ଜଗନ୍ନାଥ ପ୍ରସାଦ ଦାସ

ଅନୁବାଦ କହିଲେ ଆମେ ସାଧାରଣତଃ କୌଣସି ଲେଖାର ଗୋଟିଏ ଭାଷାରୁ ଅନ୍ୟ ଏକ ଭାଷାକୁ ରୂପାନ୍ତରୀକରଣ କଥା ବୁଝିଥାଉ। କିନ୍ତୁ ଅନୁବାଦର ଅନେକ ବିଭିନ୍ନ ପରିଭାଷା ଅଛି, ଯଥା : ବ୍ୟାଖ୍ୟା, ବିବରଣ, ଅନୁକରଣ, ପୁନରାଲୋଚନା, କଥନ, ବର୍ଣ୍ଣନ ଇତ୍ୟାଦି ଇତ୍ୟାଦି। ଇଂରେଜୀରେ ମଧ୍ୟ ଟ୍ରାନ୍ସଲେଟ୍‌ କରିବା ବିସ୍ତୃତ ଅର୍ଥରେ ଗୋଟିଏ ଜିନିଷକୁ ଅନ୍ୟ ଆକାର ବା ମାଧ୍ୟମରେ ପ୍ରକାଶ ବା ଗଠନ କରିବା, ଏପରିକି ଭାବନାକୁ କାର୍ଯ୍ୟରେ ପରିଣତ କରିବା ମଧ୍ୟ ଟ୍ରାନ୍ସଲେସନ।

ଏହିପରି ବ୍ୟାପକ ପରିଭାଷାରେ ନିମ୍ନଲିଖିତ କାର୍ଯ୍ୟକୁ ମଧ୍ୟ ଅନୁବାଦର ସଂଜ୍ଞାରେ ନିଆଯାଇପାରେ: ଲିଖିତ ଗୀତକୁ ସଂଗୀତ ଦେବା, ଉପନ୍ୟାସକୁ ନାଟକ ବା ଚଳଚ୍ଚିତ୍ରର ରୂପ ଦେବା, ଲିଖିତ ନାଟକକୁ ମଞ୍ଚସ୍ଥ କରିବା, କୌଣସି ଲେଖାକୁ ଆଧୁନିକ ଭାଷା ଓ ଭିନ୍ନ ଭଙ୍ଗୀରେ ପୁନର୍ଲେଖନ କରିବା ଇତ୍ୟାଦି। ଏହି ସଂଜ୍ଞାକୁ ଆହୁରି ପରିବ୍ୟାପ୍ତ କଲେ କୌଣସି କଳାର ଅନୁକରଣରେ ଅନ୍ୟ ଏକ କଳାକୃତି ସୃଷ୍ଟି କରିବା, ଲେଖାର ପ୍ୟାରୋଡ଼ି ବା ଲାଳିକା ରଚନା କରିବା ମଧ୍ୟ ଏକ ପ୍ରକାରର ଅନୁବାଦ। ଏହି ଲେଖାରେ ଅନୁବାଦର ଏହି ବ୍ୟାପକ ଅର୍ଥକୁ ନିଆଯାଇଛି।

ସବୁ ଅନୁବାଦ ବିଷୟରେ ସବୁ ସମୟରେ ଆଲୋଚନା କରାଯାଇଥାଏ ଏହା ମୂଳ ସୃଷ୍ଟି ପାଖରେ କେତେଦୂର ବିଶ୍ୱସ୍ତ ଏବଂ ଅନୁବାଦଟି ସୁନ୍ଦର କି ନା। ଏଥିପାଇଁ  ଚର୍ବିତ ଚର୍ବଣ, ନାରୀ ବିଦ୍ୱେଷୀ ଏବଂ ଅତି ଅସଂଗତ ଉକ୍ତି ବ୍ୟବହାର କରାଯାଇଥାଏ: ଅନୁବାଦ ନାରୀ ଭଳି, ବିଶ୍ୱସ୍ତ ହୋଇଥିଲେ ସୁନ୍ଦରୀ ନୁହେଁ, ସୁନ୍ଦରୀ ହୋଇଥିଲେ ବିଶ୍ୱସ୍ତ ନୁହେଁ। ଅବଶ୍ୟ ଏହାକୁ ଅନ୍ୟ ଭାବେ ମଧ୍ୟ କୁହାଯାଇପାରେ, ଅନୁବାଦ ପୁରୁଷ ଭଳି, କେବେହେଲେ ସୁନ୍ଦର ନୁହେଁ, କେବେ ହେଲେ ବିଶ୍ୱସ୍ତ ନୁହେଁ। ଅନୁବାଦକର୍ତ୍ତାଙ୍କୁ ସବୁବେଳେ ଏହି ବିଶ୍ୱସ୍ତତାର ମାନକରେ ସମାଲୋଚନା ସହିବାକୁ ପଡ଼ିଥାଏ। ସମାଲୋଚନା ଅତି ଉତ୍କଟ ହୋଇଥାଏ ଯେତେବେଳେ କୌଣସି ପ୍ରସିଦ୍ଧ ଓ ଲୋକପ୍ରିୟ କଳାକୃତିର ଅନୁବାଦ କରାଯାଇଥାଏ

