ଓଡ଼ିଶାଲାଇଭ ବ୍ୟୁରୋ

ସା ପକ୍ଷରୁ ଆୟୋଜିତ ହେଉଛି ବିଶ୍ୱ ଓଡ଼ିଆ ମହୋତ୍ସବ ୨୦୨୦

ବିଶ୍ୱର କୋଣ ଅନୁକୋଣରେ ଥିବା ଓଡ଼ିଆଙ୍କୁ ଏକାଠି କରିବା ପାଇଁ ଓଡିଶା ସୋସାଇଟି ଅଫ୍ ଦି ଆମେରିକାସ୍(ଓସା) ପକ୍ଷରୁ ‘ବିଶ୍ୱ ଓଡ଼ିଆ ମହୋତ୍ସବ ୨୦୨୦’ ଆରମ୍ଭ ହୋଇଛି। ଶନିବାର ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ‘ଗଣମାଧ୍ୟମର ଭୂମିକା’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି।

ଆଲୋଚନା ବେଳେ ଗଣମାଧ୍ୟମର ସ୍ଥିତି, ଧାରା ଓ ଭବିଷ୍ୟତ, ଗଣମାଧ୍ୟମର ମାଲିକାନା, ଗଣମାଧ୍ୟମ ଉପରେ ରାଜନୈତିକ ଦଳର ହସ୍ତକ୍ଷେପ, ମିଥ୍ୟା ଖବର, ଗଣମାଧ୍ୟମର ସ୍ୱାଧୀନତା, ମିଡିଆ ଟ୍ରାଏଲ, ବିକାଶମୂଳକ ସାମ୍ବାଦିକତା, ଗ୍ରାମାଞ୍ଚଳର ଅଧିକ ଖବର ପରିବେଷଣ, ଏପରିକି ଓଡ଼ିଶା ଗଣମାଧ୍ୟମରେ ମହିଳା ସାମ୍ବାଦିକଙ୍କ ପ୍ରବେଶ ଓ ଭୂମିକା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ଡିଜିଟାଲ ମିଡିଆ ଆସିବା ପରେ ଖବରକାଗଜ, ଟେଲିଭିଜନ ଚାନେଲ ଓ ରେଡିଓ ନିଜର ପାଠକ, ଦର୍ଶକ ଓ ଶ୍ରୋତାଙ୍କ ସଂଖ୍ୟା ହରାଉଛନ୍ତି କି? ଆଜିର ଆଲୋଚନାଚକ୍ରରେ ଉପସ୍ଥିତ ଅତିଥିମାନେ ଏ ସମ୍ପର୍କରେ ଆଲୋଚନା କରିଥିଲେ।।

ସେହିପରି ଗଣମାଧ୍ୟମର ଯେଉଁମାନେ ନେତୃତ୍ୱ ନେଉଛନ୍ତି, ସେମାନେ ଏକ ସମୀକ୍ଷା କରି କେମିତି ଜନସାଧାରଣଙ୍କ ଉପକାର ପାଇଁ ସମ୍ବାଦ ପରିବେଷଣ କରିବେ ସେ ଦିଗରେ ପଦକ୍ଷେପ ନେବା କଥା ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

ଏଥିରେ ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ, କନକ ନ୍ୟୁଜର ସମ୍ପାଦକ ମନୋରଞ୍ଜନ ମିଶ୍ର, ଓଟିଭିର ବାର୍ତ୍ତା ସମ୍ପାଦକ ରାଧାମାଧବ ମିଶ୍ର, କଳିଙ୍ଗ ଟିଭିର ମୁଖ୍ୟ ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ, ନ୍ୟୁଜ ୭ର ସିନିଅର ପ୍ରଡ୍ୟୁସର ଓ ନ୍ୟୁଜ ଆଙ୍କର ଇତିଶ୍ରୀ ନାୟକ, ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିର ଭଟ୍ଟମିଶ୍ର ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମର ସଞ୍ଚାଳନା କରିଥିଲେ ୟୁଏଇରେ ରହୁଥିବା ସୁଧାଶ୍ରୀ ଦାସ।

‘‘ବିଶ୍ୱ ସ୍ତରରେ ବ୍ରାଣ୍ଡ ଓଡ଼ିଶା ନିର୍ମାଣ କରିବା ହେଉଛି ଓସାର ଉଦ୍ଦେଶ୍ୟ। ଓଡ଼ିଶାର ବିକାଶରେ ବିଦେଶରେ ଥିବା ଓଡ଼ିଆମାନେ କିପରି ସାମିଲ ହୋଇପାରିବେ ଏବଂ ଓଡ଼ିଶା ସହିତ ଘନିଷ୍ଠ ଭାବେ ଯୋଡ଼ି ହୋଇପାରିବେ ସେଥିପାଇଁ ଓସା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ବିଶ୍ୱ ଓଡ଼ିଆ ମହୋତ୍ସବ ସେହି ଲକ୍ଷ୍ୟ ପୂରଣ କରିବାରେ ଏକ ସୁଯୋଗ ଆଣି ଦେଇଛି। ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ଆଗେଇ ନେବାରେ ଗଣମାଧ୍ୟମ ସାହାଯ୍ୟ କରିବ ଏହା ମୋର ଆଶା’’, କହିଛନ୍ତି ଓସାର ସଭାନେତ୍ରୀ କୁକୁ ଦାସ।

ଏହି କାର୍ଯ୍ୟକ୍ରମରେ ଦୁବାଇରୁ ଅମୀୟ ମିଶ୍ର, ବାହାରିନରୁ ଡକ୍ଟର ଅରୁଣ ପ୍ରହରାଜ, ମିଆଁମାରରୁ ଡକ୍ଟର ଶୀତଲ କୁମାର, କୁଓ୍ୱେତରୁ ଗିରିଜା ଶଙ୍କର ପାଢ଼ୀ, ଆମେରିକାରୁ ଡକ୍ଟର ଅନିଲ ପଟ୍ଟନାୟକ, କାନାଡା ଟରୋଣ୍ଟୋରୁ ପ୍ରଭୁ ଯୋଗ ଦେଇଥିଲେ।

ଶନିବାର ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ସାଢ଼େ ୬ଟାରେ ବିଶ୍ୱ ଓଡ଼ିଆ ମହୋତ୍ସବର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଦୁଇ ଦିନ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଶ୍ୱର ୩୦ରୁ ଅଧିକ ଦେଶରେ ବାସ କରୁଥିବା ପ୍ରବାସୀ ଓଡ଼ିଆ ଓ ବିଭିନ୍ନ ଓଡ଼ିଆ ସଙ୍ଗଠନର କର୍ମକର୍ତ୍ତା ଯୋଗ ଦେବେ। ଏହି ଦୁଇ ଦିନରେ ସ୍ୱାଦିଷ୍ଟ ଓଡ଼ିଆ ବ୍ୟଞ୍ଜନ, ନାଟକ ମହୋତ୍ସବ, ସୁର ସଙ୍ଗୀତ ଓ ବିଶ୍ୱ ଗପ ସପ ଆଦି ବିଭିନ୍ନ କାର୍ଯ୍ୟକ୍ରମ ହେବ।

Comment