ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସୋସାଇଟି ଅଫ୍ ଆମେରିକାଜ଼ (ଓସା) ଦ୍ୱାରା ଓଡ଼ିଆ ପିଲାମାନଙ୍କର ଚିଠି ଲେଖା ୱେବ ମହୋତ୍ସବ ଆୟୋଜିତ ହୋଇଯାଇଛି। ‘ଜେଜେଙ୍କୁ ଚିଠି’ ନାମକ ଏହି ବିରଳ ସାରସ୍ୱତ ଆସରରେ ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କର ପିଲାମାନେ ଏଥିରେ ଅଂଶଗ୍ରହଣ କରିଥିଲେ।

ନିଜ ମାତୃଭାଷାକୁ ବିଦେଶରେ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବା ପାଇଁ ଓସା ପକ୍ଷରୁ ଆୟୋଜିତ ହେଉଥିବା ‘ଚାଲ ଆମେ ଓଡ଼ିଆ ଶିଖିବା’ କାର୍ଯ୍ୟକ୍ରମର ଏହା ଅଂଶବିଶେଷ ବୋଲି ଜଣାପଡ଼ିଛି। ୨୦୦୦ ମସିହାରେ ପ୍ରଥମେ କାଲିଫର୍ଣ୍ଣିଆରୁ ଏହି ଶିକ୍ଷା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ଏହାପରେ ୨୦୧୦ ମସିହାରେ ଓସା ଏହାକୁ ଗ୍ରହଣ କରିଥିଲା।

ଅନଲାଇନ କ୍ଲାସ ଜରିଆରେ ଛାତ୍ରଛାତ୍ରୀମାନଙ୍କର ଓଡ଼ିଆ ଲେଖିବା ଓ କହିବାର କୁଶଳତାକୁ ବିକଶିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଡିଜିଟାଲ ମଞ୍ଚ ଜରିଆରେ ଏହି ଚିଠି ସମାବେଶରେ ଭାଗନେଇ ପିଲାମାନେ ସେମାନଙ୍କର ଅଜା, ଆଈ, ଜେଜେମା, ଜେଜେବାପାଙ୍କ ପାଇଁ  ଓଡ଼ିଆରେ ଲେଖିଥିବା ଚିଠିଗୁଡ଼ିକୁ ପଢ଼ିଥିଲେ। ଅଂଶଗ୍ରହଣକାରୀ ପିଲାମାନଙ୍କ ସହିତ ସେମାନଙ୍କର ପିତା, ମାତା ଓ ବୁଢ଼ା ବାପା, ବୁଢ଼ୀ ମା’ମାନେ ମଧ୍ୟ ଏହି ପରିକଳ୍ପନାକୁ ଵେଶ ପସନ୍ଦ କରିଛନ୍ତି।ଓଡ଼ିଶାରୁ ଅନେକ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଆମେରିକା ଆସି ଏଠାରେ ବସବାସ କରୁଛନ୍ତି। ସେମାନେ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ଅନେକ କୃତିତ୍ୱ ପ୍ରଦର୍ଶନ କରିଛନ୍ତି ଓ ନିଜ ଜନ୍ମମାଟି ପାଇଁ ଵେଶ ସୁନାମ ଅର୍ଜନ କରିଛନ୍ତି। ସବୁ ଦିଗରୁ ବାହାବା ପାଇଲେବି ସବୁବେଳେ ଏଠାକାର ମା’ ବାପାଙ୍କ ମନରେ ଥାଏ ଯେ, ସେମାନଙ୍କର ପିଲାମାନେ କେମିତି ଓଡ଼ିଆରେ ନିଜ ଅଜା, ଆଈ, ଜେଜେ ବାପା ଓ ଜେଜେ ମା’ଙ୍କ କଥା ହୁଅନ୍ତେ। ଡିଜିଟାଲ ସାହିତ୍ୟ ସମାରୋହ ସେମାନଙ୍କର ଏହି ଇଚ୍ଛାଟି ପୁରା କରିପାରିଛି ବୋଲି କୁହାଯାଇଛି।

ଏହି ଅବସରରେ ପିଲାମାନେ ଓଡ଼ିଶାର ମହାନ ସାହିତ୍ୟ ସାଧକ ମଧୁସୂଦନ ରାଓ,ଗୋପବନ୍ଧୁ ଦାସ ଏବଂ ଫକୀର ମୋହନ ସେନାପତିଙ୍କ ଦ୍ୱାରା ରଚିତ କବିତା ମଧ୍ୟ ଆବୃତ୍ତି କରିଥିଲେ। ଓଡ଼ିଶା ଓ ଆମେରିକାରେ ଥିବା ବୟସ୍କ ବ୍ୟକ୍ତିମାନେ ଓସାର ନିମନ୍ତ୍ରଣକୁ ଖୁସିରେ ଗ୍ରହଣକରି ପିଲାମାନଙ୍କର ଏହି ଚିଠି କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଏହାକୁ ଉପଭୋଗ କରିଥିଲେ।

ପିଲାମାନଙ୍କର ପ୍ରତିଭା ଓ ପାରଦର୍ଶିତା ଅଭୂତପୂର୍ବ ଥିଲା ବୋଲି ବ୍ୟାପକ ସଫଳତା ହାସଲ ହୋଇପାରିଛି। ସମାବେଶକୁ ନେଇ ସୃଷ୍ଟି ହୋଇଥିବା ବିପୁଳ ଆଗ୍ରହ, ଉତ୍ସାହ ଓ ଉଦ୍ଦୀପନା ତାଙ୍କୁ ଅଭିଭୂତ କରିଛି ଓ ଭବିଷ୍ୟତରେ ଓସା ଏହିଭଳି ସାହିତ୍ୟ କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ହାତକୁ ନେବ ବୋଲି ଚିଠି ମହୋତ୍ସବର ମୁଖ୍ୟ ଆୟୋଜକ ତଥା ପରିଚାଳକ ଓସାର ସଭାପତି କୁକୁ ଦାସ କହିଛନ୍ତି।

Comment