ଓଡ଼ିଶାଲାଇଭ୍ ବ୍ୟୁରୋ
ପଞ୍ଚଭୂତରେ ଲୀନ ହେଲା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀର। ଦିଲ୍ଲୀସ୍ଥିତ ଲୋଧିରୋଡ ଶ୍ମଶାନ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଣବଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି। ପୁଅ ଅଭିଜିତ ମୁଖାର୍ଜୀ ମୁଖାଗ୍ନି ଦେଇଛନ୍ତି।
ଆଜି ସକାଳେ ପ୍ରଣବ ମୁଖାର୍ଜୀଙ୍କ ବାସଭବନ ରାଜାଜୀ ମାର୍ଗରେ ତାଙ୍କୁ ଶେଷ ଦର୍ଶନ କରିଥିଲେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସିଡିଏସ୍ ଜେନେରାଲ ବିପିନ ରାଓ୍ୱତ ଏବଂ ୩ ସେନା ମୁଖ୍ୟ ପ୍ରଣବ ମୁଖର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ସୋମବାର ୮୪ ବର୍ଷ ବୟସରେ ପ୍ରଣବଙ୍କର ମୃତ୍ୟୁ ହୋଇଥିଲା। ପ୍ରଣବଙ୍କ ବିୟୋଗରେ ଦେଶରେ ୭ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ।
ପ୍ରଣବ ମୁଖାର୍ଜୀ କଂଗ୍ରେସର ଜଣେ ବଡ଼ ନେତା ଭାବେ ବେଶ୍ ପରିଚିତ। ସେ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ୟୁପିଏ ସରକାରରେ ଅର୍ଥମନ୍ତ୍ରୀ ରହିଥିଲେ। ଏହାପରେ ସେ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ମଧ୍ୟ ରହିଥିଲେ। ୨୦୧୯ ମସିହାରେ ତାଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ରେ ମଧ୍ୟ ସମ୍ମାନିତ କରାଯାଇଥିଲା।


















