ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ସହରରେ ପୁଣି ମୁଣ୍ଡ ଟେକିଲେଣି ବିଭିନ୍ନ ଗ୍ୟାଙ୍ଗ। ସେମାନଙ୍କ ଅପରାଧିକ କାର୍ଯ୍ୟକଳାପ ସହରବାସୀଙ୍କ ଭିତରେ ଆତଙ୍କ ଖେଳାଇଲାଣି। ଗତ ଗୋଟିଏ ମାସ ଭିତରେ କଟକ ସହରରୁ ଯେଉଁ ଅଭିଯୁକ୍ତମାନେ ଅପରାଧିକ କାର୍ଯ୍ୟକଳାପରେ ଧରାପଡ଼ିଛନ୍ତି, ସେମାନଙ୍କ ଭିତରେ ଅନେକ ପୁରୁଣା ଗ୍ୟାଙ୍ଗର ସଦସ୍ୟ ଥିବା ଜଣାପଡ଼ିଛି। ସେମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ସେମାନେ ସମସ୍ତେ ଏବେ ବଟି ଆଦାୟ, ଲୁଟ୍, ଧମକ ଭଳି ଅପରାଧରେ ସକ୍ରିୟ ରହିଛନ୍ତି। ସେହିପରି ନିଜ ପୁରୁଣା ଗ୍ୟାଙ୍ଗକୁ ସଙ୍ଗଠିତ କରିବାରେ ମଧ୍ୟ ଲାଗିଛନ୍ତି।

ଏବେ ବି ସକ୍ରିୟ ଡିବ୍ରଦର୍ସ ଗ୍ୟାଙ୍ଗ ଓ ସକିଲ ଗ୍ୟାଙ୍ଗ

ଗତ ଗୋଟିଏ ମାସ ଭିତରେ ୪ଟି ପୃଥକ୍ ମାମଲାରେ ଯେଉଁ ଅଭିଯୁକ୍ତମାନଙ୍କୁ କଟକ ପୋଲିସ ଗିରଫ କରିଛି, ସେମାନେ ସମସ୍ତେ ଧଳସାମନ୍ତ ଭ୍ରାତା ଗ୍ୟାଙ୍ଗ୍ ଓ ସକିଲ ଗ୍ୟାଙ୍ଗର ସଦସ୍ୟ ବୋଲି ଜଣାପଡ଼ିଛି। ଗତ ଅଗଷ୍ଟ ୧୨ ତାରିଖ ଡି-ବ୍ରଦର୍ସ ଗ୍ୟାଙ୍ଗର ଦୁଇଜଣ ପୂର୍ବତନ ସଦସ୍ୟ କାଳିଗଳିର ଶଶିକାନ୍ତ ଖଣ୍ଡେଇ ଓରଫ୍ ଡାନି ଓ ହାସିନାବାଗର ରଞ୍ଜିତ ସିଂ ଓରଫ ରଣିଆଙ୍କୁ ଲାଲବାଗ ଥାନା ପୋଲିସ ଗିରଫ କରିଥଲା। ଡି-ବ୍ରଦର୍ସ ଲିଙ୍କରେ ଡାନି ପୂର୍ବରୁ ମଧ୍ୟ ଗିରଫ ହୋଇଥଲେ। ଗତ ଅଗଷ୍ଟ ୨୪ ତାରିଖରେ ଧଳସାମନ୍ତ ଭ୍ରାତାଙ୍କ ପ୍ରମୁଖ ସହଯୋଗୀ ଜଗତପୁର ନାନକାର ଗ୍ରାମର କୁନା ସ୍ୱାଇଁଙ୍କୁ ଚାଉଳିଆଗଞ୍ଜ ଥାନା ପୋଲିସ ଗିରଫ କରିଥିଲା। ସେ ଡି-ବ୍ରଦର୍ସ ଗ୍ୟାଙ୍ଗ ସହ ଲିଙ୍କ ରଖିଥିବା ଅଭିଯୋଗରେ ଚୌଦ୍ୱାର ଜେଲ୍‌ରେ ଥିଲେ। ତାଙ୍କ ନାମରେ ହତ୍ୟା, ବଟି ଆଦାୟ, ଟେଣ୍ଡର ଫିକ୍ସିଂ ଭଳି ୧୩ଟି ମାମଲା କଟକ ସହରର ବିଭିନ୍ନ ଥାନାରେ ରହିଛି। ସେହିପରି ଦୁର୍ଦ୍ଦାନ୍ତ ଅପରାଧୀ ସକିଲଙ୍କ ଗ୍ୟାଙ୍ଗର ୭ ଜଣ ପୃଥକ୍ ମାମଲାରେ ଗିରଫ ହୋଇଛନ୍ତି। ଗତ ୧୯ ତାରିଖରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଥବା ବେଳେ ଗତ ୨୫ ତାରିଖରେ ବାଦାମବାଡ଼ି ଥାନା ପୋଲିସ ହାତରେ ୩ ଜଣ ଗିରଫ ହୋଇଥିଲେ।

