ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ୨୬ରୁ ଓସା ପକ୍ଷରୁ ଆୟୋଜିତ ହେବ ‘ବିଶ୍ୱ ଓଡ଼ିଆ ମହୋତ୍ସବ ୨୦୨୦’।

ବିଶ୍ୱର କୋଣ ଅନୁକୋଣରେ ଥିବା ଓଡ଼ିଆଙ୍କୁ ଏକାଠି କରିବା ପାଇଁ ଓଡିଶା ସୋସାଇଟି ଅଫ୍ ଦି ଆମେରିକାସ୍ (OSA ବା ଓସା) ପକ୍ଷରୁ ଡିସେମ୍ବର ୨୬ ଓ ୨୭ ତାରିଖରେ ‘ବିଶ୍ଵ ଓଡ଼ିଆ ମହୋତ୍ସବ ୨୦୨୦’ ଆୟୋଜିତ ହେବାକୁ ଯାଉଛି। ପ୍ରଥମ ଥର ପାଇଁ ବିଶ୍ୱର ୩୦ରୁ ଅଧିକ ଦେଶରେ ବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ମିଳିତ ଆନୁକୁଲ୍ୟରେ ଏହି ମହୋତ୍ସବ ଆୟୋଜିତ ହେବ। ଏଥିରେ ସ୍ୱାସ୍ଥ୍ୟ, ଶିକ୍ଷା, ଦକ୍ଷତା ବିକାଶ, ଉଦ୍ୟୋଗୀକରଣ, ପର୍ଯ୍ୟଟନ, ମହିଳା ସଶକ୍ତିକରଣ ଓ ଯୁବ ସଂଯୋଗ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯିବ।୨୬ ତାରିଖ ସନ୍ଧ୍ୟା ୬ଟା ୩୦ ମିନିଟରେ ‘ବିଶ୍ଵ ଓଡ଼ିଆ ମହୋତ୍ସବ ୨୦୨୦’ର ଉଦଘାଟନୀ ଉତ୍ସବ ଆୟୋଜିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗଜପତି ମହାରାଜା ଦିବ୍ୟସିଂହ ଦେବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନିଆ ସାଂସଦ ଡକ୍ଟର ସ୍ୱରୂପ ଆର୍ ମିଶ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ‘ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ, ଓସାର ସଭାନେତ୍ରୀ କୁକୁ ଦାସ ପ୍ରମୁଖ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ରହିବେ।ଡିସେମ୍ବର ୨୬ ତାରିଖ ମଧ୍ୟାହ୍ନ ୧୨ଟାରେ ‘ଗଣମାଧ୍ୟମର ଭୂମିକା’ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ସେହିପରି ରାତି ୯ଟାରେ ପରବର୍ତ୍ତୀ ପିଢ଼ି ପାଇଁ ଉନ୍ନତ ଉଚ୍ଚଶିକ୍ଷା ଓ ରାତି ୧୦ଟାରେ ଓଡ଼ିଶାର ବିକାଶ ଉପରେ ଆଲୋଚନା କରାଯିବ। ଏହାପରେ ରାତି ୧୧ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିସହ ସ୍ୱାଦିଷ୍ଟ ଓଡ଼ିଆ ବ୍ୟଞ୍ଜନ, ନାଟକ ମହୋତ୍ସବ, ସୁର ସଙ୍ଗୀତ ଓ ବିଶ୍ୱ ଗପ ସପ ଆଦି କାର୍ଯ୍ୟକ୍ରମ ହେବ।

‘ବିଶ୍ଵ ଓଡ଼ିଆ ମହୋତ୍ସବ ୨୦୨୦’ର ଦ୍ୱୀତିୟ ଦିନରେ ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନାଚକ୍ର ଆୟୋଜନ କରାଯିବ। ସ୍ୱାସ୍ଥ୍ୟ, ନାରୀ ସଶକ୍ତିକରଣ, ଯୁବ ସଂଯୋଗ ଆଦି ବିଷୟ ଉପରେ ବିଶେଷଜ୍ଞମାନେ ଆଲୋଚନା କରିବେ। ଡିସେମ୍ବର ୨୭ ତାରିଖ ରାତି ୧୧ଟାରେ ଏହି ମହୋତ୍ସବର ଉଦଯାପନୀ ଉତ୍ସବ ଆୟୋଜିତ ହେବ। ଏହାପରେ ମୋ ସ୍ୱପ୍ନର ଓଡ଼ିଶା ୨୦୧୬ ଶୀର୍ଷକ ଉପରେ ଛୋଟ ପିଲାମାନଙ୍କ ଭାଷଣ, କବିତା ପାଠ, ଗପ ସପ ଆଦି କାର୍ଯ୍ୟକ୍ରମ କରାଯିବ।ଓସା ସହିତ ୩୦ଟି ଦେଶ ଓ ବିଭିନ୍ନ ଅନୁଷ୍ଠାନ ମିଶି ଏହି ମହାକୁମ୍ଭର ଆୟୋଜନ କରୁଛନ୍ତି। ବିଶ୍ୱ ସ୍ତରରେ ବ୍ରାଣ୍ଡ ଓଡ଼ିଶା ନିର୍ମାଣ କରିବା ହେଉଛି ଏହାର ଉଦ୍ଦେଶ୍ୟ। ଓଡ଼ିଶାର ବିକାଶରେ ବିଦେଶରେ ଥିବା ଓଡ଼ିଆମାନେ କିପରି ସାମିଲ ହୋଇପାରିବେ ଏବଂ ଓଡ଼ିଶା ସହିତ ଘନିଷ୍ଠ ଭାବେ ଯୋଡ଼ି ହୋଇପାରିବେ ସେଥିପାଇଁ ଓସା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ‘ବିଶ୍ଵ ଓଡ଼ିଆ ମହୋତ୍ସବ’ ମଧ୍ୟ ସେହି ଲକ୍ଷ୍ୟ ରଖିଛି ବୋଲି ଓସାର ସଭାନେତ୍ରୀ କୁକୁ ଦାସ କହିଛନ୍ତି।

Comment