ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ତଥା ଭାରତ ବାହାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ଭାଇଭଉଣୀମାନେ ଏଣିକି ଓଡ଼ିଶାର ଯେକୌଣସି ବିଦ୍ୟାଳୟ ବା କଲେଜରେ ପାଠାଗାର, କ୍ରୀଡ଼ା ଭିତ୍ତିଭୂମି ତଥା ଅନୁଷ୍ଠାନର ଅନ୍ୟାନ୍ୟ ସାମଗ୍ରିକ ବିକାଶ ପାଇଁ ଆର୍ଥିକ, ବୌଦ୍ଧିକ, ମାନସିକ ତଥା ଶାରୀରିକ ଅବଦାନ ରଖି ପାରିବେ। ଏଥିପାଇଁ ‘ବିଲ୍‌ଡ ଓଡ଼ିଶା’ ବା ଓଡ଼ିଶା ନିର୍ମାଣ ନାମକ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଆମେରିକାସ୍ଥିତ ଇ-ଗୁରୁକୁଳ ସଂଗଠନର ନିର୍ଦ୍ଦେଶିକା ତଥା ଓଡ଼ିଶା ସୋସାଇଟି ଅଫ୍‌ ଆମେରିକା (ଓଏସ୍‌ଆ)ର ପୂର୍ବତନ ଅଧ୍ୟକ୍ଷା କୁକୁ ଦାସଙ୍କ ପୌରୋହିତ୍ୟରେ ଗତ ଶନିବାର ‘ବିଲ୍‌ଡ ଓଡ଼ିଶା’ର ଶୁଭାରମ୍ଭ ହୋଇଛି। ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶ୍ଵର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ବିଶିଷ୍ଟ ଓଡ଼ିଆ ବ୍ୟକ୍ତିତ୍ଵମାନେ ଯୋଗ ଦେଇ ବିଲ୍‌ଡ ଓଡ଼ିଶା ବାବଦରେ ଆଲୋଚନା କରିଥିଲେ।  ସର୍ବପ୍ରଥମେ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇ କୁକୁ ଦାସ କହିଥିଲେ, “ସ୍ଵାସ୍ଥ୍ୟ, ପର୍ଯ୍ୟଟନ, ଉଦ୍ୟୋଗୀକରଣ ଆଦି ସବୁ କ୍ଷେତ୍ରରେ ଓଡ଼ିଶାର ବିକାଶ କରିବା ଲକ୍ଷ୍ୟ ନେଇ ପ୍ରବାସୀ ଓଡ଼ିଆମାନଙ୍କ ଦ୍ଵାରା ଆରମ୍ଭ ହୋଇଛି ‘ବିଲ୍‌ଡ ଓଡ଼ିଶା’ ବା ଓଡ଼ିଶା ନିର୍ମାଣ କାର୍ଯ୍ୟକ୍ରମ। ଏହା ଜରିଆରେ ପ୍ରବାସରେ ରହୁଥିବା ଓଡ଼ିଆମାନେ ଏଣିକି ତାଙ୍କ ପ୍ରିୟ ଶିକ୍ଷାନୁଷ୍ଠାନ ସହିତ ଯୋଡ଼ି ହୋଇପାରିବେ। ସେଠାରେ ଲାଇବ୍ରେରି, ସ୍ପୋର୍ଟ୍ସ ହବ୍ ସହ ଅନୁଷ୍ଠାନର ଅନ୍ୟାନ୍ୟ ଭିତ୍ତିଭୂମି ଆଦିର ବିକାଶ ପାଇଁ ଯୋଗଦାନ କରିପାରିବେ।”ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ‘ମୋ ସ୍କୁଲ’ ଅଭିଯାନର ମୂଳ ଉଦ୍ଦେଶ୍ୟ, ଏହାର ପରିଚାଳନା ବ୍ୟବସ୍ଥା ଏବଂ କିଭଳି ଭାବେ ପୁରାତନ ଛାତ୍ରଛାତ୍ରୀମାନେ ଏଥିରେ ସାମିଲ ହୋଇପାରିବେ, ସେ ବାବଦରେ ଏକ ପାଓ୍ଵାରପଏଣ୍ଟ୍ ପ୍ରେଜେଣ୍ଟଟେସନ୍ କରି ବୁଝାଇଥିଲେ। ଏହି ଅବସରରେ ସେ ଓଡ଼ିଶା ପୋଲିସ ହାଇସ୍କୁଲରେ ପଢ଼ିବା ବେଳର ସ୍ମୃତି, କାଲିଫର୍ଣ୍ଣିଆ ଗସ୍ତ ବେଳର ଏକ ସୁନ୍ଦର ଅନୁଭୂତି ବିଷୟରେ କହିଥିଲେ।