ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରାବନ୍ଧିକ, ସମାଲୋଚକ, ଶିକ୍ଷାବିତ ପ୍ରଫେସର ଗୌରୀ କୁମାର ବ୍ରହ୍ମାଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି।

ପ୍ରଫେସର ଗୌରୀ କୁମାର ବ୍ରହ୍ମା ଏକାଧାରରେ ଜଣେ ପ୍ରାବନ୍ଧିକ, ସମାଲୋଚକ, ଶିକ୍ଷାବିତ, ବିଦ୍ୱାନ ଓ ବାଗ୍ମୀ ଭାବରେ ସୁଖ୍ୟାତ। ବିଦେଶରେ ଯଥା ମସ୍କୋ, ତାସ୍କେଣ୍ଟ , ଲେଲିନଗ୍ରାଡରେ ଭାରତୀୟ ତଥା ଓଡ଼ିଆ ସାହିତ୍ୟ ଏବଂ ସଂସ୍କୃତିର ପ୍ରସାର ଓ ପ୍ରଚାର ପାଇଁ ନିଷ୍ଠାପର ଉଦ୍ୟମ ଏହି ସ୍ୱାଭିମାନୀ ବ୍ୟକ୍ତିତ୍ୱର ପରିଚାୟକ। ଆଜି ସେହି ମହାନ ପୁରୁଷଙ୍କ ଶ୍ରାଦ୍ଧବାର୍ଷିକୀରେ ଓଡ଼ିଶା ସାହିତ୍ୟ ଏକାଡେମୀ  ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।।

‘‘ଗୋରୀ କୁମାର ବ୍ରହ୍ମା ଓଡ଼ିଶାରେ ଘରେ ଘରେ ପରିଚିତ। ଜଣେ ଅଧ୍ୟାପକ ଭାବରେ ଓଡ଼ିଶା ସାହିତ୍ୟ ଏକାଡେମୀ, ସଙ୍ଗୀତ ନାଟକ ଏକାଡେମୀ, ଲଳିତ କଳା ଏକାଡେମୀର ସମ୍ପାଦକ ଭାବେ ସେ ବହୁ ବର୍ଷ କାର୍ଯ୍ୟ ତୁଲାଇଛନ୍ତି। ସେ ତାଙ୍କ ଜୀବନ କାଳରେ ବିପୁଳ ଜ୍ଞାନ ଅର୍ଜନ କରିଛନ୍ତି। ସେ ସମୟରେ ସେ ବିଭିନ୍ନ ସାହିତ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ। ଜଣେ ପ୍ରାବନ୍ଧିକ ଭାବେ ମଧ୍ୟ ସେ ଅନେକ ପ୍ରବନ୍ଧ ରଚନା କରିଛନ୍ତି। ବିଶେଷ କରି ଜଗନ୍ନାଥ ଚେତନା , ଜଗନ୍ନାଥ ସଂସ୍କୃତିକୁ ବହୁ ପରିମାଣରେ ରୂପ ଦେଇଛନ୍ତି ସେ ’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର।

ବ୍ରହ୍ମା ଅଧ୍ୟାପକ ଭାବରେ ଦାଇତ୍ଵ ନିର୍ବାହ ସହ ୧୯୫୮ ଠାରୁ ୧୯୬୭ ପର୍ଯ୍ୟନ୍ତ ତିନିଗୋଟି ଏକାଡେମୀର ସଚିବ ଏବଂ  ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ।

‘‘ପ୍ରଫେସର ଗୌରୀ କୁମାର ବ୍ରହ୍ମ ବହୁ ପ୍ରତିଭାର ଅଧିକାରୀ ଥିଲେ। ସେ ଜଣେ ଜଗନ୍ନାଥ ତତ୍ତ୍ୱ ବିଶାରଦ ତଥା ଭଞ୍ଜ ସାହିତ୍ୟର ପ୍ରବକ୍ତା ଭାବରେ ଓଡ଼ିଶାର କୋଣ ଅନୁକୋଣରେ ସୁପରିଚିତ। ସାହିତ୍ୟ, ସଂସ୍କୃତି, ଧର୍ମ ଆଦି ବିଷୟରେ ଓଡ଼ିଆ, ଇଂରାଜୀ, ସଂସ୍କୃତ ଓ ହିନ୍ଦୀ ଭାଷାରେ ସେ ଅନେକ ଭାଷଣ ଦେଇଥିଲେ’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ।