ଏପରି ଶରବ୍ୟ ହେବାକୁ ପଡ଼ିଥିଲା ସତ୍ୟଜିତ ରାୟଙ୍କୁ ତାଙ୍କର ଫିଲ୍ମରେ ରବୀନ୍ଦ୍ରନାଥ ଠାକୁର ଓ ବିଭୂତି ଭୂଷଣ ବନ୍ଦ୍ୟୋପାଧ୍ୟାୟଙ୍କ ଲେଖାକୁ ପରିବର୍ତ୍ତିତ କରିଥିବାରୁ। ପଥେର ପାଁଚାଲୀ ବହିରେ ଦୁର୍ଗା ମରିଯାଉଛି ଅପୁ ଜନ୍ମ ହେବାର ଠିକ ପରେ ପରେ; ସତ୍ୟଜିତଙ୍କ ଫିଲ୍ମରେ ଦୁର୍ଗା ବଡ଼ ହେବା ପରେ ମରିଯାଉଛି ବର୍ଷାରେ ତିନ୍ତି। ଅପରାଜିତ ବହିର ଗୋଟିଏ ପ୍ରମୁଖ ଚରିତ୍ର ଲୀଳା ଫିଲ୍ମରେ ଅନୁପସ୍ଥିତ। ଚାରୁଲତା  ଫିଲ୍ମ ରବୀନ୍ଦ୍ରନାଥଙ୍କ ନଷ୍ଟନୀଡ଼ ଗଳ୍ପରୁ କେତେ ଅଲଗା ସେ ବିଷୟରେ ସମୀକ୍ଷକ ଅଶୋକ ରୁଦ୍ର ଏକ ଦୀର୍ଘ ଲେଖା ଲେଖିଥିଲେ ଏବଂ କହିଥିଲେ ଯେ ନଷ୍ଟନୀଡ଼ ସହିତ ଚାରୁଲତାର ସାମଂଜସ୍ୟ ଅତି ସାମାନ୍ୟ। ଏ ବିଷୟରେ ସତ୍ୟଜିତ ପନ୍ଦର ପୃଷ୍ଠାର ଏକ ଦୀର୍ଘ ସ୍ପଷ୍ଟୀକରଣ ଓ ଉତ୍ତର ଦେଇ ଶେଷରେ ଲେଖିଥିଲେ, ରୁଦ୍ରମଶାୟ ସାହିତ୍ୟ ବୁଝନ୍ତି କି ନା ମୁଁ ଜାଣେ ନା, ତେବେ ସେ ଫିଲ୍ମ କଥା ଆଦୌ ଜାଣନ୍ତି ନାହିଁ; ତାଙ୍କୁ ଆଉ ଉଦ୍ଧାର କରାଯାଇପାରିବ ନାହିଁ।

ଫିଲ୍ମ ଯେ ସାହିତ୍ୟରୁ ଏକ ଅଲଗା କଳା, ଏ ବିଷୟରେ ସ୍ୱୟଂ ରବୀନ୍ଦ୍ରନାଥ ମଧ୍ୟ ଏକମତ ହୋଇଥାନ୍ତେ, କାରଣ ଶିଶିର ଭାଦୁଡ଼ୀଙ୍କ ଭାଇ ମୁରାରୀ ଭାଦୁଡ଼ୀଙ୍କୁ ୧୯୨୯ରେ ଦେଇଥିବା ପତ୍ରରେ ସେ ଲେଖିଥିଲେ, ପ୍ରତିଟି କଳା ନିଜେ ତିଆରି କରିଥିବା ପୃଥିବୀରେ ନିଜର ସ୍ୱତନ୍ତ୍ର ଅଭିବ୍ୟକ୍ତି ଚାହେଁ… ସିନେମା ଏ ପର୍ଯ୍ୟନ୍ତ ସାହିତ୍ୟର କ୍ରୀତଦାସ ଭଳି ଆଚରଣ କରୁଛି କାରଣ ଏ ପର୍ଯ୍ୟନ୍ତ ତା’କୁ ମୁକୁଳାଇବା ପାଇଁ କେହି ସୃଜନଶୀଳ ପ୍ରତିଭା ଆସି ନାହାନ୍ତି (Ramin Jahanbeglooଙ୍କର The Sprit of India ୨୦୦୮ ପୃଷ୍ଠା ୯୭ରେ ଉଦ୍ଧୃତ)। ସତ୍ୟଜିତ ରାୟ ବୋଧହୁଏ ଏଭଳି ଏକ ପ୍ରତିଭା ଥିଲେ। ଏ କଥାକୁ ସଲମାନ ରଶଦି ଭିନ୍ନ ଭାବରେ କହିଥିଲେ: ବହି ଓ ଫିଲ୍ମର ଭାଷା ଅଲଗା ଏବଂ ଅନୁବାଦ କରିବାର ଉଦ୍ୟମ ଅଧିକାଂଶ ସମୟରେ ଅସଫଳ ରହେ।

