ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵ ଓଡ଼ିଆ ମହୋତ୍ସବ – ୨୦୨୦ ଉଦଘାଟିତ ହୋଇଛି।

ବିଶ୍ୱର କୋଣ ଅନୁକୋଣରେ ଥିବା ଓଡ଼ିଆଙ୍କୁ ଏକାଠି କରିବା ପାଇଁ ଓଡ଼ିଶା ସୋସାଇଟି ଅଫ୍ ଦି ଆମେରିକାସ୍(ଓସା) ପକ୍ଷରୁ ‘ବିଶ୍ୱ ଓଡ଼ିଆ ମହୋତ୍ସବ ୨୦୨୦’ ଆରମ୍ଭ ହୋଇଛି। ଶନିବାର ସନ୍ଧ୍ୟାରେ ଏକ ଭର୍ଚୁଆଲ କାର୍ଯ୍ୟକ୍ରମ ଜରିଆରେ ଏହି ମହୋଉତ୍ସବ ଉଦଘାଟିତ ହୋଇଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭିଡିଓ ବାର୍ତ୍ତା ମାଧ୍ୟମରେ ଉତ୍ସବକୁ ସମ୍ଵୋଧନ କରି କହିଥିଲେ ଯେ, ସାରା ବିଶ୍ଵର ଓଡ଼ିଆମାନେ ଏକଜୁଟ ହୋଇ ବ୍ରାଣ୍ଡ ଓଡ଼ିଶାର ଶ୍ରେଷ୍ଠତାକୁ ପ୍ରମାଣିତ କରିବା ଆବଶ୍ୟକ। ପୃଥିବୀର କୋଣ ଅନୁକୋଣରେ ବସବାସ କରୁଥିଲେ ହେଁ ଆମେ ସଭିଁଏ ଗୋଟିଏ ପରିବାରର ସଦସ୍ୟ। ତେଣୁ ଆମ ସରକାରରେ ‘ମୋ ପରିବାର’ ସଂସ୍ଥା ବିଶ୍ଵଭରି ଓଡ଼ିଆମାନଙ୍କ ସହ ସଂଯୋଗ ପାଇଁ ଉଦ୍ଦିଷ୍ଟ।

“ଅଧ୍ୟାତ୍ମବୋଧ ହେଉଛି ସଫଳତାର ମୂଳ ମନ୍ତ୍ର। ଶିକ୍ଷା ସଂସ୍କୃତି ପରମ୍ପରାକୁ ସୁଦୃଢ ରଖିଲେ ହିଁ ଆମେ ଆଗେଇ ପାରିବା। ତେଣୁ ଦେଶରେ ଶାନ୍ତି ଓ ପ୍ରଗତି ପ୍ରତିଷ୍ଠା ପାଇଁ ଶିକ୍ଷା ଓ ସଂସ୍କୃତିକୁ ଉନ୍ନତ କରାଯିବା ଆବଶ୍ୟକ”, କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ମହୋତ୍ସବରେ ସାମିଲ ହୋଇ ବ୍ରାଣ୍ଡ ଓଡ଼ିଶାର ଲକ୍ଷ୍ୟ ସ୍ଥାପନା ଉପରେ ନିଜର ମତ ରଖିଥିଲେ। ସେହିପରି କୃଷିମନ୍ତ୍ରୀ ଅରୁଣ ସାହୁ, ବ୍ରାଣ୍ଡ ଓଡ଼ିଶାର ଯଥାର୍ଥତା ଏବଂ ସାର୍ଥକତା ଅନ୍ତର୍ଜାତୀୟ ସ୍ତରରେ କିପରି ପ୍ରତିପାଦିତ କରାଯାଇପାରିବ ସେ ବିଷୟରେ ପରାମର୍ଶ ଦେବା ସହ ଓଡ଼ିଶା ସୋସାଇଟି ଅଫ୍ ଆମେରିକା (ଓସା)ର ଏକ ବ୍ରାଞ୍ଚ ଭୁବନେଶ୍ଵରରେ ଖୋଲିବା ପାଇଁ ପ୍ରସ୍ତାବ ଦେଇଥିଲେ।

“ଓଡ଼ିଶା ଓ ଓଡ଼ିଆଙ୍କୁ ଶ୍ରେଷ୍ଠ ଓ ସମୃଦ୍ଧ ପ୍ରମାଣିତ କରିବା ତଥା ବିଶ୍ଵସ୍ତରରେ ଆମ ମାତୃ ପ୍ରଦେଶକୁ ସମୁଚିତ ମାନ୍ୟତା ପ୍ରଦାନ କରିବା ଓସାର ମୁଖ୍ୟ ଲକ୍ଷ୍ୟ”, କହିଛନ୍ତି ଓସାର ସଭାପତି କୁକୁ ଦାସ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିଙ୍କ ମଧ୍ୟରେ ‘ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ, କେନିଆ ସାଂସହ ଡକ୍ଟର ସ୍ଵରୂପ ମିଶ୍ର, ବରିଷ୍ଠ ପ୍ରଶାସକ ବିଶାଲ ଦେବ ପ୍ରମୁଖ ସାମିଲ ହୋଇଥିଲେ। ଓସାର ସଭାପତି କୁକୁ ଦାସ ସ୍ଵାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଓସାର ଉପାଧ୍ୟକ୍ଷ ଅନୀଲ ପଟ୍ଟନାୟକ ଧନ୍ୟବାଦ ଅର୍ପଣ ଖଇଥିଲେ।

Comment