‘‘ଗୌରୀ କୁମାର ବ୍ରହ୍ମା ଏକ ପରିଚିତ, ଚର୍ଚ୍ଚିତ ଓ ବହୁ ବ୍ୟବହୃତ ନାମ। ଉତ୍କଳୀୟ ସଂସ୍କୃତି ଭାରତ ବର୍ଷରେ ପ୍ରଚାର କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସେ ସମୟରେ ଜଣିକିଆ ପ୍ରତିନିଧି ରୂପେ ୠଷରେ ଭାରତୀୟ ସଂସ୍କୃତିର ପ୍ରଚାର ପାଇଁ ମନୋନୀତ କରିଥିଲେ। ଉତ୍କଳୀୟ ସଂସ୍କୃତିର ଅଦ୍ୱିତୀୟ ପ୍ରଚାରକ ସେ ଥିଲେ’’, କହିଛନ୍ତି ବିଶିଷ୍ଟ ସାହିତ୍ୟିକ ଡକ୍ଟର ରଜତ କୁମାର କର।

ଓଡ଼ିଆ ଓ ସଂସ୍କୃତ ସାହିତ୍ୟରେ ଗୌରୀ କୁମାର ବ୍ରହ୍ମାଙ୍କର ଅସାଧାରଣ ବିଜ୍ଞତା ଓ ବାଗ୍ମୀତା ରହିଥିଲା। ଓଡ଼ିଆ, ହିନ୍ଦୀ, ସଂସ୍କୃତ ଓ ଇଂରାଜୀ ଭାଷାରେ ତାଙ୍କ ରଚିତ ଶତାଧିକ ପୁସ୍ତକ ପ୍ରକାଶିତ ହୋଇ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି।

‘‘ଓଡ଼ିଆ ଓ ଭାରତୀୟ ସାହିତ୍ୟ, ସଂସ୍କୃତିର ଜଣେ ଅନନ୍ୟ ସାଧକ ଥିଲେ ଗୌରୀ କୁମାର ବ୍ରହ୍ମା। ସେ ଥିଲେ ଅବିସ୍ମରଣୀୟ ପ୍ରତିଭାବ। ରୀତିଯୁଗ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ସେ ଥିଲେ ବିଦଗ୍ଧ ଭାଷ୍ୟକାର। ତାଙ୍କର ବହୁ ଭାଷାରେ ମଧ୍ୟ ଜ୍ଞାନ ଥିଲା। ୨୦ରୁ ଅଧିକ ଓଡ଼ିଆ ପୁସ୍ତକର ସେ ରଚିୟତା। ସେ ସଂସ୍କୃତ, ଇଂରାଜୀରେ ମଧ୍ୟ କେତେକ ପୁସ୍ତକ ଲେଖିଥିଲେ’’, କହିଛନ୍ତି ବିଶିଷ୍ଟ ସାହିତ୍ୟକ ପ୍ରଫେସର ରାଜକିଶୋର ମିଶ୍ର।

ଗୌରୀ ବ୍ରହ୍ମା ଉତ୍କଳ ରତ୍ନ ସମ୍ମାନ ଓ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ସମ୍ମାନିତ ହୋଇଛନ୍ତି।  ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅନ୍ତର୍ଗତ ପ୍ରତାପ ଲକ୍ଷ୍ମଣପୁର ଗାଁରେ ଜନ୍ମ ହୋଇଥିବା ଗୌରୀ ବ୍ରହ୍ମା ୨୦୧୨ ଆଜିର ଦିନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Comment