ଠିକ୍ ଏଇ ଭଳି ପରିସ୍ଥିତି ଉପୁଜିଥିଲା ଯେତେବେଳେ ମାଟିର ମଣିଷକୁ ନେଇ ମୃଣାଳ ସେନ ଫିଲ୍ମ କରିଥିଲେ। ତାଙ୍କର ଆତ୍ମଜୀବନୀର ବର୍ଣ୍ଣନା ଅନୁସାରେ ୧୯୬୬ରେ ସେ ଯେତେବେଳେ ଫିଲ୍ମର ଶୁଟିଙ୍ଗ୍ କରୁଥିଲେ, ଜଣେ ରିସର୍ଚ୍ଚ ସ୍କଲାର ତାଙ୍କ ସହିତ ଯୁକ୍ତି କରିଥିଲେ ଯେ ବହିର ପାଠ ସହିତ ସେ ଅଯଥା ସ୍ୱେଚ୍ଛାଚାର କରିଛନ୍ତି। ମୃଣାଳଙ୍କର ଉତ୍ତର ଥିଲା ଯେ ତାଙ୍କୁ ତିନି ଜଣ ମାଲିକାଣୀଙ୍କ ପାଖରେ କାମ କରିବାକୁ ହୁଏ : ବହିର ପାଠ, ସିନେମାର ଭାଷା ଏବଂ ତାଙ୍କର ନିଜର ସମୟକାଳ। ସେ କାଳିନ୍ଦୀ ଚରଣଙ୍କ ତିରିଶ ଦଶକର କାହାଣୀରେ ସାଂପ୍ରତିକ ସମ୍ବେଦନଶୀଳତା ବିନିଯୋଗ କରିଛନ୍ତି ମାତ୍ର।

ଭୁବନେଶ୍ୱରରେ ଫିଲ୍ମର ଏକ ବିଶେଷ ପ୍ରଦର୍ଶନ ହେବା ଅବସରରେ କିଛି ଉତ୍କଟ ବିଦ୍ୱାନ(hardcore academics) ଏହାକୁ ଧର୍ମଦ୍ରୋହୀ କାମ ବୋଲି କହିଥିଲେ କାରଣ ଏଥିରେ ମୂଳପାଠର କିଛି ପରିବର୍ତ୍ତନ ହୋଇଥିଲା। ଫିଲ୍ମଟି ମଧ୍ୟ ପ୍ରେକ୍ଷାଳୟରେ ବେଶି ଦିନ ଚାଲିଲା ନାହିଁ। ଛବିର ନିର୍ମାତା ବାବୁଲାଲ ଦୋଷୀ କଲିକତା ଯାଇ ମୃଣାଳଙ୍କୁ ଅନୁରୋଧ କଲେ ଯେ ସେ ଛବିର ଆରମ୍ଭ ଓ ମଝିରେ ସାମାନ୍ୟ ପରିବର୍ତ୍ତନ ଏବଂ ଫିଲ୍ମ ଶେଷରେ ଏକ ବିରାଟ ପରିବର୍ତ୍ତନ କରନ୍ତୁ। ମୃଣାଳ ତାଙ୍କୁ କହିଲେ ଯେ ସେ ବରଂ ଫିଲ୍ମରୁ ତାଙ୍କ ନାଁକୁ ବାହାର କରି ଦିଅନ୍ତୁ!

