ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡିଶା ସୋସାଇଟି ଅଫ୍ ଦି ଆମେରିକାସ୍(OSA ବା ଓସା) ପକ୍ଷରୁ ଆସନ୍ତା ଡିସେମ୍ବର ୨୬ ଓ ୨୭ ତାରିଖରେ ‘ବିଶ୍ଵ ଓଡ଼ିଆ ମହୋତ୍ସବ’ ଆୟୋଜିତ ହେବ। ଏନେଇ ଶନିବାର ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ଦେଶରେ ଥିବା ଓଡ଼ିଆ ସଂଗଠନର ବରିଷ୍ଠ କର୍ମକର୍ତ୍ତାମାନେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସ୍ଵାଗତ କରିଛନ୍ତି।ଦୁଇ ଦିନ ଧରି ଅନ୍‌ଲାଇନ୍‌ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ମହୋତ୍ସବ ଆୟୋଜିତ ହେବ। ଏଥିରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯିବ। ଆଲୋଚନାରେ ଶିକ୍ଷାବିତ୍, ବିଶେଷଜ୍ଞ, ଲେଖକ, ଲାଇବ୍ରେରିଆନ୍, ନୀତି ନିର୍ମାତା, ପ୍ରବାସୀ ଓଡ଼ିଆ ଆଦି ସାମିଲ ହେବେ। ସାମୂହିକ ପ୍ରଗତି ପାଇଁ ବିଶ୍ଵ ଓଡ଼ିଆ ନେଟ୍‌ଓ୍ଵର୍କ ସୃଷ୍ଟି, ଓଡ଼ିଶାର ବିକାଶ ପାଇଁ ଯୋଗଦାନ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ଵାସ୍ଥ୍ୟସେବା, ଉଚ୍ଚଶିକ୍ଷା, ମହିଳା କଲ୍ୟାଣ ଓ ଯୁବ ଆଗ୍ରହୀ କ୍ଷେତ୍ରଗୁଡ଼ିକରେ କାମ କରୁଥିବା ବିଶେଷଜ୍ଞଙ୍କ ସହଯୋଗ ପରି ୩ଟି ବିଷୟ ଉପରେ ଆଲୋଚନା ହେବ।ଓଡ଼ିଶାର ବିକାଶରେ ବିଦେଶରେ ଥିବା ଓଡ଼ିଆମାନେ କିପରି ସାମିଲ ହୋଇପାରିବେ ଏବଂ ଓଡ଼ିଶା ସହିତ ଘନିଷ୍ଠ ଭାବେ ଯୋଡ଼ି ହୋଇପାରିବେ ସେଥିପାଇଁ ଓସା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ‘ବିଶ୍ଵ ଓଡ଼ିଆ ମହୋତ୍ସବ’ ମଧ୍ୟ ସେହି ଲକ୍ଷ୍ୟ ରଖିଛି ବୋଲି ଓସାର ସଭାନେତ୍ରୀ କୁକୁ ଦାସ ଓଡ଼ିଶାଲାଇଭ୍‌କୁ କହିଛନ୍ତି।ଏହି ମହୋତ୍ସବକୁ ନେଇ ଗତକାଲି ଅନୁଷ୍ଠିତ ବୈଠକରେ ଡକ୍ଟର ଅରୁଣ କୁମାର ପ୍ରହରାଜ, କ୍ଷୀରୋଦ କୁମାର ଜେନା, ଉତ୍କଳ ନାୟକ, ଡକ୍ଟର ଦେବେନ୍ଦ୍ର ମାଝି, ସଞ୍ଜୟ ଦାସ, କୁନ୍ନା ଦାସ, ଡକ୍ଟର ଅଦ୍ରିଶ ବ୍ରହ୍ମଦତ୍ତ, କିଶୋର ଦ୍ଵିବେଦୀ, ସନ୍ତୋଷ ମିଶ୍ର, ସୁସ୍ମିତା ରାଜହଂସ, ସୁସ୍ମିତା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

Comment