ଓଡ଼ିଶାଲାଇଭ୍ ବ୍ୟୁରୋ

ମିଡିଆର ସ୍ଥିତି ଓ ଏହାର ମଡେଲ, ଗଣମାଧ୍ୟମର ସ୍ଵାଧୀନତା, ଡିଜିଟାଲ ମୁହାଁ ଲିଗାସି ମିଡିଆକୁ ନେଇ ଚର୍ଚ୍ଚା।

ବର୍ତ୍ତମାନ ଓଡ଼ିଶାରେ ମିଡିଆର ସ୍ଥିତି କ’ଣ? ମିଡିଆ ମଡେଲ, ଏହାର ଭବିଷ୍ୟତ ରୋଡ୍ ମ୍ୟାପ୍ କେମିତି ରହିଛି? ଏହାର ମାଲିକାନା ଓ ବିଜିନେସ ମଡେଲ କିପରି? ଗଣମାଧ୍ୟମର ସ୍ୱାଧୀନତା କ୍ଷୁଣ୍ଣ ହେଉଛି କି? ରାଜନୈତିକ ହସ୍ତକ୍ଷେପ ବଢୁଛି। ଗଣମାଧ୍ୟମ ନିରପେକ୍ଷ ହୋଇପାରୁନି। ମିଥ୍ୟା ଖବର, ମିଡିଆ ଟ୍ରାଏଲରେ ବ୍ୟସ୍ତ ରହି ଗ୍ରାମାଞ୍ଚଳ ଖବରରୁ ଦୂରେଇ ଯାଉଛି କି ମୁଖ୍ୟସ୍ରୋତର ଗଣମାଧ୍ୟମ। ମହିଳା ସାମ୍ବାଦିକଙ୍କ ସଂଖ୍ୟା କାହିଁକି ଉତ୍ସାହଜନକ ହୋଇପାରୁନି। ବ୍ରାଣ୍ଡ ଓଡ଼ିଶା ପାଇଁ ମିଡିଆର ଭୂମିକା କ’ଣ?

ଏଭଳି ଅନେକ ପ୍ରଶ୍ନ ଓ ପ୍ରସଙ୍ଗକୁ ଚର୍ଚ୍ଚା କରିବା ଓ ସେଥିରୁ ନିଷ୍କର୍ସ ବାହାର କରିବାର ଗୋଟିଏ ଅବସର ଆଣିଦେଇଥିଲା ଓସା (ଓଡ଼ିଶା ସୋସାଇଟି ଅଫ୍ ଦି ଆମେରିକାସ)। ‘ବିଶ୍ୱ ଓଡ଼ିଆ ମହୋତ୍ସବ ୨୦୨୦’ରେ ‘ଗଣମାଧ୍ୟମର ଭୂମିକା’ ଉପରେ ଏକ ସେମିନାର ଆୟୋଜନ କରିଥିଲା ସୋସାଇଟି। ଏହି ଆଲୋଚନାରେ ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା ସମ୍ପାଦକ ନୀଳାମ୍ବର ରଥ, କନକ ନ୍ୟୁଜର ସମ୍ପାଦକ ମନୋରଞ୍ଜନ ମିଶ୍ର, କଳିଙ୍ଗ ଟିଭିର ମୁଖ୍ୟ ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ, ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିର ଭଟ୍ଟମିଶ୍ର, ଓଟିଭିର ବାର୍ତ୍ତା ସମ୍ପାଦକ ରାଧାମାଧବ ମିଶ୍ର, ନ୍ୟୁଜ୍‌୭ର ସିନିଅର ପ୍ରଡ୍ୟୁସର ତଥା ନ୍ୟୁଜ୍ ଆଙ୍କର ଇତିଶ୍ରୀ ନାୟକ ନିଜ ନିଜର ମତ ଓ ବିଚାର ରଖିଥିଲେ।ଗଣମାଧ୍ୟମ ପାଖରେ ବିଜନେସ୍ ମଡେଲ ନାହିଁ : ମନୋରଞ୍ଜନ ମିଶ୍ର

