ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’
  • କରୋନା ସଚେତନତା ଓ କୋଭିଡ୍ ଯୋଦ୍ଧାଙ୍କ କାହାଣୀକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
  • ଏଥରର ଅଧ୍ୟାୟରେ ଆପଣମାନେ ଶୁଣିବେ ‘ଆପଣଙ୍କ ମତାମତ’

କୋଭିଡ୍-୧୯ ମହାମାରୀ ଜନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି। କେବଳ ଓଡ଼ିଶା ନୁହେଁ, ସାରା ବିଶ୍ୱ ବର୍ତ୍ତମାନ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି। ଏଭଳି ଏକ ସମୟରେ ଲୋକମାନଙ୍କୁ ସଚେତନ ଓ କୋଭିଡ୍ ଯୋଦ୍ଧାଙ୍କ ଅନୁଭୂତି ଶୁଣାଇବା ପାଇଁ ଆରମ୍ଭ ହୋଇଥିଲା ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ୧୨ଟି ଅଧ୍ୟାୟ ଅତିକ୍ରମ କରି ‘କେତେ ନୂଆ ବାଟ’ ଶେଷ ଅଧ୍ୟାୟରେ ପହଞ୍ଚିଛି। ଆସନ୍ତା ରବିବାର ଅଗଷ୍ଟ ୨୩ ତାରିଖରେ ଏହାର ଶେଷ ଅଧ୍ୟାୟ ଆକାଶବାଣୀରେ ପ୍ରସାରିତ ହେବ।

ଏଥରର ଅଧ୍ୟାୟରେ ଆପଣମାନେ ଶୁଣିବେ ‘କେତେ ନୂଆ ବାଟ’କୁ ନେଇ କ’ଣ ରହିଛି ଆପଣଙ୍କ ମତାମତ।ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କ୍ୟାମ୍ପେନ ‘କେତେ ନୂଆ ବାଟ’ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହେଉଛି। ଏହାଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍, ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ଏହା ମଧ୍ୟ ଏକ ସମୟରେ ପ୍ରସାରଣ କରାଯାଉଛି।

ଏଥର ‘କେତେ ନୂଆ ବାଟ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ୟୁନିସେଫର କମ୍ୟୁନିକେସନ, ଆଡଭୋକେସି ଆଣ୍ଡ ପାର୍ଟନରସିପ ସ୍ପେସାଲିଷ୍ଟ ରାଧିକା ଶ୍ରୀବାସ୍ତବ, ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ମିଡିଆ ବିଭାଗର ମୁଖ୍ୟ ଡକ୍ଟର ଫକୀର ମୋହନ ନାହାକ, ବିଶିଷ୍ଠ ଶିକ୍ଷାବିତ ଓ ଲେଖକ ଦାଶ ବେନହୁର, ୟୁଏନ୍ କଲେଜର ସେଣ୍ଟର୍ ଫର୍ ଓମେନ୍ସ ଷ୍ଟଡିଜର ନିର୍ଦ୍ଦେଶିକା ଡକ୍ଟର ହିରଣ୍ମୟୀ ମିଶ୍ର, ନାଲକୋ ମହିଳା ସମିତିର ଅଧ୍ୟକ୍ଷା ସସ୍ମିତା ପାତ୍ର ଏବଂ ‘କେତେ ନୂଆ ବାଟ’ କାର୍ଯ୍ୟକ୍ରମର ପ୍ରଯୋଜକ ତଥା ଓଡ଼ିଶାଲାଇଭର ସମ୍ପାଦକ ନୀଳାମ୍ବର ରଥ।

“ଏପ୍ରିଲ ଓ ମେ ମାସ ବେଳକୁ ଲୋକମାନେ ଭୟଭୀତ ଅବସ୍ଥାରେ ଥିଲେ। ଲୋକମାନେ କ’ଣ କରିବେ ତାହା ମଧ୍ୟ ଜାଣିପାରୁନଥିଲେ। ଏଭଳି ସମୟରେ ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ ଆରମ୍ଭ ହୋଇଥିଲା। ଏହି ଧାରାବାହିକରେ ଡାକ୍ତରଙ୍କଠାରୁ ଆରମ୍ଭ କରି ଛୋଟ ପିଲା, ଅଙ୍ଗନୱାଡି କର୍ମୀ, ସଫେଇ କର୍ମଚାରୀ, ସରପଞ୍ଚ ଓ କରୋନା ଯୋଦ୍ଧାମାନେ ନିଜର ଅନୁଭୂତି କହିଥିଲେ। ଯାହାକୁ ଲୋକମାନେ ପସନ୍ଦ କରିବା ସହିତ ଏହାକୁ ସଫଳ କରିଛନ୍ତି” ,କହିଛନ୍ତି ୟୁନିସେଫର କମ୍ୟୁନିକେସନ, ଆଡଭୋକେସି ଆଣ୍ଡ ପାର୍ଟନରସିପ ସ୍ପେସାଲିଷ୍ଟ ରାଧିକା ଶ୍ରୀବାସ୍ତବ।

