ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଭାଷା ସାହିତ୍ୟକୁ ନୂତନ ଦିଗଦର୍ଶନ ଦେବାରେ ତଥା ଓଡ଼ିଆ ଜାତିକୁ ସଂସ୍କୃତି ସମ୍ପନ୍ନ କରିବାରେ ନିଜ ଜୀବନକୁ ଉତ୍ସର୍ଗ କରଦେଇଥିଲେ ଅତିବଡ଼ୀ ଜଗନ୍ନାଥ ଦାସ।

ଅତିବଡ଼ୀ ଜଗନ୍ନାଥ ଦାସ, ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ ମଧ୍ୟରୁ ଜଣେ। ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ତାଙ୍କୁ ‘ଅତିବଡ଼ୀ’ ଡାକୁଥିଲେ। ରାଧାଷ୍ଟମୀ ତିଥିରେ ଏହି ମହାନ ସାରସ୍ୱତ ସାଧକ ପୁରୀରେ ଜନ୍ମ ହୋଇଥିଲେ। ସବୁ ବର୍ଷ ପରି ଏବର୍ଷ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କର ଜୟନ୍ତୀ ପାଳନ କରାଯାଇଛି।

ମାତ୍ର ଏଥର କରୋନା ମହାମାରୀ ଯୋଗୁଁ ଜୟନ୍ତୀ ସମାରୋହ ଓ୍ୱେବିନାର ମାଧ୍ୟମରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

‘‘ମଧ୍ୟଯୁଗୀୟ ଓଡ଼ିଆ ଭାଷା ସାହିତ୍ୟ ପାଇଁ ଯେଉଁ ସଂସ୍କାରବାଦୀ ଓ ସୃଜନଶୀଳ କବିମାନଙ୍କର ଅବଦାନ ରହିଥିଲା ସେମାନଙ୍କ ମଧ୍ୟରୁ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଓଡ଼ିଆ ସାହିତ୍ୟ ଇତିହାସରେ ପଞ୍ଚସଖା ଯୁଗର ଏହି ଅନ୍ୟତମ ସାଧକ ବହୁ ଯଶ ଓ ସମ୍ମାନର ଅଧିକାରୀ। ମହାପ୍ରଭୁଙ୍କ ପରମ ସେବକ ଜଗନ୍ନାଥ ଦାସ ଜଣେ ପ୍ରବୀଣ କବି ଥିଲେ। ଓଡ଼ିଆ ଭାଷା ସାହିତ୍ୟକୁ ନୂତନ ଦିଗଦର୍ଶନ ଦେବାରେ ତଥା ଓଡ଼ିଆ ଜାତିକୁ ସଂସ୍କୃତି ସମ୍ପନ୍ନ କରିବାରେ ସେ ତାଙ୍କ ଜୀବନକୁ ଉତ୍ସଗ କରିଥିଲେ’’, କହିଛନ୍ତି  ପର୍ଯ୍ୟଟନ ଏବଂ  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।

ସେ ଆହୁରି ମଧ୍ୟ କହିଛନ୍ତି,‘‘ମହାପୁରୁଷ ଜଗନ୍ନାଥ ଦାସଙ୍କ ସାଧନା ତ୍ୟାଗ, ସଂସ୍କାର, ନିଷ୍ଠା ଯୁଗେ ଯୁଗେ ଓଡ଼ିଆ ଜାତିପାଇଁ ସର୍ବଦା ସ୍ମରଣୀୟ ରହିବ’’।

‘‘ଷୋଡ଼ଶ ଶତାବ୍ଦୀର କବି ଜଗନ୍ନାଥ ଦାସ ପଞ୍ଚସଖାଙ୍କଠାରୁ ଅନ୍ୟତମ। ସେ ଜଣେ ଉଚ୍ଚକୋଟୀର ସଂସ୍କୃତ ପଣ୍ଡିତ ଥିଲେ। ତାଙ୍କ ଓଡ଼ିଆ ଭାଗବତ ମୂଳ ସଂସ୍କୃତ ଭାବଗତର ଅନୁବାଦ ହେଲେ ମଧ୍ୟ ନୂତନ କାବ୍ୟ ନିର୍ମାଣ ଏହାର ଅନ୍ୟତମ ପରିଚୟ। ଓଡ଼ିଆ ଭାଷାକୁ ସ୍ୱଚ୍ଛ ଓ ପରିଚ୍ଛନ କରିବା ପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଥିଲା ତାହାର ଶେଷ ପରିଣତି ଥିଲା ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ। ସ୍ୱଳ୍ପ ଶବ୍ଦରେ ବିରାଟ ଚିତ୍ରପଟ୍ଟ ନିର୍ମାଣ କରିବାରେ ପ୍ରବୀଣ ଥିଲେ ଜଗନ୍ନାଥ ଦାସ। ଓଡ଼ିଆ ସାହିତ୍ୟର ପ୍ରଥମ ଭାଷା ସଂସ୍କାରକ ଅତିବଡ଼ୀ ଜଗନ୍ନାଥ ଦାସଙ୍କ କୃତି ସବୁ ଓଡ଼ିଆଙ୍କ ମନରେ ଅମର। ତାଙ୍କ ନାମରେ ନାମିତ ହୋଇଛି ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ।

