ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର(ଆର୍ଡିସି) ଅନିଲ କୁମାର ସାମଲ ମଙ୍ଗଳବାର ନୟାଗଡ଼ ଜିଲ୍ଲା ଗସ୍ତରେ ଆସି କୋଭିଡ୍ ପରିଚାଳନା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆର୍ଡିସି ପ୍ରଥମେ ନୟାଗଡ଼ ସର୍କିଟ ହାଉସଠାରେ ପହଞ୍ଚି ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ କରୋନା ମୁକାବିଲା ନେଇ ସରକାରୀ ଗାଇଡଲାଇନର କାର୍ଯ୍ୟକାରିତା ସଂପର୍କରେ ପଚାରି ବୁଝିଛନ୍ତି।
ଜିଲ୍ଲାରେ କରୋନା ସଂକ୍ରମଣ ରୋକିବା ପାଇଁ ନିଆ ଯାଉଥିବା ପଦକ୍ଷେପ ବିଷୟରେ ଜିଲ୍ଲାପାଳ ଡକ୍ଟର ପୋମା ଟୁଡ଼ୁ ଆରଡିସିଙ୍କୁ ଅବଗତ କରାଇଛନ୍ତି। କୋଭିଡ୍ କେୟାର ସେଣ୍ଟରଗୁଡ଼ିକରେ ଚାଲିଥିବା ଆଣ୍ଟିଜେନ୍ ଟେଷ୍ଟ ସଠିକ ଭାବେ ହେଉଛି କି ନାହି ସେ ସଂପର୍କରେ ଆରଡିସି ତଥ୍ୟ ସଂଗ୍ରହ କରିଛନ୍ତି। ଏଥିସହ ଜିଲ୍ଲାର କିଛି କେନ୍ଦ୍ର ପରିଦର୍ଶନ କରି କାର୍ଯ୍ୟରେ ନିୟୋଜିତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହ ସେ ପ୍ରତ୍ୟକ୍ଷ ଭାବେ ଆଲୋଚନା କରିଛନ୍ତି।ଅଧିକାରୀମାନଙ୍କ ସହ ଆଲୋଚନା ବେଳେ ପ୍ଳାଜମା ଦାନ କରୁଥିବା ବ୍ୟକ୍ତିଙ୍କୁ ଉତ୍ସାହିତ କରିବାକୁ ଆର୍ଡିସି ଗୁରୁତ୍ୱ ଦେଇଛନ୍ତି। ବିଶେଷକରି କରୋନା ପଜିଟିଭ୍ ଆରୋଗ୍ୟ ବ୍ୟକ୍ତିଙ୍କଠାରୁ ଅଧିକରୁ ଅଧିକ ସଂଖ୍ୟାରେ ପ୍ଲାଜମା ସଂଗ୍ରହ କରିବାକୁ ସେ ପରାମର୍ଶ ଦେଇଛନ୍ତି।ଆର୍ଡିସିଙ୍କ ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରାୟ, ସିଡିଏମଓ ରଞ୍ଜିତା ବିଶ୍ୱାଳ, ଉପ-ଜିଲ୍ଲାପାଳ ଲଗ୍ନଜିତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।