ଓଡ଼ିଶାଲାଇଭ୍ ବ୍ୟୁରୋ

୧୯୯୬ ବ୍ୟାଚ୍‌ ତେଲେଙ୍ଗାନା କ୍ୟାଡରର ଆଇପିଏସ୍ ଅଧିକାରୀ ଚାରୁ ସିହ୍ନା ଶ୍ରୀନଗରର ପ୍ରଥମ ମହିଳା ଆଇଜି ଭାବେ ନିଯୁକ୍ତ ହୋଇଛନ୍ତି।

ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ସିଆର୍‌ପିଏଫ୍‌ର ଶ୍ରୀନଗର ସେକ୍ଟର ଆଇଜି ଭାବେ ପ୍ରଥମ କରି ଜଣେ ମହିଳା ଆଇପିଏସ୍ ଚାରୁ ସିହ୍ନାଙ୍କୁ ନିଯୁକ୍ତି ମିଳିଛି। ଶ୍ରୀନଗର ହେଉଛି ଜମ୍ମୁ-କଶ୍ମୀରର ସର୍ବାଧିକ ଆତଙ୍କବାଦ ପ୍ରଭାବିତ ଅଞ୍ଚଳ ମଧ୍ୟରୁ ଗୋଟିଏ। ତେଣୁ ଏଭଳି ଏକ ବିପଦପୂର୍ଣ୍ଣ ଅଞ୍ଚଳରେ ଜଣେ ମହିଳା ଆଇପିଏସ୍‌ ଭାବରେ ଚାରୁଙ୍କୁ ନିଯୁକ୍ତ କରାଯିବା ପରେ ତାଙ୍କ ବ୍ୟକ୍ତିତ୍ଵ ଏବଂ କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଇଛି।

ଚାରୁ ସିହ୍ନା ହେଉଛନ୍ତି ତେଲେଙ୍ଗାନା କ୍ୟାଡରର ୧୯୯୬ ବ୍ୟାଚର ଆଇପିଏସ୍ ଅଧିକାରୀ। ୨୦୧୮ ଅପ୍ରେଲ ମାସରେ ତାଙ୍କୁ ବିହାର ସେକ୍ଟରର ମହାନିରୀକ୍ଷକ(ଆଇଜି) ଭାବେ ନିଯୁକ୍ତ କରାଯାଇଥିଲା। ଏହି ସମୟରେ ନକ୍ସଲ ବିରୋଧୀ ଅଭିଯାନରେ ଚାରୁ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହାପୂର୍ବରୁ ସେ ତେଲେଙ୍ଗାନା ପୋଲିସ ନିର୍ଦ୍ଦେଶକ ଏସିବି ପଦରେ ରହିଥିଲେ। ବିହାରରେ ଆଇଜି ଥିବା ସମୟରେ ଚାରୁ ଆତଙ୍କବାଦ ଦମନ ପାଇଁ ଅନେକଗୁଡ଼ିଏ ଭଲ ପଦକ୍ଷେପ ନେଇଥିଲେ। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମଧ୍ୟ ମିଳିଥିଲା।BGUବିହାର ସେକ୍ଟର ପରେ ଚାରୁଙ୍କୁ ଜମ୍ମୁର ଆଇଜି ଭାବରେ ସ୍ଥାନାନ୍ତର କରାଯାଇଥିଲା। ଏହି ସମୟରେ ତାଙ୍କ ନେତୃତ୍ଵରେ ଅନେକ ଗୁରୁତ୍ଵପୂର୍ଣ୍ଣ ନକ୍ସଲ ବିରୋଧୀ ଅଭିଯାନ କରାଯାଇଥିଲା। ସିଆର୍‌ପିଏଫ୍‌ର ଶ୍ରୀନଗର ସେକ୍ଟର ୨୦୦୫ ମସିହାରେ ଆରମ୍ଭ ହୋଇଥିଲା। ଏହି ସେକ୍ଟରରେ ବଡ଼ଗାମ, ଗାନ୍ଦରବଲ ଓ ଶ୍ରୀନଗର ଜିଲ୍ଲା ସାମିଲ ଅଛି। ଏବେ ଶ୍ରୀନଗରର ଆଇଜି ଭାବେ ନିଯୁକ୍ତ ହେବା ପରେ ଏହି ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ଲଦାଖ ବି ଶ୍ରୀନଗରର ଏହି ସିଆର୍‌ପିଏଫ୍ ସେକ୍ଟରରେ ଆସୁଛି। ଏଥିରେ ଦୁଇଟି ରେଞ୍ଜ, ୨୨ଟି କାର୍ଯ୍ୟକାରୀ ୟୁନିଟ୍ ମଧ୍ୟ ସାମିଲ ଅଛି। ଚାରୁ ସିହ୍ନା ଏବେ ଏହି ସମସ୍ତ ଅଞ୍ଚଳରେ ହେବାକୁ ଥିବା ଅପରେସନ୍‌ଗୁଡ଼ିକର ନେତୃତ୍ଵ ନେବେ। ଚାରୁଙ୍କ ସହିତ ୬ ଜଣ ଆଇପିଏସ୍ ଓ ୪ ଜଣ ବରିଷ୍ଠ କ୍ୟାଡର ଅଧିକାରୀ ମଧ୍ୟ ସିଆର୍‌ପିଏଫ୍‌ରେ ସାମିଲ ହୋଇଛନ୍ତି।

Comment