ଓଡିଶାଲାଇଭ୍ ବ୍ୟୁରୋ

ଆନନ୍ଦ ଉଲ୍ଲାସ ଭିତରେ ଶେଷ ହୋଇଛି ଓସାର ବାର୍ଷିକ ଅଧିବେଶନ। ଜୁଲାଇ ତିନିରୁ ପାଞ୍ଚ ତାରିଖ ଯାଏଁ ଚାଲିଥିବା ଏହି କାର୍ଯ୍ୟକ୍ରମ ବିଶ୍ଵ ଭ୍ରାତୃତ୍ଵର ନିଦର୍ଶନ ଥିଲା ବୋଲି କହିଛନ୍ତି ଓସା ସଭାପତି କୁକୁ ଦାସ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ଅନଲାଇନ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

କରୋନା ମହାମାରୀର ସମସ୍ତ କଟକଣାକୁ ମାନି ଓସା ପକ୍ଷରୁ ଏହି ତିନିଦିନିଆ ବାର୍ଷିକ ଅଧିବେଶନ ଆୟୋଜିତ ହୋଇଥିଲା। ସାମାଜିକ ଦୂରତାକୁ ମାନି ଡିଜିଟାଲ ମାଧ୍ୟମରେ କାର୍ଯ୍ୟକ୍ରମର ପରିଚାଳନା କରାଯାଇଥିଲା। କରୋନା ମହାମାରୀ ସମୟରେ ମନୋବଳ ବଜାୟ ରଖି ଆଗକୁ ବଢ଼ିବା ସହ ଓଡ଼ିଆମାନେ ଯେଉଁଠି ରହିବା ଏକାଠି ରହିବା ବୋଲି କୁକୁ ଦାସ ମତ ଦେଇଥିଲେ।ଓସାର ୨୦୨୦ ବାର୍ଷିକ ଅଧିବେଶନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତରୁ କାର୍ଯ୍ୟକ୍ରମ ଆରମ୍ଭ କରି ମା’ ମାଟି ପ୍ରତି ସମ୍ମାନ ଓ ଶ୍ରଦ୍ଧା ଜଣାଇଥିଲା ଓସା। ‘ଅଭୁଲା ସ୍ମୃତି’ ବିଭାଗରେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ନିଜ ମନର କଥା ଶୁଣାଇଥିଲେ। ସେହିପରି ନାରୀମାନଙ୍କୁ ସମ୍ମାନ ଜଣାଇ ଏକ ମହିଳା ସେମିନାରର ଆୟୋଜନ କରାଯାଇଥିଲା। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ଼ ପିଲାମାନେ ଚମ୍ପୁ, ଛାନ୍ଦ, ଓଡ଼ିଶୀ ଆଦି ନୃତ୍ୟ ଗୀତର ତାଳେ ତାଳେ ଦର୍ଶକଙ୍କୁ ଝୁମାଇଥିଲେ। ସବୁ ପ୍ରାନ୍ତରେ ଥିବା ଓଡ଼ିଆମାନଙ୍କର ନୃତ୍ୟ ଏଥିରେ ସାମିଲ ଥିଲା।

ଓଡ଼ିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ ବିଷୟରେ ପିଲାମାନେ ଓଡ଼ିଆରେ କହିଥିଲେ। ଏଥିସହ କବିତା ପାଠ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।

ଓସା ପକ୍ଷରୁ ଆୟୋଜିତ ଏହି ଅଧିବେଶନରେ ବୈଜ୍ଞାନିକ ପଦ୍ମଭୂଷଣ ଯୋଗେଶ ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ। ଏଥିସହ ଓସାର ଉପସଭାପତି ଡକ୍ଟର ଅନିଲ ପଟ୍ଟନାୟକ, ବିବେକ ଦାସ ଏବଂ କୋଷାଧ୍ୟକ୍ଷ ଉତ୍କଳ ନାୟକଙ୍କ ସମେତ ଓସାର ଅଠରଟି ଶାଖାରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ।

Comment