ମାଟିର ମଣିଷ ଫିଲ୍ମର ଏ ଭଳି ଦଶା ହୋଇଥିବାର କାରଣ ବୋଧହୁଏ ଯେ ଆମେମାନେ ବହିଟି ସହିତ ଅତି ଘନିଷ୍ଠ ଭାବେ ପରିଚିତ ଥିଲୁ। ଆମେ ଚାହୁଁଥିଲୁ ଚଳଚ୍ଚିତ୍ରଟି ମଧ୍ୟ ବହିଟି ଭଳି ବିଶ୍ୱବ୍ରହ୍ମାଣ୍ଡର ବର୍ଣ୍ଣନାରୁ ଆରମ୍ଭ ହୋଇଥାନ୍ତା, ସେଇ ସମୟକୁ ଦେଖାଇଥାନ୍ତା, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟକୁ ନୁହେଁ, ଏବଂ ସେଥିରେ ବହିରେ ବର୍ଣ୍ଣିତ ସବୁ ଚରିତ୍ର ଓ ଘଟଣା ରୂପାୟିତ ହୋଇଥାନ୍ତେ ଠିକ କାଳିନ୍ଦୀ ଚରଣ ଲେଖିଥିବା ଭଳି। ଆମେ ହୁଏ ତ ଏ କଥା ମଧ୍ୟ ଚାହୁଁଥିଲୁ ଯେ ଚରିତ୍ରମାନେ ଦେଖାଯାଉଥାନ୍ତେ ଆମେ ପଢ଼ିଥିବା ବହିରେ ଗୋପାଳ କାନୁନ୍‌ଗୋ ଆଙ୍କିଥିବା ଚିତ୍ରମାନଙ୍କ ଭଳି। ଏପରି ଭାବିବା ବେଳେ ଆମେ ଭୁଲିଯାଉ ଯେ ବହି ଓ ଫିଲ୍ମ ସଂପୂର୍ଣ୍ଣ ଅଲଗା ଜିନିଷ ଏବଂ ଫିଲ୍ମ ଦେଖିବା ବେଳେ ଆମେ ଦର୍ଶକ ମାତ୍ର, ମୂଳ ବହିର ପାଠକ ନୁହଁ। ପାଠକ ଦର୍ଶକ ଦ୍ୱନ୍ଦ୍ୱ ସଂପର୍କରେ ଏ କଥା ଉଲ୍ଲେଖନୀୟ ଯେ ଏକ ସମୟରେ ଓଡ଼ିଆ ଓ ବଙ୍ଗଳାରେ ଫିଲ୍ମକୁ ବହି କୁହାଯାଉଥିଲା।

ଫିଲ୍ମ ଓ ବହିକୁ ସଂପୂର୍ଣ୍ଣ ଅଲଗା ରଖିବାର ଏକ ଚୂଡ଼ାନ୍ତ ଉଦାହରଣ ହେଉଛି ଜଣେ ଅଭିନେତ୍ରୀଙ୍କର ବକ୍ତବ୍ୟ। ଅମୃତା ପ୍ରୀତମଙ୍କ ଉପନ୍ୟାସ ପିଂଜର ଉପରେ ଆଧାରିତ ଫିଲ୍ମରେ ଅଭିନୟ କରିବା ବେଳେ ଉର୍ମିଳା ମାତଣ୍ଡକର କହିଥିଲେ, ମୁଁ ଉପନ୍ୟାସଟି ପଢ଼ିଲି ନାହିଁ, କାରଣ ମୁଁ ଫିଲ୍ମ ସ୍କ୍ରିପ୍‌ଟର ନିକଟ ହେବାକୁ ଚାହୁଁ ଥିଲି।

ଉପନ୍ୟାସରୁ ଫିଲ୍ମ ହେବା ଭଳି ଗଳ୍ପ ଉପନ୍ୟାସରୁ ନାଟକ ହେବା ମଧ୍ୟ ଏକ ଅନୁବାଦ ପ୍ରକ୍ରିୟା। ଓଡ଼ିଆରେ ବହିରୁ ନାଟକର ଅନେକ ସୁନ୍ଦର ଉଦାହରଣ ଅଛି, ଯଥା, ଗୋପାଳ ଛୋଟରାୟଙ୍କ ଦ୍ୱାରା ପେଟେଣ୍ଟ ମେଡିସିନର ନାଟ୍ୟରୂପ ଶ୍ରୀମତୀ ସମାର୍ଜନୀ, କିମ୍ବା ଅଜିତ ଦାସଙ୍କ ଦ୍ୱାରା ଫତୁରାନନ୍ଦଙ୍କ ନାକଟା ଚିତ୍ରକରର ସଫଳ ମଂଚନ। ଏହି ରୂପାନ୍ତରମାନଙ୍କର ମୂଳ ବହି ସହିତ ସାଦୃଶ୍ୟ ବିଷୟରେ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳେ ନାହିଁ, ଯାହାର କାରଣ ହୋଇପାରେ ଓଡ଼ିଆରେ ନାଟକ ମଂଚନ ସମୀକ୍ଷାର ଅଭାବ। ତେବେ ଦର୍ଶକମାନଙ୍କର ସ୍ୱୀକୃତି ହିଁ ଏହି ଅନୁବାଦମାନଙ୍କର ପ୍ରଶଂସା ପତ୍ର।