ପୂଜା ପୂର୍ବରୁ ସହରର ବ୍ୟବସାୟୀଙ୍କୁ ବଟି ଡର

ନୂଆ ବ୍ୟବସାୟ ଆରମ୍ଭ କଲେ କିମ୍ବା ଜାଗା କିଣି ଘର କଲେ ମଗାଯାଉଛି ଦାଦାବଟି। ବିଭିନ୍ନ ନିଲାମି ଜାଗାରୁ ଦାଦାବଟି ଆଦାୟ ଚାଲିଛି। ପୋଲିସ ସୂତ୍ର ଅନୁଯାୟୀ, ଡି-ବ୍ରଦର୍ସ ଗ୍ୟାଙ୍ଗର ପୁରୁଣା ସଦସ୍ୟ ଶଶିକାନ୍ତ ଖଣ୍ଡେଇ ଓରଫ ଡାନି କଟକ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବାଲିଘାଟରୁ ଦାଦାବଟି ଆଦାୟ କରୁଥିଲେ। ସେହିପରି ଶିଖରପୁର ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କା ବଟି ମାଗିବା ଅଭିଯୋଗରେ ଧଳସାମନ୍ତଙ୍କ ସହଯୋଗୀ କୁନା ସ୍ୱାଇଁ ଗିରଫ ହୋଇଥିଲେ। ନ୍ୟାସନାଲ ସିକ୍ୟୁରିଟି ଆକ୍ଟ (ଜାତୀୟ ନିରାପତ୍ତା ଆଇନ)ରେ ବର୍ତ୍ତମାନ କେନ୍ଦୁଝର ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ସକିଲ ଫୋନ୍ ଯୋଗେ ସେଠାରୁ ନିଜ ନେଟୱର୍କ ଚଳାଇଛନ୍ତି। ତାଙ୍କ ଗ୍ୟାଙ୍ଗର ୭ ଜଣ ସଦସ୍ୟ ଦାଦାବଟି ଆଦାୟ କରିବା ଅଭିଯୋଗରେ ହିଁ ଗିରଫ ହୋଇଥିଲେ। ସେମାନଙ୍କ ଭିତରେ ସକିଲଙ୍କ ସାନଭାଇ ମଧ୍ୟ ଥିଲେ।BGUଏରାଗୋଲା ଗ୍ୟାଙ୍ଗର ଉତ୍ପାତ

କଟକ ସହରରେ ଏରାଗୋଲା ଗ୍ୟାଙ୍ଗର ଲୁଟେରା ଗୋଷ୍ଠୀ ଏବେ ସକ୍ରିୟ ହୋଇପଡ଼ିଛନ୍ତି। ଏକଦା ଗଞ୍ଜାମ ଜିଲାର କୋଦଳା ଅଞ୍ଚଳରେ ମାତିଥିବା ଏହି ଗ୍ୟାଙ୍ଗ୍ କଟକମୁହାଁ ହୋଇଛନ୍ତି। ଗତ ଅଗଷ୍ଟ ୫ ତାରିଖରେ ଜଣେ ମହିଳାଙ୍କଠାରୁ ଲୁଟ୍ ଘଟଣାରେ ଏହି ଗ୍ୟାଙ୍ଗର ଦୁଇଜଣଙ୍କୁ ୨୧ ତାରିଖରେ ଗିରଫ କରିଥିଲା ମଙ୍ଗଳାବାଗ ଥାନା ପୋଲିସ। ଗଞ୍ଜାମ ଜିଲା କୋଦଳା ଅଞ୍ଚଳରେ ଉଭୟ ଅଭିଯୁକ୍ତଙ୍କ ଘର।

କଟକକୁ ଆସିବେ ଦୁଇ ଅଭିଜ୍ଞ ଥାନାଧିକାରୀ

ପାର୍ବଣ ବେଳେ ଅପରାଧ ବଢ଼େ। ତେଣୁ ଏହା ପୂର୍ବରୁ ଦୁଇଜଣ ଅଭିଜ୍ଞ ପୋଲିସ ଅଧିକାରୀଙ୍କୁ କଟକ ଅଣାଯିବ। ରଶ୍ମିରଞ୍ଜନ ମହାପାତ୍ର ଓ ବିରଞ୍ଚି ନାରାୟଣ ପତିଙ୍କୁ ବାଦାମବାଡି ଥାନା ଓ ଚୌଦ୍ୱାର ଥାନାରେ ଅବସ୍ଥାପିତ କରାଯିବ। ଏହି ଦୁଇ ଜଣ ପୂର୍ବରୁ କଟକରେ କାମ କରିବାର ଅଭିଜ୍ଞତା ରଖିଛନ୍ତି। ଡି-ଗ୍ୟାଙ୍ଗକୁ ଧରିବାରେ ରଶ୍ମିରଞ୍ଜନଙ୍କ ଅବଦାନ ଥିବାବେଳେ ବାଦାମବାଡ଼ିରୁ ଦାଦାବଟି ଆଦାୟ ବନ୍ଦ କରିବାରେ ବିରଞ୍ଚିଙ୍କ ଭୂମିକା ଉଲ୍ଲେଖନୀୟ ଥିଲା। ଅନ୍ୟପକ୍ଷରେ ମାଓବାଦୀପ୍ରବଣ ଜିଲାରେ ସଫଳତାର ସହ ଦାୟିତ୍ୱ ତୁଲାଇ କିଛିଦିନ ତଳେ କଟକ ଡିସିପି ହୋଇ ଆସିଥିବା ଆଇପିଏସ୍ ପ୍ରତୀକ ସିଂ ଆସିବା ପରେ ଅପରାଧ କମିବ ବୋଲି ସହରବାସୀ ଆଶା ରଖିଛନ୍ତି।

Comment