକ୍ରମା କରି ଆସିବ ସେ ହେବ ଶ୍ରେଷ୍ଠ। ଆଉ ତାକୁ ହିଁ ପୁରସ୍କାର ସ୍ଵରୂପ ମିଳିବ ଏହି ମୋଦକ।

ଏହା ଶୁଣି କାର୍ତ୍ତିକ ନିଜ ବାହାନରେ ବସି ତୁରନ୍ତ ପୃଥିବୀ ପରିକ୍ରମା କରିବାକୁ ବାହାରି ଗଲେ। କିନ୍ତୁ ଗଣେଶ ଥିଲେ ଅତ୍ୟନ୍ତ ବୁଦ୍ଧମାନ। ସେ ଶିବ-ପାର୍ବତୀଙ୍କ ଚାରିପାଖେ ପରିକ୍ରମା କରିଥିଲେ। ପୃଥିବୀର କୌଣସି ସ୍ଥାନ ପିତା-ମାତାଙ୍କ ସହିତ ସମାନ ହୋଇପାରିବ ନାହିଁ। ଏହା ଶୁଣି ପାର୍ବତୀ ଖୁସି ହୋଇ ଗଣେଶଙ୍କୁ ମୋଦକ ପୁରସ୍କାର ସ୍ଵରୂପ ଦେଇଥିଲେ।BGUମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ ଓ ଗୋଆରେ ଗଣେଷ ପୂଜା ଖୁବ୍ ଧୁମ୍‌ଧାମ୍ ରେ ପାଳନ କରାଯାଏ। ବିଭିନ୍ନ ଜାଗାରେ ମୋଦକର ଅଲଗା ଅଲଗା ନାମ ରହିଛି। ଯେପରିକି ତାମିଲ ଭାଷାରେ ‘କୋଜାକାଟାଇ’, କନ୍ନଡରେ ‘ମୋଦକ ବା କଡୁବୁ’ ଏବଂ ତେଲୁଗୁ ଭାଷାରେ ଏହାକୁ ‘କୁଡୁମୁ’ ବୋଲି କୁହାଯାଏ।

LEAVE A REPLY

Please enter your comment!
Please enter your name here