ସେହିପରି ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସନାୟକ ମଧ୍ୟ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସାମିଲ ହୋଇଥିଲେ। ‘ବିଲ୍‌ଡ ଓଡ଼ିଶା’ ପରି ପ୍ରବାସୀ ଓଡ଼ିଆମାନଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସକୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ସେ ମୋ କଲେଜ ଅଭିଯାନ ବିଷୟରେ ସମସ୍ତଙ୍କୁ ସୂଚିତ କରିବା ସହ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପ୍ରିୟ ଶିକ୍ଷାଅନୁଷ୍ଠାନ ସହ ଯୋଡ଼ି ହେବାକୁ ନିମନ୍ତ୍ରଣ କରିଥିଲେ।“ବିଲ୍‌ଡ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ପ୍ରବାସରେ ରହୁଥିବା ଓଡ଼ିଆମାନେ ଏକତ୍ରିତ ହୋଇ ଏକ ନୂଆ ଓଡ଼ିଶା ନିର୍ମାଣରେ ଭାଗିଦାର ହେବେ। ଗ୍ଲୋବାଲ ଓଡ଼ିଆ ଡାଏସ୍‌ପୋରା ମାଧ୍ୟମରେ ଏହାର ପରିଚାଳନା ବ୍ୟବସ୍ଥା କରାଯିବ। ବିଶେଷକରି ଯୁବ ବନ୍ଧୁମାନଙ୍କୁ ଏହି କାର୍ଯ୍ୟକ୍ରମ ଉତ୍ସାହିତ କରିବ”, କହିଥିଲେ ବାହାରିନ୍‌ ଓଡ଼ିଆ ସମାଜର ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜ।ହୋଷ୍ଟ୍ ଭାବେ ଆମେରିକାରୁ ଉତ୍କଳ ନାୟକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ବ୍ୟବସ୍ଥା ଓ ପରିଚାଳନା ସମ୍ପର୍କରେ ଉପସ୍ଥାପନା କରିଥିଲେ। ଶେଷରେ ଓ୍ଵେବିନାରରେ ସାମିଲ ପ୍ରବାସୀ ଓଡ଼ିଆମାନେ ବିଲ୍‌ଡ ଓଡ଼ିଶା, ମୋ ସ୍କୁଲ ଓ ମୋ କଲେଜ ଅଭିଯାନ ଆଦିକୁ ନେଇ ସେମାନଙ୍କ ମନରେ ଥିବା ପ୍ରଶ୍ନ ଅତିଥିମାନଙ୍କୁ ପଚାରିଥିଲେ। ଅତିଥିମାନେ ମଧ୍ୟ ଏହାର ଉତ୍ତର ରଖିଥିଲେ।

ଶେଷରେ ନୂଆଦିଲ୍ଲୀସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ୍‌ ‘ଦି ଇଣ୍ଟେଲେକ୍ଟସ’ର ଅଧ୍ୟକ୍ଷ ଦେବେନ୍ଦ୍ରନାଥ ରାଉତ କାର୍ଯ୍ୟକ୍ରମରେ ଉପସ୍ଥିତ ଓଡ଼ିଆ ଭାଇଭଉଣୀଙ୍କୁ ଧନ୍ୟବାଦ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଆମେରିକାରୁ ଡକ୍ଟର ଶୀତିକଣ୍ଠ ଦାସ, ଅଜୟ ମହାନ୍ତି, କତାରରୁ ବିଦ୍ୟା ମହାନ୍ତି, ଲଣ୍ଡନରୁ ସୁସ୍ମିତା ରାଜହଂସ, ମାଲେସିଆରୁ ଦୀପ୍ତିରଞ୍ଜନ ନନ୍ଦ, କୁଏତରୁ ସଂଜୀବ ବାରିକ, ସିଙ୍ଗାପୁରରୁ ସଂଜୀବ ପଣ୍ଡା, ଜାପାନରୁ କୁନା ଦାସ, ଦୁର୍ଗା ମିଶ୍ର, ଡକ୍ଟର ଅଞ୍ଜଳି ପଟ୍ଟନାୟକ, ଶ୍ଵେତପଦ୍ମା ଦାସ, ନମ୍ରତା ପଟ୍ଟନାୟକ, ଭୁବନେଶ୍ଵରରୁ ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ, ବେଙ୍ଗାଳୁରୁରୁ ମନୋଜ ପାତ୍ର, ନୂଆଦିଲ୍ଲୀରୁ ଉଦୟନାଥ ସାହୁ, ମୋନିକା ଦାସ ପ୍ରମୁଖ ଯୋଗ ଦେଇଥିଲେ।

Comment