ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଭାଷା ସାହିତ୍ୟର ଅନ୍ୟତମ ସଫଳ, ପ୍ରତିଭାଶାଳୀ, କାଳଜୟୀ ସ୍ରଷ୍ଟା ହେଲେ ରାଧାମୋହନ ଗଡ଼ନାୟକ। ଛନ୍ଦର ଲାଳିତ୍ୟ, କବିତାର ଗାମ୍ଭୀର୍ଯ୍ୟ, ଭାଷା ଚାତୁରୀ, ବିଷୟ ଚୟନରେ ସେ  ଥିଲେ ଅନନ୍ୟ।

ରାଧାମୋହନ ଗଡ଼ନାୟକ ଥିଲେ ଜଣେ ସଫଳ ଓ ପ୍ରତିଭାଶାଳୀ ଓଡ଼ିଆ କବି। କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ଏହି କବିଙ୍କ କବିତାରେ ଥିଲା ସ୍ୱଦେଶ ପ୍ରୀତି ଓ ସୌନ୍ଦର୍ଯ୍ୟର ଅନୁଭୂତି। ସବୁଜ ଗୋଷ୍ଠୀର ସାହିତ୍ୟ ସାଧନା କାଳରେ ଏକକ କବି ଭାବରେ ସେ ଥିଲେ ପରିଚିତ। ଏହି ମହାନ କବି ଅଗଷ୍ଟ ୨୫, ୧୯୧୧ରେ ଅନୁଗୁଳରେ ଜନ୍ମ ହୋଇଥିଲେ। ସବୁ ବର୍ଷ ପରି ଏବର୍ଷ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କର ଜୟନ୍ତୀ ପାଳନ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

‘‘ରାଧାମୋହନ ଗଡ଼ନାୟକ ଜଣେ ଆଧୁନିକ କବି। କିନ୍ତୁ ଜଣେ ଆଧିୁନିକ କବି ହେଲେ ବି ତାଙ୍କ ଲୋକପ୍ରିୟତା ଓଡ଼ିଶାର ପ୍ରତିଟି ଶିକ୍ଷିତ ମହଲରେ ଏବଂ ପୁରପଲ୍ଲୀରେ ବ୍ୟାପି ଯାଇଥିଲା। ସେ ନିଜକୁ ଜଣେ ସଂଗ୍ରମୀ ପୁରୁଷ ଭାବେ ଅଭିହିତ କରୁଥିଲେ। ଗାଥା କବିତା ରଚନାକୁ ସେ ଏକ ନୂଆ ଦିଗ ଦେଇଥିଲେ। ଛନ୍ଦର ଲାଳିତ୍ୟ, କବିତାର ଗାମ୍ଭୀର୍ଯ୍ୟ, ଭାଷା ଚାତୁରୀ, ବିଷୟ ଚୟନରେ ସେ ଥିଲେ ଅନନ୍ୟ। ସେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ’’, କବି ଗଡ଼ନାୟକଙ୍କ ଜୟନ୍ତୀ ଅବସରରେ କହିଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର।

‘‘ଓଡ଼ିଆ କାବ୍ୟକୁ ରୁଦ୍ଧିମନ୍ତ କରିଥିଲେ କବି ରାଧାମୋହନ ଗଡ଼ନାୟକ। କବି ସଚ୍ଚି ରାଉତରାୟ ଓଡ଼ିଆ କାବ୍ୟଧାରାକୁ ବଦଳାଇ ଦେଇଥିଲେ। ଓଡ଼ିଆ ସାହିତ୍ୟରେ ଆଧୁନିକତା ଆଣିଥିଲେ। କିନ୍ତୁ କବି ଗଡ଼ନାୟକ  ଆଧୁନିକତାର କଥା କହିଲେ ଆମକୁ ଆଗକୁ ନେଲେ। ଓଡ଼ିଶାର ଯାହା ପରମ୍ପରା, କଥା, କାହାଣୀକୁ କାବ୍ୟ ରୂପ ଦେଇ ସେ ଏହାକୁ ଆହୁରି ପ୍ରିୟ କରାଇଥିଲେ। ତାଙ୍କ ରଚିତ ଗାଥା କବତାଗୁଡ଼ିକର କୌଣସି ପଟ୍ଟାନ୍ତର ନାହିଁ। ତାଙ୍କର ଅବଦାନ ଯୋଗୁଁ ଓଡ଼ିଆ ଜାତି ପାଇଁ ସେ ଚିର ସ୍ମରଣୀୟ ହୋଇରହିବେ ଏଥିରେ ସନ୍ଦେହ ନାହିଁ’’,  କହିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ।

‘‘ରାଧାମୋହନ ଗଡ଼ନାୟକ ଓଡ଼ିଆ କାବ୍ୟ ପରମ୍ପରାର ଜଣେ ଅନ୍ୟତମ ଚାରଣ କବି। ପରମ୍ପରାରେ ଗୌରବ, ନିୟତିରେ ଆସ୍ଥା ତାଙ୍କ କାବ୍ୟଧାରାରେ ମୁଖ୍ୟ ସ୍ରୋତଭାବେ ଦେଖାଯାଇଥିଲା। ଆଧୁନିକ ଓଡ଼ିଆ ସାହିତ୍ୟକୁ ଆଶ୍ଚର୍ଯ୍ୟକର ଛନ୍ଦ ନେଇ ଆସିଥିଲେ କବି ଗଡ଼ନାୟକ’’, କହିଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ।BGU

‘‘ସବୁରୀ ଲୁହ ଓ ସବୁରୀ ଲହୁକୁ ଅନ୍ତରରେ ମହୁ କରି କବିତା ସୃଷ୍ଟି କରିବା ଉଦ୍ଦେଶ୍ୟ ରଖି ଲେଖନୀ ଚାଳନା କରିଥିବା କବି ହେଲେ ରାଧାମୋହନ ଗଡ଼ନାୟକ। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ନୂତନତା ଆଣିଥିଲେ ସେ। ପୁରାଣ ପୃଷ୍ଠାରୁ, ଇତିହାସ ପୃଷ୍ଠାରୁ, କାହାଣୀରୁ, କିମ୍ବଦନ୍ତୀରୁ ବିଭିନ୍ନ ଚରିତ୍ରଙ୍କୁ ନେଇ ସେ କବିତା ରଚନା କରିଥିଲେ। କେବଳ କବିତା ରଚନା ନୁହେଁ ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ତାଙ୍କର ଅବଦାନ ରହିଥିଲା’’, କହିଥିଲେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ନିଶାମଣି ସ୍ୱାଇଁ।

‘କାବ୍ୟ ନାୟିକା’, ‘ଉତ୍କଳିକା’, ‘କୈଶୋରିକା’, ‘ଶାମୁକାର ସ୍ୱପ୍ନ’, ‘ପଶୁପକ୍ଷୀର କାବ୍ୟ’, ‘ସୂର୍ଯ୍ୟ ଓ ଅନ୍ଧକାର’, ‘ଦୀପଶିଖା’ ଆଦି ତାଙ୍କର ଅନବଦ୍ୟ କୃତି । ସେ ତାଙ୍କ ଜୀବନକାଳ ମଧ୍ୟରେ ବହୁ ସମ୍ମାନରେ ସମ୍ମାନୀତ ହୋଇଥିଲେ।

Comment