ସେହିପରି ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ, କୋଭିଡ୍ ଆମକୁ ଏକ ନୂଆ ସୁଯୋଗ ଦେଇଛି ଯେଉଁଥିରେ ଆମେ କିଛି ନୂଆ ନୂଆ ବାଟ ଖୋଜିବାକୁ ଚେଷ୍ଟା କରୁଛୁ। ଏଭଳି କିଛି ନୂଆ ବାଟକୁ ଆପଣେଇଲେ ଆମେ ସମସ୍ତେ ସବୁକିଛି କାମ କରିପାରିବା ବୋଲି ଲୋକଙ୍କୁ ବୁଝାଇବାକୁ ପଡ଼ିବ।

ଅନ୍ୟପଟେ କେତେ ନୂଆ ବାଟ ଟିମର ଏଭଳି ଭାବନାକୁ ପ୍ରଂଶସା କରି ଚଣ୍ଡୀଗତ ବିଶ୍ୱବିଦ୍ୟାଳୟର ମିଡିଆ ବିଭାଗର ମୁଖ୍ୟ ଡକ୍ଟର ଫକୀର ମୋହନ ନାହାକ କହିଛନ୍ତି, “କେତେ ନୂଆ ବାଟ କାର୍ଯ୍ୟକ୍ରମକୁ ବିକାଶମୂଳକ ସାମ୍ବାଦିକତାର ଏକ ଭଲ ଉଦାହରଣ କହିପାରିବା। ଏଥିରେ କୋଭିଡ୍ ଯୋଦ୍ଧାମାନଙ୍କର ଅନୁଭୂତି, ଅଭିଜ୍ଞତା ଓ ଅଙ୍ଗେନିଭା କଥା ସ୍ଥାନ ପାଇଛି। ଏହାଦ୍ୱାରା କୋଭିଡ୍ ଯୋଦ୍ଧାମାନେ ଉତ୍ସାହିତ ହେବା ସହିତ ଏହାକୁ ଶୁଣି ସାଧାରଣ ଲୋକମାନେ ମଧ୍ୟ ନିସ୍ୱାର୍ଥପର ଭାବେ କାମ କରିବାକୁ ଆଗଭର ହେବେ।”

ଓଡ଼ିଶାଲାଇଭ୍ ଓ ୟୁନିସେଫର ଏହି କାର୍ଯ୍ୟକ୍ରମମାନଙ୍କରେ ପିଲାମାନଙ୍କୁ କିଭଳି ରଚନାତ୍ମକ ଦିଗପ୍ରତି ଆହୁରି ଅଧିକ ଜଡ଼ିତ କରିହେବ ସେବିଷୟରେ ବର୍ଣ୍ଣନା କରାଯାଇଛି ବୋଲି କହିଛନ୍ତି ବିଶିଷ୍ଟ ଶିକ୍ଷାବିତ ଓ ଲେଖକ ଦାଶ ବେନହୁର।

“ସମଗ୍ର ବିଶ୍ୱ ଏବେ ଏକ ସଙ୍କଟ ଦେଇ ଗତି କରୁଛି। ଅତୀତରେ ମଧ୍ୟ ଏଭଳି ଅନେକ ଆହ୍ୱାନ ଆସିଛି ଆଉ ଯାଇଛି। ମାନବ ସମାଜ ପ୍ରତିଥର ଏଭଳି ଆହ୍ୱାନ ଦେଇ ଗତି କରିଛି। ଅନ୍ଧାରର ଯେତେ ଦୀର୍ଘ ହେଲେ ବି ଦିନେ ନା ଦିନେ ଆଲୋକ ଆସିବ। ତେଣୁ ଆମେ ସମସ୍ତେ ଆଶାବାନ ହେବା ଉଚିତ୍”, କହିଛନ୍ତି ୟୁଏନ୍ କଲେଜର ସେଣ୍ଟର ଫର୍ ଓମେନ୍ସ ଷ୍ଟଡିଜର ନିର୍ଦ୍ଦେଶିକା ଡକ୍ଟର ହିରଣ୍ମୟୀ ମିଶ୍ର।

ଓଡ଼ିଶାର ନବରତ୍ନ କମ୍ପାନି, ନାଲକୋର ପ୍ରମୁଖ ସଙ୍ଗଠନ ‘ନାଲକୋ ମହିଳା ସମିତି’ର ଅଧ୍ୟକ୍ଷା ସସ୍ମିତା ପାତ୍ର କହିଛନ୍ତି, “ଆର୍ମିରେ ଭର୍ତ୍ତି ହେବା ପରେ ପ୍ରଥମ ଦିନର ଟ୍ରେନିଂ ବନ୍ଧୁକ ଚାଳନା କିମ୍ବା ପରେଡରୁ ହୋଇନଥାଏ। ପୂର୍ବରାତିରେ ସୈନିକମାନେ ଯେଉଁ ବିଛଣାରେ ଶୋଇଥିଲେ ତାକୁ ସେମାନେ କିଭଳି ସଜେଇ ରଖିଛନ୍ତି ସେଥିରୁ ହିଁ ତାଙ୍କର ଟ୍ରେନିଂ ଆରମ୍ଭ ହୁଏ। ସେହିଭଳି ଭାବରେ ନୂଆ ନୂଆ ଉପାୟରେ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ରଖିବା ଏବଂ ଡାକ୍ତର ଓ ପୋଲିସ୍ କର୍ମୀଙ୍କ ସାକ୍ଷାତକାର ଶୁଣିବା ମଧ୍ୟ ଲୋକଙ୍କ ମନରୁ ଅନେକ ପ୍ରକାରର ବିଭ୍ରାନ୍ତିକର କଥା ଦୂରେଇ ଦେଉଛି। ଏହି ପ୍ରୟାସ ଅତ୍ୟନ୍ତ ସ୍ୱାଗତଯୋଗ୍ୟ।