ବ୍ରାଣ୍ଡ ଓଡ଼ିଶା, ଗଣମାଧ୍ୟମ ମାଲିକାନା, ନିରପେକ୍ଷତା ଉପରେ କନକ ନ୍ୟୁଜର ସମ୍ପାଦକ ମନୋରଞ୍ଜନ ମିଶ୍ର କହିଥିଲେ ଯେ, ପ୍ରବାସୀ ଓଡ଼ିଆଙ୍କ କଥା ଆମେ ବଡ଼ ଆଗ୍ରହରେ ନେଉ। ଡିଜିଟାଲ ପ୍ଲାଟଫର୍ମରେ ଆମର କନେକ୍ସନ ବହୁତ ବଢ଼ିଯାଇଛି। ସାରା ବିଶ୍ୱ ସହ ଆମେ ଗୋଟେ ବନ୍ଧ ବାନ୍ଧିସାରିଛୁ। ଯେତେବେଳେ ବି ସୁଯୋଗ ଆସିବ, ବିଶ୍ୱରେ ଥିବା ଭାଇବ୍ରାଣ୍ଟ ଓଡ଼ିଆ ସୋସାଇଟିର କାର୍ଯ୍ୟକ୍ରମ, ଖବରକୁ ଆମେ ଗଣମାଧ୍ୟମରେ ନେବୁ। ଗଣମାଧ୍ୟମ ଏକ ଭଲ ସମୟରେ ଅଛି। କିନ୍ତୁ ତା’ ପାଖରେ ବିଜନେସ ମଡେଲ ନାହିଁ। ତେଣୁ ନେତାଙ୍କ ହାତରେ ବା ସେମାନଙ୍କ ପୃଷ୍ଠପୋଷକତାରେ ରହିବାକୁ ବାଧ୍ୟ ହେଉଛି ଗଣମାଧ୍ୟମ। ଓଡ଼ିଶା ବାହାରେ ରାଜନୈତିକ ଦଳମାନେ ନିଜର ଏଜେଣ୍ଡା ପାଠକଙ୍କ ସାମ୍ନାରେ ରଖି ଗଣମାଧ୍ୟମ ସଂସ୍ଥା ଚଳାଉଛନ୍ତି। କିନ୍ତୁ ଓଡ଼ିଶାରେ ନେତାମାନେ ଗଣମାଧ୍ୟମ ପଛରେ ରହି ନିଜର ଏଜେଣ୍ଡାକୁ ଭର୍ତ୍ତି କରିବା ଲୋକଙ୍କୁ ସନ୍ଦେହରେ ପକାଉଛି।ଶାସକ ଦଳ ନାଁରେ ନକାରାତ୍ମକ ଖବର କେବଳ ସାମ୍ବାଦିକତା ନୁହେଁ : ଶିଶିର ଭଟ୍ଟମିଶ୍ର

ଟିଭି ପରଦା ଖୋଲିଲେ ବଡ଼ ବଡ଼ ସିଟିର ଖବର, ସେଲିବ୍ରିଟିଙ୍କ ଘରୋଇ ବିବାଦ ଖବର ଆମେ ଦେଖୁଛୁ। ଏହା ଭିତରେ ଗାଁ ଓ ଗାଁଲୋକଙ୍କ ଖବର ମିସିଙ୍ଗ୍ ହେଉଛି କାହିଁକି? ଏଭଳି ପ୍ରଶ୍ନର ଉତ୍ତରରେ ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିର ଭଟ୍ଟ ମିଶ୍ର କହିଥିଲେ ଯେ, ଟିଭିରେ ଗ୍ଳାମର ଚାଲେ, ଏକଥା ସବୁବେଳେ ସତ ନୁହେଁ। ଆମେ ନଗଡ଼ାର ଦାରିଦ୍ର‌୍ୟ କଥା ବି ଅତି ଭଲ ଭାବେ ଦେଖେଇଛୁ। କୌଣସି ଗଣମାଧ୍ୟମ ଏଭଳି ଭେଦଭାବ ବି କରେନି ଯେ ଗ୍ରାମାଞ୍ଚଳ ଖବର କମ୍ ଦେଖେଇବୁ କି ସହର ଖବର ଅଧିକ ଦେଖେଇବୁ। ତେବେ ରୁରାଲ ରିପୋର୍ଟିଂ କ୍ଷେତ୍ରରେ ଟିଭି ପଛରେ ପଡ଼ିଛି ବୋଲି ଧାରଣା ବଢୁଛି। ତେଣୁ ଗ୍ରାମାଞ୍ଚଳ ଖବର କିଭଳି ବିଶ୍ୱସ୍ତରୀୟ କରାଯାଇପାରିବ, ତାହା ଭାବିବାର ସମୟ ଆସିଛି।