ଓଡ଼ିଆ ଉପନ୍ୟାସକୁ ଅନ୍ୟ ଭାଷାରେ ଅନୁବାଦ କରିବା ବେଳେ କିନ୍ତୁ ସମୀକ୍ଷାର ଅଭାବ ହୁଏ ନାହିଁ। ଉପନ୍ୟାସକୁ ଫିଲ୍ମ ବା ନାଟକ କଲା ବେଳେ ତା’ର କାଟ ଛାଟକୁ ବରଂ କୁଣ୍ଠାର ସହିତ ଗ୍ରହଣ କରାଯାଏ, କିନ୍ତୁ ସାହିତ୍ୟିକ ଅନୁବାଦକୁ ପବିତ୍ର ବୋଲି ମନେ କରାଯାଏ। ପାଠରୁ ସାମାନ୍ୟ ବିଚ୍ୟୁତିକୁ ମାଷ୍ଟରିଆ ସମାଲୋଚକମାନେ ସହ୍ୟ କରିପାରନ୍ତି ନାହିଁ। ଉପନ୍ୟାସର ଫିଲ୍ମ ରୂପ ଯେପରି ଏକ ସଂପୂର୍ଣ୍ଣ ଅଲଗା ଗୋଷ୍ଠୀ(ପାଠକ ନୁହେଁ ଦର୍ଶକ) ପାଇଁ ଉଦ୍ଦିଷ୍ଟ, ସେହି ଭଳି ଅନୁବାଦିତ ବହିଟି ମଧ୍ୟ ଅନ୍ୟ ଗୋଟିଏ ଗ୍ରାହକ(ଭିନ୍ନ ଭାଷାର ପାଠକ) ପାଇଁ ଉଦ୍ଦିଷ୍ଟ। ଅନୁବାଦକକୁ ସବୁବେଳେ ଏହି ଗ୍ରାହକର ଚାହିଦାକୁ ମନେ ରଖିବାକୁ ହେବ। ଗୋପୀନାଥ ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ପରଜାର ବିକ୍ରମ ଦାସ କୃତ ଇଂରାଜୀ ଅନୁବାଦରେ ମୂଳ ବହିର ଅନେକ ଅଂଶକୁ କାଟି ଦିଆଯାଇଛି। ଅନୁବାଦ ତତ୍ତ୍ୱର ନିଷ୍ଠାବାଦୀମାନେ ଏ ବିଷୟରେ ଆପତ୍ତି ଉଠାଇ ପାରନ୍ତି, କିନ୍ତୁ ଏହା ଯେ ବହିଟିକୁ ଇଂରେଜୀ ପାଠକ ପାଇଁ ସାବଲୀଳ କରି ଦେଇଛି ଏଥିରେ ସନ୍ଦେହ ନାହିଁ।

ସାହିତ୍ୟିକ ଅନୁବାଦର ଅନ୍ୟ ଏକ ଦିଗ ହେଲା ଯେ ମୂଳ ପାଠଟି ସବୁବେଳେ ସତେଜ ରହୁଥିବା ବେଳେ ଅନୁବାଦଟି କାଳକ୍ରମେ ପୁରୁଣା ହୋଇଯାଏ ଏବଂ ସେଥିପାଇଁ ଅନେକ ସମୟରେ କ୍ଲାସିକ ବହିମାନଙ୍କର ନୂଆ ସମୟୋପଯୋଗୀ ଅନୁବାଦ ଦରକାର ହୁଏ। ଏ ବିଷୟରେ ଗୀତାଞ୍ଜଳିର ଅନୁବାଦକୁ ନିଆଯାଇପାରେ। ରବୀନ୍ଦ୍ରନାଥ  ନିଜେ କରିଥିବା ଓ ୟେଟ୍‌ସଙ୍କ ଦ୍ୱାରା ସଂଶୋଧିତ ବହି ନୋବେଲ ପ୍ରାଇଜ ପାଇବା ପରେ ଗୀତାଂଜଳି ସବୁବେଳେ ଆଲୋଚନାରେ ଥିଲା। ସମସ୍ତେ ଏକମତ ଥିଲେ ଯେ ଅନୁବାଦଟି ଆଦୌ ଠିକ ଓ ଉପଯୁକ୍ତ ନ ଥିଲା। ଏହାର ଏକ ନୂଆ ଅନୁବାଦର ଆବଶ୍ୟକତା ଅନୁବାଦ କରି ଟ୍ୟାଗୋର ବିଶେଷଜ୍ଞ ରାଦିଚେ ନିକଟରେ ଗୀତାଂଜଳିର ଏକ ନୂଆ ଅନୁବାଦ ପ୍ରକାଶ କରିଛନ୍ତି। ମଜାର ବିଷୟ ଯେ ଏହି ଅନୁବାଦଟି ମଧ୍ୟ କାହାରି ସମର୍ଥନ ପାଇ ନାହିଁ। ରବୀନ୍ଦ୍ରନାଥଙ୍କ ନିଜର ଅନୁବାଦ, ଯାହା ବର୍ତ୍ତମାନ କ୍ଲାସିକ ସ୍ତରକୁ ଉତ୍ତୀର୍ଣ୍ଣ, ହିଁ ପାଠକମାନେ ଆଦରି ନେଇଥିବା ଗୀତାଞ୍ଜଳି।

