ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସ ଦଳ ସହ ପ୍ରଣବଙ୍କର ଥିଲା ଏକ ଘନିଷ୍ଠ ରାଜନୈତିକ ସମ୍ପର୍କ।

ପ୍ରଣବଙ୍କ ଦୀର୍ଘ ପାଞ୍ଚ ଦଶନ୍ଧିର ରାଜନୈତିକ ଯାତ୍ରାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ୧୯୬୯ ମସିହାରୁ ଜାତୀୟ ରାଜନୀତିରେ ସକ୍ରିୟ ଥିବା ପ୍ରଣବ ଆଜି ସମସ୍ତଙ୍କୁ ପର କରି ପ୍ରାଣ ହରାଇଛନ୍ତି। ଲୌହମାନବୀ ଇନ୍ଦିରାଙ୍କ କଥାରେ ଦିନେ କଂଗ୍ରେସରେ ସାମିଲ ହୋଇଥିବା ପ୍ରଣବ ଦଳର ଜଣେ ପୁରୁଖା ନେତା ଭାବେ ବେଶ ପରିଚିତ। କେନ୍ଦ୍ର କ୍ୟାବିନେଟରେ ଅର୍ଥମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ବିଭାଗ ସମ୍ଭାଳିବା ସହିତ ରାଷ୍ଟ୍ରପତି ଭାବେ ମଧ୍ୟ ନିର୍ବାଚିତ ହୋଇଥଲେ।

ଭାରତୀୟ ରାଜନୀତିରେ କଂଗ୍ରେସ ପ୍ରତି ପ୍ରଣବଙ୍କର ଥିଲା ଅତୁଳନୀୟ ଅବଦାନ। ଜବାବରେ କଂଗ୍ରେସ ମଧ୍ୟ ପ୍ରଣବଙ୍କୁ ଅନେକ କିଛି ଦେଇଛି। ପ୍ରଣବଙ୍କ ଜନ୍ମ ୧୯୩୫ ମସିହା ଡିସେମ୍ବର ୧୧ ତାରିଖରେ ବେଙ୍ଗଲରେ ହୋଇଥିଲା। ହେଲେ ଜାତୀୟ ରାଜନୀତିରେ ତାଙ୍କର ଜନ୍ମ ହୋଇଥିଲା ୧୯୬୯ ମସିହାରେ। ସେ ସମୟରେ ହୋଇଥିବା ମଦିନାପୁର ଉପ-ନିର୍ବାଚନରେ ପ୍ରଣବଙ୍କ ନେତୃତ୍ୱରେ ସ୍ୱାଧୀନ ପ୍ରାର୍ଥୀ ଭି ଭି କ୍ରିଷ୍ଣାମେନନ୍ କଂଗ୍ରେସ ଦଳକୁ ମାତ ଦେଇଥିଲେ। ଯାହାଫଳରେ ସେ ସମୟରେ ପ୍ରଧାନମନ୍ତ୍ରୀ ଥିବା ଇନ୍ଦିରା ଗାନ୍ଦୀଙ୍କ ନଜରକୁ ଆସିଥିଲେ ପ୍ରଣବ ମୁଖାର୍ଜୀ।

ଏହାପରେ ଇନ୍ଦିରା ଗାନ୍ଦୀ ପ୍ରଣବଙ୍କ ନେତୃତ୍ୱ ନେବାର ଅନ୍ଦାଜକୁ ଦେଖି ତାଙ୍କୁ କଂଗ୍ରେସରେ ସାମିଲ କରିଥିଲେ। ସେହିବର୍ଷ ପ୍ରଣବ ପ୍ରଥମ କରି ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

