ଓଡ଼ିଶାଲାଇଭ୍ ବ୍ୟୁରୋ

କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ପାଳିତ।

  • ଓୟୁଏଟିର ୫୯ତମ ପ୍ରତିଷ୍ଠା ଦିବସ ପାଳନ
  • ନୂତନ ଚାଷ ପ୍ରଣାଳୀ ଓ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗ ଉପରେ ଗୁରୁତ୍ଵ
  • ବିଶ୍ୱର ଖାଦ୍ୟ ସୁରକ୍ଷା ପୂରଣ ଦିଗରେ କୃଷିର ଭୂମିକା ଉପରେ ଆଲୋଚନା
  • ଛାତଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ପ୍ରୟୋଗାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଛି ଓୟୁଏଟି

ବର୍ଦ୍ଧିତ ଜନସଂଖ୍ୟାର ଖାଦ୍ୟ ଚାହିଦାକୁ ପୂରଣ କରିବା ପାଇଁ କୃଷି କ୍ଷେତ୍ରରେ ନୂତନ ଚାଷ ପ୍ରଣାଳୀ ଓ ବୈଜ୍ଞାନିକ ଜ୍ଞାନକୌଶଳର ପ୍ରୟୋଗ ଆବଶ୍ୟକ। ସୀମିତ ଚାଷ ଜମିରୁ ଅଧିକ ଖାଦ୍ୟ ପଦାର୍ଥ ଉତ୍ପାଦନର ଜ୍ଞାନ କୌଶଳ ପ୍ରୟୋଗ ଏବଂ ଓଡ଼ିଶା ପରି ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ପରିବେଶ ଅନୁକୂଳ ଚାଷ କାର୍ଯ୍ୟ ପାଇଁ ଅଧିକ ଗବେଷଣା କ୍ଷେତ୍ରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରମୁଖ ଭୂମିକା ରହିଛି। କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ୫୯ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଏହା କହିଛନ୍ତି।

ଡକ୍ଟର ସାହୁ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତି ମୁହୂର୍ତ୍ତରେ ଯେତେବେଳେ ମଣିଷର ଜ୍ଞାନର ଭଣ୍ଡାରର ପରିସୀମା ବୃଦ୍ଧି ପାଉଛି, ଠିକ୍‌ ସେତିକିବେଳେ ମାନବ ସମାଜ ନୂତନ ଆହ୍ୱାନର ମଧ୍ୟ ସମ୍ମୁଖୀନ ହେଉଛି। ବର୍ତ୍ତମାନ ମଣିଷ ସମାଜ କୋଭିଡ-୧୯ ପରି ଏକ ଜଟିଳ ପରିସ୍ଥିତି ଦେଇ ଗତି କରୁଥିବା ବେଳେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଜନସାଧାରଣଙ୍କ ମୌଳିକ ଚାହିଦା ମେଣ୍ଟାଇବା ସହିତ ସେମାନଙ୍କୁ ରୋଜଗାର ଦେବାରେ ସକ୍ଷମ ହୋଇଛି।ରାଜ୍ୟର ଦ୍ରୁତ ବିକାଶ ନିମନ୍ତେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସହିତ ଜଡ଼ିତ ୭୦ ପ୍ରତିଶତରୁ ଅଧିକ ଲୋକଙ୍କର ଆୟ ବୃଦ୍ଧି କରିବା ଆବଶ୍ୟକ। କୃଷକମାନଙ୍କର ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଥିବା ବେଳେ ଆଧୁନିକ ଜ୍ଞାନକୌଶଳ ଉଦ୍ଭାବନ ଓ ଏହାକୁ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ନିଷ୍ଠା ଓ ଆନ୍ତରିକତାର ସହିତ କାର୍ଯ୍ୟ କରିବାକୁ ମନ୍ତ୍ରୀ କହିଛନ୍ତି। ଏଥିସହିତ କୃଷି କ୍ଷେତ୍ରରେ କୋଭିଡ୍‌-୧୯ ପୂର୍ବର ସ୍ଥିତି ଓ ପରବର୍ତ୍ତୀ ସ୍ଥିତି ସମ୍ପର୍କରେ କୃଷି ବିଶ୍ୱବିଦ୍ୟାଳୟ ଗବେଷଣା କରି ନିର୍ଯାସ ବାହାର କରିପାରିଲେ ଏହା ଭବିଷ୍ୟତରେ ନୀତି ନିର୍ଦ୍ଧାରଣ ପାଇଁ ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ନେବ୍ରାସ୍କା ଲିଙ୍କନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ପି.ଷ୍ଟିଫେନ ବେନଜିଗର ଏବଂ ପ୍ରଫେସର ଚିତ୍ତରଞ୍ଜନ ରାୟ ପ୍ରମୁଖ ଯୋଗଦେଇ ବିଶ୍ୱର ଖାଦ୍ୟ ସୁରକ୍ଷା ପୂରଣ ଦିଗରେ କୃଷିର ଭୂମିକା ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ। ଏ ଦିଗରେ ହାଇବ୍ରିଡ୍ ଗହମ ଉତ୍ପାଦନ ଓ ଜଳସେଚନର ଉପଯୋଗିତା ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ।BGUଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ପବନ କୁମାର ଅଗ୍ରୱାଲ ପୌରହିତ୍ୟ କରିଥିଲେ। ଏହି ଅବସରରେ ସେ କୃଷି ଓ ଆନୁଷଙ୍ଗିକ ଶିକ୍ଷା କ୍ଷେତ୍ରରେ ମାନବୃଦ୍ଧି ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିଛନ୍ତି। ସାଂପ୍ରତିକ ସ୍ଥିତିର ଚାହିଦା ଅନୁଯାୟୀ ପାଠ୍ୟ ଖସଡ଼ା ଓ ଶିକ୍ଷାଦାନ ପ୍ରଣାଳୀରେ ପରିବର୍ତ୍ତନ କରାଯାଇଛି। ଏଥିସହିତ ଛାତଛାତ୍ରୀମାନଙ୍କ ଦକ୍ଷତା ବିକାଶ ପାଇଁ ପ୍ରୟୋଗାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଡକ୍ଟର ଅଗ୍ରୱାଲ କହିଛନ୍ତି।

ଉତ୍ସବ ଆରମ୍ଭରେ କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସଞ୍ଜୟ କୁମାର ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ କୃଷି ବିଶ୍ୱବିଦ୍ୟାଳୟର ସମ୍ପ୍ରସାରଣ ଶାଖାର ଡିନ୍ ପ୍ରଫେସର ଲଳିତ ମୋହନ ଗଡ଼ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ପୁସ୍ତକ, ନିଉଜ୍‌ଲେଟର, ସୂଚନା ପୁସ୍ତିକା ସହିତ ସିଡି ଆଦିର ଶୁଭ ଉନ୍ମୋଚନ କରାଯାଇଥିଲା।

Comment