‘‘ବିଶ୍ୱ ଇତିହାସରେ ଏମିତି ଏକ ଗ୍ରନ୍ଥ ଯାହା ଗୋଟିଏ ନିର୍ଦ୍ଦିଷ୍ଟ ଜାତି ଦ୍ୱାରା ୫୦୦ ବର୍ଷ ଧରି ପ୍ରତିଦିନ ପାଠ କରାଯାଉଛି। ଏହି ଗ୍ରନ୍ଥର ନାଁ ହେଲା ଭାଗବତ। ଅତିବଡ଼ୀ ଜଗନ୍ନାଥ ଦାସ ହେଉଛନ୍ତି ଏହାର ଲେଖକ। ଓଡ଼ିଶାରେ ଜଗନ୍ନାଥ ଦାସଙ୍କ ଏହି ଗ୍ରନ୍ଥକୁ ପୂଜା କରାଯାଏ। ଏହି ଗ୍ରନ୍ଥର ଜନ୍ମଦିନ ପାଳନ କରାଯାଏ। ଏ ହେଉଛି ଓଡ଼ିଆ ଭାଗବତର ବିଶେଷତ୍ୱ। ଆମ ଭାଷାକୁ ବଞ୍ଚାଇ ରଖିଛି ଭାଗବତ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଯେତେବେଳେ ମଧୁସୂଦନ ଦାସ ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ଆନ୍ଦୋଳନ କରିଥିଲେ ସେତେବେଳେ ସେ କହିଥିଲେ ଭୂଖଣ୍ଡର ଭିତ୍ତି ହେଉଛି ଭାଷା। ଅର୍ଥାତ ଯେଉଁଠି ଓଡ଼ିଆ କୁହାଯାଏ ସେଇଟା ଓଡ଼ିଶା। ଭାଗବତ ମାଧ୍ୟରେ ଓଡ଼ିଆ ଭାଷା ବଞ୍ଚି ରହିଥିବାରୁ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ଉଭା ହେଲା’’।

୨ ବର୍ଷ ପୂର୍ବରୁ  ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଜଗନ୍ନାଥ ଦାସଙ୍କ ଜନ୍ମସ୍ଥାନ କପିଳେଶ୍ୱରପୁର, କର୍ମସ୍ଥାନ ସାତଲହରୀ ମଠ ଓ ଭୁବନେଶ୍ୱରରେ ୨ ଦିନ ବ୍ୟାପୀ ତାଙ୍କ ଜୟନ୍ତୀ ସମରୋହ ପାଳନ ହେଉଥିଲା। ଏବର୍ଷ କରୋନା ଯୋଗୁଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ୍ୱେବିନାର ମାଧ୍ୟମରେ ଜୟନ୍ତୀ ପାଳନ କରିଛି।BGU

ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର, ସଚିବ ଶୁଚିସ୍ମିତା ମନ୍ତ୍ରୀ ଏବଂ ଡକ୍ଟର ମୃତ୍ୟୁଞ୍ଜୟ ରଥ, ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର, ଡକ୍ଟର ଅସିତ ମହାନ୍ତି, ସୁନିଲ ରଥ, ଡକ୍ଟର ଭାସ୍କର ମିଶ୍ର, ଡକ୍ଟର ପ୍ରତିଭା ମହାରଥୀ, ଜ୍ଞାନନନ୍ଦ ସାଗର କୁମାର ବେହେରା ମଧ୍ୟ ଏହି ଓ୍ୱେବିନାରରେ ଯୋଡ଼ି ହୋଇଥିଲେ।

Comment