୧୯୭୩ ମସିହା ଇନ୍ଦିରା କ୍ୟାବିନେଟରେ ପ୍ରଣବଙ୍କୁ ମିଳିଥିଲା ମନ୍ତ୍ରୀ ପଦ। କେନ୍ଦ୍ର ଶିଳ୍ପ ବିକାଶ ମନ୍ତ୍ରୀ ଭାବେ ସେ ଦାୟିତ୍ୱ ଗ୍ରହଣ କରିଥିଲେ। ପରେ ପରେ ଦେଶରେ ଜରୁରୀ ପରିସ୍ଥିତି ଜାରି ହୋଇଯାଇଥିଲା। ହେଲେ କଂଗ୍ରେସ ସହ ପ୍ରଣବଙ୍କ ସମ୍ପର୍କ ସେମିତି ଅତୁଟ ରହିଥିଲା। ଜରୁରୀ ପରିସ୍ଥିତିର କିଛି ଦିନ ପରେ ପୁଣି କ୍ଷମତାକୁ ଫେରିଥିଲା କଂଗ୍ରେସ ଏବଂ ପ୍ରଣବଙ୍କୁ ମିଳିଥିଲା ଦେଶର ନମ୍ବର-୨ ମନ୍ତ୍ରୀପଦ। ୧୯୮୨ରୁ ୧୯୮୪ ପର୍ଯ୍ୟନ୍ତ ସେ ଦେଶର ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।ତେବେ କଂଗ୍ରେସର ରାଜୀବ ଯୁଗ ଆରମ୍ଭ ହେବା ପରେ ପ୍ରଣବଙ୍କୁ ଅଣଦେଖା କରାଯାଇଥିଲା। ରାଜୀବ ଗାନ୍ଧୀଙ୍କ ସମୟରେ ପ୍ରଣବଙ୍କୁ କଂଗ୍ରେସରେ ସେତେଟା ସମ୍ମାନ ମିଳିନଥିଲା। ଏହାପରେ ସେ ରାଷ୍ଟ୍ରୀୟ ସମାଜବାଦୀ କଂଗ୍ରେସ ନାମରେ ନିଜର ଏକ ପାର୍ଟି ଗଠନ କରିଥିଲେ। ହେଲେ ୧୯୮୯ ମସିହାରେ ଏହି ପାର୍ଟି କଂଗ୍ରେସରେ ମିଶିଯାଇଥିଲା।

ପ୍ରଣବଙ୍କ ରାଜନୈତିକ କ୍ୟାରିୟରରେ ୟୁଟର୍ଣ୍ଣ ଆଣିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ପି ଭି ନରସିଂହା ରାଓ। ତାଙ୍କରି ସମୟରେ ପ୍ରଣବ ଯୋଜନା କମିସନର ସଦସ୍ୟ ହୋଇଥିଲେ। ପରେ ପରେ ସେ ୧୯୯୫ ମସିହାରେ ଦେଶର ବୈଦେଶିକ ମନ୍ତ୍ରୀ ମଧ୍ୟ ହୋଇଥିଲେ।

୨୦୦୪ରେ ଲୋକସଭାକୁ ନିର୍ବାଚିତ

ପ୍ରଣବ ମୁଖାର୍ଜୀ ୨୦୦୪ ମସିହାରେ ପ୍ରଥମ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୨୦୦୯ ମଧ୍ୟ ଦ୍ୱିତୀୟ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କର ଏହି ୧୦ ବର୍ଷ ଭିତରେ ସେ ୨୦୦୪ରୁ ୨୦୦୬ ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରୀ, ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।

ଭାରତର ୧୩ ତମ ରାଷ୍ଟ୍ରପତି ହେଲେ ପ୍ରଣବ

୨୧୦୨ ମସିହା ରାଷ୍ଟ୍ରପତି ନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ସାଜିଥିଲେ ପ୍ରଣବ। ଏହି ନିର୍ବାଚନରେ ସେ ପି ଏ ସାଙ୍ଗାମାଙ୍କୁ ଅତି ସହଜରେ ପରାଜିତ କରିବା ସହିତ ଭାରତର ୧୩ ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ରାଷ୍ଟ୍ରପତି ପଦରେ ରହିଥିଲେ। ରାଷ୍ଟ୍ରପତି ପଦରୁ ବିଦାୟ ନେବା ପରେ ସେ ରାଜନୀତିରୁ ସନ୍ୟାସ ନେଇଥିଲେ।

ଭାରତୀୟ ରାଜନୀତି ପ୍ରତି ତାଙ୍କର ବଳିଷ୍ଠ ଅବଦାନ ପାଇଁ ତାଙ୍କୁ ୨୦୧୯ ମସିହାରେ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା।

Comment