ଓଡ଼ିଶାଲାଇଭ୍ ବ୍ୟୁରୋ

ସୁଦୂର ଆମେରିକାରେ ପାଳନ ହେଲା ନୂଆଁଖାଇ ଭେଟଘାଟ। ଓଡ଼ିଶା ସୋସାଇଟି ଅଫ ଆମେରିକା (ଓସା) ପକ୍ଷରୁ ଡିଜିଟାଲ୍ ମାଧ୍ୟମରେ ନୂଆଁଖାଇ ଭେଟଘାଟକୁ ବେଶ୍ ଆଡମ୍ବର ସହକାରେ ପାଳନ କରାଯାଇଛି।

ଓଡ଼ିଆ ସୋସାଇଟ୍ ଅଫ୍ ଆମେରିକାର ଅଧ୍ୟକ୍ଷ କୁକୁ ଦାସଙ୍କ ତତ୍ତ୍ୱାବଧାନରେ ପ୍ରଥମ ଥର ପାଇଁ ଏହି ନୂଆଁଖାଇ ଭେଟଘାଟ ଆୟୋଜନ କରାଯାଇଥିଲା। କୋଭିଡ୍ ମହାମାରୀକୁ ଆଖି ଆଗରେ ରଖି ଜୁମ୍ ଆପ୍ ଜରିଆରେ ଲୋକମାନେ ଏହି ଭେଟଘାଟରେ ଯୋଡ଼ି ହୋଇଥିଲେ। ଡିଜିଟାଲ୍ ମାଧ୍ୟମରେ ଲୋକମାନେ ପରସ୍ପରକୁ ନୂଆଁଖାଇ ଜୁହାର ଜଣାଇବା ସହିତ ନିଜର ଶୁଭେଚ୍ଛା ଜଣାଇଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ ଜୁମ୍ ଆପ୍ ଜରିଆରେ ଯୋଗ ଦେଇ ନିଜର କବିତା ଆବୃତି କରିଥିଲେ। ତାଙ୍କ ସହିତ ରାଜ୍ୟର ଶକ୍ତି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ବରିଷ୍ଠ ଆଇଏଏସ୍ ଅଫିସର ଅରବିନ୍ଦ କୁମାର ପାଢ଼ୀ ମଧ୍ୟ ଡିଜିଟାଲ୍ ସାହାଯ୍ୟରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ। ଉତ୍ସବରେ ସୁରେନ୍ଦ୍ର ନାଥଙ୍କ ଦ୍ୱାରା ଅନୁବାଦିତ ହୋଇଥିବା ହଳଧର ନାଗଙ୍କ କାବ୍ୟଞ୍ଜଳି ପୁସ୍ତିକାର ଚତୁର୍ଥ ସଂସ୍କରଣ ଉନ୍ମୋଚିତ ହୋଇଥିଲା।

ୟୁଟ୍ୟୁବ ଜରିଆରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ନୃତ୍ୟଗୀତର ସିଧାପ୍ରସାରଣ କରାଯାଇଥିଲା। ଏହାଭିତରେ କଳାହାଣ୍ଡିର ନୃତ୍ୟ କଳା କେନ୍ଦ୍ର ଦ୍ୱାରା ଆୟୋଜିତ ଆଦିବାସୀ ନୃତ୍ୟ, ଡାଲଖାଇ, ରସରକେଲି ସମସ୍ତଙ୍କ ମନ ମୋହିଥିଲା। ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଥିବା ସବୁ ଓଡ଼ିଆ ଭାଇ ଭଉଣୀମାନେ ମଧ୍ୟ ମିଶିକରି ସମ୍ବଲପୁରୀ ଗୀତ ଗାଇଥିଲେ।  ପରିଶେଷରେ ସମ୍ବଲପୁରୀ ଭାଷାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ କୁଇଜ୍ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଥିଲା।

Comment