ଅନୁବାଦ ଯେ ମୂଳ ଲେଖାଠାରେ ସଂପୂର୍ଣ୍ଣ ଭାବେ ବିଶ୍ୱସ୍ତ ରହିବା ଉଚିତ, ଏ ଭଳି ଚିନ୍ତାଧାରା ଆସିଥିଲା ଧାର୍ମିକ ଗ୍ରନ୍ଥର ଅନୁବାଦ ପ୍ରସଙ୍ଗରେ। ଧର୍ମଗ୍ରନ୍ଥ ଯେହେତୁ ଈଶ୍ୱର ବା ଦୈବବାଣୀ, ଏହାର ମର୍ଯ୍ୟାଦାକୁ କ୍ଷୁଣ୍ଣ କରାଯାଇ ନପାରେ। ସେଥିପାଇଁ ପ୍ରାର୍ଥନା ଓ ପୂଜାପାଠରେ ଅନୁବାଦ ଗ୍ରାହ୍ୟ ହୁଏ ନାହିଁ। ମୁସଲମାନମାନେ ସେମାନଙ୍କ ପ୍ରାର୍ଥନା କେବଳ ଆରବିକ ଭାଷାରେ କରିଥାନ୍ତି ଏବଂ ହିନ୍ଦୁମାନଙ୍କର ପୂଜାପାଠ କେବଳ ଦେବଭାଷା ସଂସ୍କୃତରେ ହୋଇଥାଏ ବ୍ରାହ୍ମଣମାନଙ୍କ ଦ୍ୱାରା। ଏହାର ମୂଳରେ ଯୁକ୍ତି ହେଲା ଯେ ଦେବତାଙ୍କ ମୁଖନିଃସୃତ ମହାନ ବାକ୍ୟର ପ୍ରକୃତ ଅନୁବାଦ ଅସମ୍ଭବ। ଅବଶ୍ୟ ୧୬୧୧ରେ ହିବ୍ରୁ ଓ ଗ୍ରୀକ୍‌ରୁ ଅନୁବାଦିତ କିଙ୍ଗ୍ ଜେମ୍ସ ବାଇବେଲ ବହିଟି ନିଜେ ବର୍ତ୍ତମାନ ଦେବ ଭାଷାର ମହତ୍ତ୍ୱ ଲାଭ କରି ସାରିଛି। ଏଇଭଳି ଭାବରେ ଧର୍ମକୁ ସାଧାରଣ ଲୋକଙ୍କ ବୁଝିବାର ବାହାରେ ରଖିବାରେ ଲାଭ ହୁଏ ପଣ୍ଡା ପୁରୋହିତ ମୁଲ୍ଲା ବିଶପ ଭଳି ମଧ୍ୟସ୍ଥି ବା ଦଲାଲମାନଙ୍କର। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୬୧ରେ ବାଇବଲର ଏକ ଆଧୁନିକ ଇଂରେଜୀ ଅନୁବାଦ ହୋଇଛି। ୨୦୦୫ରେ ନବଯୁବକଙ୍କ ପାଇଁ ଅଷ୍ଟ୍ରେଲିଆର ବାଇବଲ ସୋସାଇଟି ଗୋଟିଏ ଅନୁବାଦ ପ୍ରକାଶ କରିଛନ୍ତି ଯେଉଁଥିରେ ଏପରି ବାକ୍ୟ ଅଛି:  In da Bginnin God cre8d da havens & da earth.

ଅନୁବାଦ ପଢ଼ିବା ବେଳେ ଆମେ ଭୁଲିଯିବା ଉଚିତ ମୂଳ ଲେଖାଟି କେଉଁ ଭାଷାର ବା ଅନୁବାଦଟି ମୂଳଲେଖାର କେତେ ଅବିକଳ, ସଠିକ ଓ ବିଶ୍ୱସ୍ତ। ଆମେ ଯେତେବେଳେ ଟଲଷ୍ଟୟ, ନେରୁଦା ବା ମୋପାସାଁଙ୍କୁ ଇଂରେଜୀରେ ପଢ଼ୁ, ସେତେବେଳେ ତା’ର ମୂଳ ଭାଷା କଥା ଆମ ମନକୁ ଆସି ନଥାଏ। ଫିତ୍‌ଜରାଲ୍‌ଡଙ୍କ ଓମର ଖୈୟାମର ଅବିଶ୍ୱସ୍ତ ଅନୁବାଦକୁ ଆମେ ସଠିକ ମାନି ନେଉ। ଜଗନ୍ନାଥ ଦାସଙ୍କ ଭାଗବତ ପଢ଼ିଲା ବେଳେ ଆମେ ଭୁଲିଯାଉ ଯେ ଏହା ଏକ ମୂଳ ସଂସ୍କୃତ ଲେଖାର ପୁନର୍ଲେଖନ। ସାରଳା ଦାସଙ୍କ ମହାଭାରତରେ ବ୍ୟାସଙ୍କୁ ଖୋଜିବା ଯେତିକି ନିରର୍ଥକ ସେତିକି ହାସ୍ୟାସ୍ପଦ। ଏହା ହିଁ ଏହି ଅନୁବାଦମାନଙ୍କର ସଫଳତା ଓ ସାର୍ଥକତା।