“ଶାସକ ଦଳ ବିରୋଧରେ ଖାଲି ନକାରାତ୍ମକ ଖବର ଲେଖିବା ହିଁ ସାମ୍ବାଦିକତା ବୋଲି ଧାରଣା ରହିଆସିଛି। ଶାସକ ଦଳ ଭଲ କରୁଥିଲେ ଭଲ କିମ୍ବା ଖରାପ କରୁଥିଲେ ଭୁଲ୍ ବୋଲି ଦେଖେଇବା। ମିଡିଆ ନିଜ ପାଇଁ ନୁହେଁ, ଲୋକଙ୍କ ପାଇଁ ପକ୍ଷଧର ହେଉଛି। ଲୋକେ ସତ ମିଛ ସବୁ ଜାଣନ୍ତି। ନିଜ ପାଇଁ ଦରକାର ଖବର ସେମାନେ ଛାଣିନେବେ”, କହିଛନ୍ତି ଶିଶିର ଭଟ୍ଟମିଶ୍ର।

ଗ୍ରାମୀଣ ଓ ଉନ୍ନୟନ ଖବର ପାଇଁ ସ୍ପେସ ଜରୁରୀ: ନୀଳାମ୍ବର ରଥ

ପାରମ୍ପରିକ ଗଣମାଧ୍ୟମ ଏବେ ଡିଜିଟାଲ ଗଣମାଧ୍ୟମ ତୁଳନାରେ ନିଜର ଆକର୍ଷଣ ହରାଉଛି କି? ଏହି ପ୍ରଶ୍ନର ଉତ୍ତରରେ ୫ଟି ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ ଓଡ଼ିଶାଲାଇଭ୍ ପ୍ରତିଷ୍ଠାତା ତଥା ସମ୍ପାଦକ ନୀଳାମ୍ବର ରଥ। ସେ କହିଥିଲେ ଯେ, ଓଡ଼ିଶାର ଟିଭି ଚ୍ୟାନେଲଗୁଡ଼ିକର ଟିଆରପି ରିଫ୍ଲେକ୍ସନ ଡିଜିଟାଲ ପ୍ଲାଟଫର୍ମରେ ବି ବଢୁଛି। ଯେଉଁଥିପାଇଁ ସବୁ ଲିଗାସି ମିଡିଆ (ଖବରକାଗଜ, ଟିଭି, ରେଡିଓ) ଏବେ ଡିଜିଟାଲ ପ୍ଲାଟଫର୍ମକୁ ଆସିଗଲେଣି। କାରଣ ଡିଜିଟାଲ ପ୍ଲାଟଫର୍ମ ହିଁ ମିଡିଆର ଭବିଷ୍ୟତ।