”ଓଡ଼ିଶାରେ କୋଭିଡ୍ ମୁକାବିଲା ବାବଦରେ ସୂଚନା ଦେବା ସହିତ ଲୋକଙ୍କୁ ସଚେତନ କରିବା ଓ କୋଭିଡ୍ ଯୁଦ୍ଧର ବିଭିନ୍ନ ଯୋଦ୍ଧାଙ୍କୁ ଶୁଣିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଥିଲା। ଏଭଳି କାର୍ଯ୍ୟକ୍ରମ ପାଇଁ ୟୁନିସେଫ୍ ସହଯୋଗର ହାତ ବଢ଼ାଇଥିବାରୁ ୟୁନିସେଫ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ‘କେତେ ନୂଆ ବାଟ’ କାର୍ଯ୍ୟକ୍ରମର ପ୍ରଯୋଜକ ତଥା ଓଡ଼ିଶାଲାଇଭର ସମ୍ପାଦକ ନୀଳମ୍ବର ରଥ। ଏଥିସହିତ ୟୁନିସେଫର କମ୍ୟୁନିକେସନ, ଆଡଭୋକେସି ଆଣ୍ଡ ପାର୍ଟନରସିପ ସ୍ପେସାଲିଷ୍ଟ ରାଧିକା ଶ୍ରୀବାସ୍ତବ ଓ ୟୁନିସେଫ ଓଡ଼ିଶାର ମୁଖ୍ୟ ମୋନିକା ନେଲସନଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି।

ଶେଷରେ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡକ୍ଟର ଅରୁଣ କୁମାର ପ୍ରହରାଜ ମଧ୍ୟ କେତେ ନୂଆ ବାଟକୁ ନେଇ ନିଜର ଅନୁଭୂତି ବାଣ୍ଟିଛନ୍ତି। ତାଙ୍କ ସହିତ ରେଡିଓର କିଛି ନିୟମିତ ଶ୍ରୋତା ମଧ୍ୟ ‘କେତେ ନୂଆ ବାଟ’କୁ ନେଇ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଛନ୍ତି।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଥିଲା ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏଥିରେ କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି ସ୍ଥାନ ପାଇଥିଲା।

‘କେତେ ନୂଆ ବାଟ’ର ୧୩ଟି ଅଧ୍ୟାୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ନିଆଯାଇଥିଲା। ତା’ ମଧ୍ୟରେ ରହିଥିଲା ଲକ୍‌ଡାଉନ୍‌ ସମୟରେ ପିଲାଙ୍କ ଭଲମନ୍ଦର କଥା, ଶିକ୍ଷା, ସ୍ୱାସ୍ଥ୍ୟ, ଯୁବପିଢ଼ି ଓ ଭେଦଭାବ ଭଳି ସାମାଜିକ ପ୍ରସଙ୍ଗ। ଏହିସବୁ ବିଷୟ ଉପରେ ବିଶେଷଜ୍ଞମାନଙ୍କ ମତ ଉପସ୍ଥାପନ କରାଯାଇ ଏକ ବ୍ୟାପକ ସଚେତନତା ପାଇଁ ଉଦ୍ୟମ ଆରମ୍ଭ କରାଯାଇଥିଲା ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ପ୍ରଯୋଜକ ଓ ନିର୍ଦ୍ଦେଶକ ଅଛନ୍ତି। ସେହିପରି ନଳିନୀକାନ୍ତ ବିଶ୍ୱାଳ ଏହାର ଉପସ୍ଥାପନା କରୁଥିବା ବେଳେ ସହ ଉପସ୍ଥାପିକା ଅଛନ୍ତି ପଦ୍ମାବତୀ ଦ୍ୱିବେଦୀ। ‘କେତେ ନୂଆ ବାଟ’ କାର୍ଯ୍ୟକ୍ରମ ଆକାଶବାଣୀ କଟକ, ସମ୍ବଲପୁର ଏବଂ ଜୟପୁର ଭଳି ମୁଖ୍ୟ ଷ୍ଟେସନ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଅଳ୍ପ କ୍ଷମତା ସମ୍ପନ୍ନ କେନ୍ଦ୍ରରୁ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ପ୍ରସାରିତ ହେଉଛି।

Comment