ଆଉ ଗୋଟିଏ ସମସ୍ୟାମୂଳକ ଅନୁବାଦ ହେଲା କବିତାକୁ ସ୍ୱର ଦେବା ବା ଗୀତରେ ସଂଗୀତର ସଂଯୋଜନା କରିବା। ଏ ବିଷୟରେ ସବୁଠାରୁ ବେଶି ସଚେତନ ଥିଲେ ରବୀନ୍ଦ୍ରନାଥ ଠାକୁର। ସେ ଚାହୁଁଥିଲେ ଯେ ତାଙ୍କର ଗୀତରେ ସେ ଯେଉଁଭଳି ସ୍ୱର ଦେଇଛନ୍ତି, ଗାୟକଗାୟିକାମାନେ ଠିକ ସେହିଭଳି ଗାଇବେ। ତାଙ୍କର ମୃତ୍ୟୁ ପରେ ତାଙ୍କର ରଚନା ଓ ସଂଗୀତର ସ୍ୱତ୍ୱ ବା କପିରାଇଟ ବିଶ୍ୱଭାରତୀ ହାତକୁ ଆସିଲା ଏବଂ ଗାୟକ ସଂଗୀତଜ୍ଞମାନଙ୍କୁ ରବୀନ୍ଦ୍ର ସଂଗୀତର ବ୍ୟବହାର ପାଇଁ ସେମାନଙ୍କର ଅନୁମତି ନେବାକୁ ପଡ଼ିଲା। ବିଶ୍ୱଭାରତୀ ଗାୟକମାନଙ୍କୁ ରବୀନ୍ଦ୍ର ଗୀତି ନିଜ ଶୈଳୀରେ ଗାଇବାକୁ ଦେଲେ ନାହିଁ। ଏପରିକି ୧୯୬୪ରେ ପ୍ରସିଦ୍ଧ ଗାୟକ ଦେବବ୍ରତ ବିଶ୍ୱାସଙ୍କର ରବୀନ୍ଦ୍ର ଗୀତ ଗାଇବାର ଶୈଳୀକୁ ବିଶ୍ୱଭାରତୀ ପକ୍ଷରୁ ବିରୋଧ କରାଯାଇଥିଲା। ରବୀନ୍ଦ୍ରଙ୍କ ମୃତ୍ୟୁର ପଚାଶ ବର୍ଷ ପରେ ୧୯୯୧ରେ ତାଙ୍କ ଲେଖା ଓ ଗୀତ କପିରାଇଟ ମୁକ୍ତ ହୋଇଯିବାର ଥିଲା। କିନ୍ତୁ ଏହି କପିରାଇଟରୁ ବିଶ୍ୱଭାରତୀ ବେଶ ଲାଭ କରୁଥିବାରୁ ସେମାନଙ୍କ ଅନୁରୋଧରେ ଏହାର ଅବଧି ଆହୁରି ଦଶ ବର୍ଷ ବଢ଼ାଇ ଦିଆଗଲା।

ଏ ବିଷୟରେ ଉଲ୍ଲେଖଯୋଗ୍ୟ ଯେ ଗାନ୍ଧୀଜୀ ନିଜ ଲେଖାର କପି ରାଇଟ ବିପକ୍ଷରେ ଥିଲେ ଏବଂ ହିନ୍ଦ ସ୍ୱରାଜ ବହିର ଇଂରେଜୀ ସଂସ୍କରଣରେ ଲେଖି ଦେଇଥିଲେ, ନୋ ରାଇଟ୍‌ସ ରିଜର୍ଭଡ। ତାଙ୍କର ମୃତ୍ୟୁ ପରେ ତାଙ୍କ ଲେଖାର କପି ରାଇଟ ନବଜୀବନ ଟ୍ରଷ୍ଟ ହାତରେ ରହିଲା; ୨୦୦୮ରେ ଏହି କପି ରାଇଟ ଶେଷ ହେବାରେ ସେମାନେ ଏହାକୁ ବଢ଼ାଇବାକୁ ଚାହିଁଲେ ନାହିଁ।