ଦ୍ୱିତୀୟରେ ଟେକନୋଲୋଜି। ଦୀର୍ଘ ଦଶନ୍ଧି ଧରି ମୁଦ୍ରିତ ଗଣମାଧ୍ୟମରେ ଛାପା କାମ ବ୍ୟତୀତ ଅନ୍ୟ କିଛି ଟେକନୋଲୋଜି ପ୍ରଭାବକୁ ଲୋକେ ଦେଖିପାରୁ ନ ଥିଲେ। କିନ୍ତୁ ମୋବାଇଲ ଆସିବା ପରେ ବର୍ତ୍ତମାନ ମିଡିଆ ଟେକନୋଲୋଜିରେ ଗୋଟେ ବୈପ୍ଳବିକ ପରିବର୍ତ୍ତନ ଆସିଲା, ଯାହାର ସିଧାସଳଖ ପ୍ରଭାବ ନ୍ୟୁଜ୍ ରୁମ୍‌, ପ୍ରକାଶକ, ସମ୍ପାଦକ, ଗଣମାଧ୍ୟମ ମାଲିକଙ୍କ ଉପରେ ପଡ଼ିଲା। ତୃତୀୟ କଥା ହେଉଛି କଣ୍ଟେଣ୍ଟ ବା ବିଷୟ। ଯାହାର କଣ୍ଟେଣ୍ଟ ଭଲ, ସେ ବଜାରରେ ଭଲ କରିବ। ସେକ୍ସ, ଅପରାଧ ଭଳି ହଟଚମଟ ନ୍ୟୁଜ ଯେଭଳି ଚାଲୁଛି, ସେଥିରେ ସମ୍ପାଦକମାନେ ମଧ୍ୟ ଦ୍ୱନ୍ଦ୍ୱରେ ପଡୁଛନ୍ତି ଯେ, ସେମାନେ ନିଜେ ଯାହା ଚାହୁଁଛନ୍ତି ସେହି କଣ୍ଟେଣ୍ଟ ନେବେ, ନା ରେଟିଂ ଯାହା ଚାହୁଁଛି ସେହି କଣ୍ଟେଣ୍ଟ।

ଚତୁର୍ଥରେ ଗଣମାଧ୍ୟମ ସମସ୍ତଙ୍କୁ ପ୍ରଶ୍ନ ପଚାରେ। ତାକୁ କେହି ପ୍ରଶ୍ନ କରିବାକୁ ସାହସ କରନ୍ତି ନାହିଁ। କିନ୍ତୁ ସୋସିଆଲ ମିଡିଆରେ କିଛି ନ୍ୟୁଜ ପ୍ଲେୟର ଆସିଲେଣି ଯେଉଁମାନେ ଗଣମାଧ୍ୟମକୁ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି। ପଞ୍ଚମ ହେଉଛି ବିକାଶମୂଳକ ଖବର ତଥା ଗ୍ରାମାଞ୍ଚଳ ସାମ୍ବାଦିକତା ପାଇଁ ସ୍ପେସ୍। ଡିଜିଟାଲ ମିଡିଆ ପାଇଁ ଆଜିର ଦିନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଗ୍ରାମୀଣ ଖବର।ନିରପେକ୍ଷ ନହେଲେ ଲୋକେ ପ୍ରତ୍ୟାଖ୍ୟାନ କରିବେ : ରାଧା ମାଧବ ମିଶ୍ର

