ଓଡ଼ିଶାଲାଇଭ୍ ବ୍ୟୁରୋ

  • ବୀରୂପା ନଦୀରେ ୧୦୦ ଫୁଟର ଘାଇ
  • ବିପଦ ମୁହଁରେ କେନ୍ଦ୍ରାପଡ଼ା ଜିଲ୍ଲାର ୧୨ଟି ପଞ୍ଚାୟତ 
  • ୫୦୦ ପରିବାରର ୨୫୦୦ରୁ ଅଧିକ ଲୋକ ବିପନ୍ନ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ବେଣୀପୁରଠାରେ ବିରୂପା ନଦୀର ଦୁର୍ବଳ ଘେରିବନ୍ଧ ଭାଙ୍ଗିଯାଇଛି। ଏହି ଘେରି ମଧ୍ୟରେ ଥିବା ଗାଁ ଭିତରକୁ ବନ୍ୟାଜଳ ମାଡ଼ି ଏହାକୁ ବୁଡ଼ାଇ ଦେଇଛି। ଯାହା ଫଳରେ ଏଠାରେ ଥିବା ପାଖାପାଖି ୨୫୦୦ରୁ ଅଧିକ ଲୋକ ଏବେ ବିପଦ ମଧ୍ୟକୁ ଠେଲି ହୋଇଯାଇଛନ୍ତି ।

ବେଣୀପୁର ଗାଁରେ ଆଜି ଅପରାହ୍ନରେ ଏକ ଘାଇ ସୃଷ୍ଟି ହୋଇଥିଲା। ବିରୂପା ନଦୀର ଏହି ଘାଇ ଫଳରେ ବେଣୀପୁର ରିଙ୍ଗ ବନ୍ଧ ମଧ୍ୟରେ ରହୁଥିବା ପ୍ରାୟ ୫୦୦ ପରିବାରର ୨୫୦୦ରୁ ଅଧିକ ଲୋକେ ବିପନ୍ନ ହୋଇଛନ୍ତି। ଏହି ଦୁର୍ବଳ ଘେରିବନ୍ଧ ଆଜି ପ୍ରଥମେ ଦବିବା ଆରମ୍ଭ କରିଥିଲା। ଜଳସେଚନ ବିଭାଗ ଏହାକୁ ମରାମତି କରିବା ସମୟରେ ଏହାର କିଛି ଦୂରରେ ଏକ ଘାଇ ସୃଷ୍ଟି ହୋଇଥିଲା। ଘାଇଟି ପ୍ରଥମେ ୧୦ ଫୁଟରୁ ଆରମ୍ଭ ହୋଇ ଏବେ ୧୦୦ ଫୁଟରେ ପହଞ୍ଚିଥିବା ସୂଚନା ମିଳିଛି।ଏହି ଘାଇ ହେବା ଫଳରେ ବନ୍ୟାପାଣି ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ନିକଟରେ ପହଞ୍ଚି ଯାଇଛି। କେନାଲ ବନ୍ଧର ଉଚ୍ଚତା କମ୍ ଥିବାରୁ ବନ୍ୟାପାଣି ସ୍ଥାନେସ୍ଥାନେ କେନାଲ ବନ୍ଧକୁ ବୁଡାଇବା ଆରମ୍ଭ କରିଛି। ପ୍ରାୟ ଏକ କିଲୋମିଟର ବ୍ୟାପି କେନାଲ ବନ୍ଧର ଉଚ୍ଚତା କମ୍ ଥିବାରୁ ବନ୍ୟାପାଣି ଯଦି କେନାଲ ବନ୍ଧକୁ ବୁଡ଼ାଇଦିଏ ତେବେ ଡେରାବିଶ ଓ କେନ୍ଦ୍ରାପଡା ବ୍ଲକ ପ୍ରତି ବଡ଼ ବିପତ୍ତି ସୃଷ୍ଟି ହୋଇପାରେ। ଡେରାବିଶ ବ୍ଲକର ୪ଟି ଓ କେନ୍ଦ୍ରାପଡା ବ୍ଲକର ୮ଟି ପଞ୍ଚାୟତକୁ ଏଥିପ୍ରତି ବିପଦ ଅଛି।

ଏହି ଘେରି ମଧ୍ୟରେ ଥିବା ସମସ୍ତଙ୍କ ଘରେ ପାଣି ପସିଯିବାରୁ ଲୋକେ ନିଜନିଜ ଘରର ଛାତ ଉପରେ ଆଶ୍ରୟ ନେଇଛନ୍ତି । କେନାଲ କୂଳରେ ସରକାରୀ ଜାଗାରେ ଘରକରି ରହୁଥିବା ପ୍ରାୟ ୨୦୦ ହରିଜନ ପରିବାରଙ୍କୁ କେନାଲ ବନ୍ଧର ଉଚ୍ଚ ସ୍ଥାନକୁ ନିଆଯାଇଛି । ଏହାଛଡା ଯାଜପୁର ଜିଲ୍ଲାର ଦେକୁଢି ଗାଁର ପ୍ରାୟ ୨୦୦ ପରିବାରର ୧୦୦୦ରୁ ଅଧିକ ଲୋକେ ଏହି ଘେରିବନ୍ଧ ମଧ୍ୟରେ ରହୁଥିବାରୁ ସେମାନେ ମଧ୍ୟ ସମାନ ସମସ୍ୟା ମଧ୍ୟରେ ରହିଛନ୍ତି।BGUନଦୀର ପାଣି ବିଶେଷ ତଳକୁ ଯାଇ ପାରୁନଥିବାରୁ ଜଳପତନ ବଢୁଛି। ବୁଡ଼ି ଯାଉଥିବା କେନାଲ ବନ୍ଧରେ ବାଲିବସ୍ତା ଦେଇ ବନ୍ୟାକୁ ଅଟକାଇବାକୁ ଜଳସେଚନ ବିଭାଗ ଚେଷ୍ଟା କରୁଛି ବୋଲି ଘଟଣା ସ୍ଥଳରେ ଥିବା କେନ୍ଦ୍ରାପଡ଼ା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରବୋଧ କୁମାର ରାଉତ ସୂଚନା ଦେଇଛନ୍ତି। ତଳମୁଣ୍ଡରେ ବ୍ରାହ୍ମଣୀ ନଦୀରେ ବଡ ବନ୍ୟା ଆସିଥିବାରୁ ବିରୂପା ନଦୀର ପାଣି ତଳକୁ ଖସିବା ସହଜ ହେଉନାହିଁ ବୋଲି ନିର୍ବାହୀ ଯନ୍ତ୍ରୀ କହିଛନ୍ତି।

Comment