ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆସାମର ଦୁଇ ପ୍ରସିଦ୍ଧ କଣ୍ଠଶିଳ୍ପୀ ନନ୍ଦୀ ଭଉଣୀ ଅନ୍ତରା ଓ ଅଙ୍କିତା ସମ୍ବଲପୁରୀ ଗୀତ ଗାଇ ସୋସିଆଲ ମିଡିଆରେ ଚହଳ ପକାଇଛନ୍ତି। ପାରମ୍ପରିକ ସମ୍ବଲପୁରୀ ଶାଢ଼ି ପିନ୍ଧି, ପାଦରେ ପାଦ ଛନ୍ଦି ସେମାନେ ପ୍ରସିଦ୍ଧ ରଙ୍ଗବତୀ ଓ ଡାଲଖାଇ ଗୀତ ଗାଇଛନ୍ତି। ସେମାନଙ୍କୁ ସଙ୍ଗୀତ ପରିବେଷଣ ଶୈଳୀ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ବିଶେଷ କରି ଓଡ଼ିଆ ଦର୍ଶକ ଏହି ଗୀତରେ ଦିଓ୍ୱାନା ହୋଇଛନ୍ତି।

ଦୁହିଁଙ୍କ ପ୍ରଦର୍ଶନ ସେମାନଙ୍କ ‘ବାଲକୋନି କନସର୍ଟ’  ସିରିଜର ଏକ ଅଂଶ ଥିଲା। ଲକ୍‌ଡାଉନ ସମୟରେ ସଙ୍ଗୀତ ପ୍ରେମୀଙ୍କ ମନୋରଞ୍ଜନ ପାଇଁ ପାଇଁ ସେମାନେ ଏହି ସିରିଜର ଆରମ୍ଭ କରିଥିଲେ। ଏହି ସିରିଜରେ ସେମାନେ ବିଭିନ୍ନ ଭାଷାରେ ଗୀତ ଗାଇଛନ୍ତି। ଏବେ ସମ୍ବଲପୁରୀ ଗାତ ଗାଇ ସେମାନେ ବେଶ ପ୍ରଶଂସିତ ହୋଇଛନ୍ତି।

ରଙ୍ଗବତୀ ସହ ଡାଲଖାଇକୁ ନେଇ ସେମାନେ ପ୍ରସ୍ତୁତ କରିଥିବା ୩ ମିନିଟ ୪୦ ସେକେଣ୍ଡର ଏହି ଭିଡିଓକୁ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ପୋଷ୍ଟ କରିଛନ୍ତି। ଏହାକୁ ହଜାର ହଜାର ଦର୍ଶକ ଦେଖି ଲାଇକ କରିବା ସହିତ ସେୟାର କରିଛନ୍ତି।

ଗୀତ ଅପଲୋଡ କରିବା ସହିତ ଦୁଇ ଭଉଣୀ ଅନ୍ତରା, ଅଙ୍କିତା କହିଛନ୍ତି, ‘‘ଓଡ଼ିଆ ଆମର ମାତୃଭାଷା ନୁହେଁ। କିନ୍ତୁ ଆଶା କରୁଛି ଯେ ଆପଣମାନେ ଆମର କିଛି ବି ଭୁଲକୁ କ୍ଷମା କରିବେ, ଆଉ ଆମର ଗୀତକୁ ଶୁଣି ଆନନ୍ଦିତ ହେବେ’’।

ଏହି ଗୀତ ଗାଇଲା ବେଳେ ଦୁଇ ଭଉଣୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋକୁ ଆଗରେ ରଖିଥିଲେ। ଏହାସହିତ ସେମାନେ ପାରମ୍ପରିକ ସମ୍ବଲପୁରୀ ଶାଢ଼ି, ଅଳଙ୍କାର ପିନ୍ଧିଥିବା ଦେଖିବାକୁ ମିଳିଥିଲା।

Comment