“ଗଣମାଧ୍ୟମର ସ୍ୱାଧୀନତା ଓ ନିରପେକ୍ଷତା ନ ରହିଲେ, ତାହା ହଜିଯିବ ଓ ଲୋକଙ୍କ ଦ୍ୱାରା ପ୍ରତ୍ୟାଖାତ ମଧ୍ୟ ହେବ। ମିଡିଆ ଜଜମେଣ୍ଟାଲ ହେବା କିମ୍ବା ମିଡିଆ ଟ୍ରାଏଲ ବଢ଼ିବା ଯୋଗୁ ଗଣମାଧ୍ୟମର ନିରପେକ୍ଷତା ଉପରେ ଏବେ ପ୍ରଶ୍ନ ଉଠୁଛି। ଗଣମାଧ୍ୟମ ଯଦି ନିରପେକ୍ଷ ନହେବ, ଖବରର ସବୁ ଦିଗକୁ ନ ଦେଖେଇବ, ତେବେ ସଚେତନ ଦର୍ଶକଙ୍କ ପାଖରେ ପର୍ଯ୍ୟାପ୍ତ ବିକଳ୍ପ ଅଛି”, କହିଛନ୍ତି ଓଟିଭିର ବାର୍ତ୍ତା ସମ୍ପାଦକ ରାଧାମାଧବ ମିଶ୍ର।
ଗଣମାଧ୍ୟମରେ ରାଜନୈତିକ ହସ୍ତକ୍ଷେପ ସମ୍ପର୍କରେ ରାଧାମାଧବ କହିଛନ୍ତି ଯେ, ଗଣମାଧ୍ୟମରେ ରାଜନୈତିକ ହସ୍ତକ୍ଷେପ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଚାପକୁ ସହନ କରି ନିଜର ନିରପେକ୍ଷତା ବଜାୟ ରଖିବା ବର୍ତ୍ତମାନ ସମୟ ପାଇଁ ଏକ ଆହ୍ୱାନ। ଫେକ୍ ନ୍ୟୁଜ, ଏଜେଣ୍ଡାଭିତ୍ତିକ ନ୍ୟୁଜର ମଧ୍ୟ ଗୋଳିଆ ସ୍ଥିତି ସୃଷ୍ଟି ହୋଇଛି। ଯୁବ ସାମ୍ବାଦିକ ଓ ଦର୍ଶକ, ପାଠକମାନେ ସଚେତନ ହେଲେ କେହି ବାଟ ହୁଡ଼ିବେ ନାହିଁ।ଭଲ ଖବର ଧରି ଓଡ଼ିଶାକୁ ବିଶ୍ୱ ଦରବାରରେ ଚିହ୍ନେଇପାରିନି ଗଣମାଧ୍ୟମ : ସୌମ୍ୟଜିତ ପଟ୍ଟନାୟକ

“ବିଶ୍ୱ ମାନଚିତ୍ରରେ ଓଡ଼ିଶା କେବଳ ନିଜର ଦାରିଦ୍ର‌୍ୟ କିମ୍ବା ନିନ୍ଦା ଘଟଣାରେ ଚର୍ଚ୍ଚାକୁ ଆସିଛି। କିନ୍ତୁ କିଛି ଗୋଟେ ଭଲ ଖବରକୁ ନେଇ ଓଡ଼ିଶା ବିଶ୍ୱ ଦରବାରରେ ପରିଚିତ ହେବାର ଅବସର ଆସିନି”, କହିଛନ୍ତି କଳିଙ୍ଗଟିଭିର ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ।

ଗଣମାଧ୍ୟମର ଭୂମିକା ଏଥିରେ କ’ଣ ରହିବ ପ୍ରଶ୍ନରେ ସୌମ୍ୟଜିତ କହିଥିଲେ ଯେ, ବିଶ୍ୱ ସମୁଦାୟ ଆଖିରେ ଓଡ଼ିଶାର ଯେଉଁ ତଥାକଥିତ ପରିଚୟ ରହିଆସିଛି, ତାହାକୁ ବଦଳାଇବା ପାଇଁ ଟିକେ ସମୟ ଲାଗିବ। ମୁଁ ଭାବୁଛି ସେ ପ୍ରକ୍ରିୟା ବି ଗଣମାଧ୍ୟମରେ ଆରମ୍ଭ ହୋଇଗଲାଣି। ଯେଉଁଥିପାଇଁ ଓଡ଼ିଶାକୁ ବିଶ୍ୱବାସୀ ତଥା ଅନ୍ତର୍ଜାତୀୟ କମ୍ପାନୀମାନଙ୍କ ଆଗମନ ହେଉଛି। ଫନୀ ସମୟରେ ଓଡ଼ିଶା ଯେଉଁଭଳି ଭାବେ ତାର ମୁକାବିଲା କଲା ଓ ସର୍ବାଧିକ ଲୋକଙ୍କୁ ସ୍ଥାନାନ୍ତର କରିପାରିଲା, ତାହା ନ୍ୟୁୟର୍କ ଟାଇମ୍ସରେ ବାହାରିଥିଲା। ଓଡ଼ିଶାର ବିପର୍ଯ୍ୟୟ ପରିଚାଳନାକୁ ସେଥିରେ ପ୍ରଶଂସା କରାଯାଇଥିଲା।ରିପୋର୍ଟିଂରେ ମହିଳାମାନେ ଚ୍ୟାଲେଞ୍ଜ ନେଇପାରିବେନି ବୋଲି ଧାରଣା ଅଛି : ଇତିଶ୍ରୀ ନାୟକ

ଗଣମାଧ୍ୟମରେ ସକ୍ରିୟ ମହିଳା ସାମ୍ବାଦିକାଙ୍କ ସଂଖ୍ୟା କାହିଁକି ଉତ୍ସାହଜନକ ନୁହେଁ? ଏଭଳି ପ୍ରସଙ୍ଗରେ ନ୍ୟୁଜ୍‌୭ର ସିନିୟର ପ୍ରଡ୍ୟୁସର ତଥା ନ୍ୟୁଜ୍ ଆଙ୍କର ଇତିଶ୍ରୀ ନାୟକଙ୍କ କହିଛନ୍ତି ଯେ, ଏଭଳି ଧାରାକୁ ଭାଙ୍ଗିବା ପାଇଁ ମହିଳା ଓ ଗଣମାଧ୍ୟମ ସଂସ୍ଥାମାନଙ୍କର ମନୋବୃତ୍ତି ଓ ଧାରଣା ବଦଳାଇବାକୁ ପଡ଼ିବ। ରିପୋର୍ଟିଂରେ ମହିଳାମାନେ ଅଧିକ ଚ୍ୟାଲେଞ୍ଜ ନେଇପାରିବେ ନାହିଁ ବୋଲି ଧାରଣା ଭାଙ୍ଗିବାକୁ ପଡ଼ିବ। ଟିଭି ପାଇଁ ମହିଳାଙ୍କୁ କେବଳ ତାଙ୍କ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ନୁହେଁ, ଦକ୍ଷତା ଦୃଷ୍ଟିରୁ ଅଧିକ ମୂଲ୍ୟାୟନ କରାଯାଉ।

ବର୍ତ୍ତମାନ ଡିଜିଟାଲ ଓ ସୋସିଆଲ ମିଡିଆର ଟ୍ରେଣ୍ଡ। ଏହାର ସମୟୋପଯୋଗିତାକୁ ସ୍ୱାଗତ କରିଥିଲେ ନୀଳାମ୍ବର ରଥ ଓ ମନୋରଞ୍ଜନ ମିଶ୍ର। ଡିଜିଟାଲ ମିଡିଆର ଏକ ସୁନାମି ଆସିଛି ବୋଲି ମତ ଦେଇଥିଲେ ରାଧାମାଧବ ମିଶ୍ର। ଏ ସମ୍ପର୍କରେ ଶିଶିର ଭଟ୍ଟମିଶ୍ରଙ୍କ ମତ ହେଲା ପେଡ୍ ଟ୍ରୋଲରଙ୍କ ଟ୍ରେଣ୍ଡ ବି ବଢୁଛି। ତେଣୁ ଏହା ସହ ୱେବ୍ ମିଡିଆ ଉପରେ ବି ନିୟନ୍ତ୍ରଣ ରହିବା ଦରକାର।

ଏହି ଆଲୋଚନାଚକ୍ରକୁ ୟୁଏଇରେ ରହୁଥିବା ସୁଧାଶ୍ରୀ ଦାଶ ସଂଚାଳନା କରିଥିଲେ।

Comment