୨୦୦୧ରେ ବିଶ୍ୱଭାରତୀ ହାତରୁ ରବୀନ୍ଦ୍ର ସଙ୍ଗୀତର କପିରାଇଟ ଚାଲିଯିବା ପରେ ତାଙ୍କର ଗୀତର ରକ୍, ସୋଲ୍‌ଫୁଲ ଗିଟାର ଇତ୍ୟାଦି ରୂପାନ୍ତର ଦେଖିବାକୁ ମିଳିଲା। ନିକଟରେ ଗୋଟିଏ ଚଳଚ୍ଚିତ୍ରରେ ରବୀନ୍ଦ୍ରନାଥଙ୍କର ଗୀତ ‘ପାଗ୍‌ଲା ହାଓ୍ୱାର ବାଦଲ ଦିନେ’ର ଏକ ଢିକ୍ ଚିକ୍ ସଂସ୍କରଣ ଶୁଣିବାକୁ ମିଳିଲା ଯାହାର ଆରମ୍ଭ ହୋଇଥିଲା ଉ-ଲା-ଲା ରୁ। ରବୀନ୍ଦ୍ର ସଂଗୀତର ରୂଢ଼ିବାଦୀ ସମର୍ଥକଙ୍କ ପକ୍ଷରୁ ନିନ୍ଦା ପାଇବା ସତ୍ତ୍ୱେ ଗୀତଟି ସର୍ବସାଧାରଣରେ ଆଦୃତ ହୋଇଥିଲା, ଯଦିଓ ଚଳଚ୍ଚିତ୍ରଟି ଅସଫଳ ଥିଲା।

ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଆସିବା ରଙ୍ଗବତୀ ପ୍ରସଙ୍ଗକୁ। ଚାଳିଶ ବର୍ଷ ତଳେ ମିତ୍ରଭାନୁ ଗୌନ୍ତିଆଙ୍କ ଲିଖିତ ଗୀତଟି ପ୍ରଭୁଦତ୍ତ ପ୍ରଧାନଙ୍କ ସ୍ୱର ସଂଯୋଜନାରେ କୃଷ୍ଣା ପଟେଲ ଓ ଜିତେନ୍ଦ୍ର ହରିପାଲଙ୍କ କଣ୍ଠରେ ପ୍ରସାରିତ ହୋଇଥିଲା। ଅତି ଅଳ୍ପ ସମୟ ଭିତରେ ପ୍ରଭୂତ ଲୋକପ୍ରିୟତା ପାଇ ଏହା ଦେଶ ବିଦେଶରେ ପହଞ୍ଚି ସେଠାରେ ମଧ୍ୟ ଆଦୃତ ହୋଇଥିଲା। ଏହାର ଅନେକ ମିଶ୍ରିତ ବା ରିମିକ୍ସ ସଂସ୍କରଣ ମଧ୍ୟ ବଜାରକୁ ଆସିଥିଲା, ଯଥା ୨୦୧୦ରେ ୟୁଟ୍ୟୁବ୍‌ରେ ପ୍ରସାରିତ ଏହାର ତେଲୁଗୁ ରୂପ। ଏହାର ହିନ୍ଦୀ ରୂପାନ୍ତର ବ୍ୟବହାର ହୋଇଛି ନୀଳମାଧବ ପଣ୍ଡାଙ୍କ ଫିଲ୍ମରେ।

ଗତ ମାସରୁ କିନ୍ତୁ ହଠାତ ବିତର୍କ ଓ ବାଦବିବାଦ ଉପୁଜିଛି ଏମ୍‌ଟିଭି କୋକ୍ ଷ୍ଟୁଡିଓରୁ ବାହାରିଥିବା ରିମିକ୍ସି ଯାହାକୁ ଗାଇଛନ୍ତି ଜଣାଶୁଣା ଗାୟକ ଗାୟିକା ସୋନା ମହାପାତ୍ର, ରାମ ସଂପତ ଓ ଋତୁରାଜ ମହାନ୍ତି। ଏହାର ଗାଇବା ଶୈଳୀ ବ୍ୟତୀତ ଅନ୍ୟ ଏକ ସମାଲୋଚନା ହୋଇଛି ଗୀତର ଦ୍ୱିତୀୟ ଭାଗରେ ତାମିଲ ରାପ୍ ଓ ବନ୍ଦେ ଉତ୍କଳ ଜନନୀର ସଂଯୋଗ।

ଅନୁବାଦର ବ୍ୟବସାୟିକ, ଆର୍ଥିକ ଓ ଆଇନଗତ ଦିଗ ମଧ୍ୟ ରହିଛି : ମୂଳ କୃତିର ଅନୁବାଦ ପାଇଁ ଅନୁମତି ନେବା, ତା ପାଇଁ ମୂଲ୍ୟ ଦେବା, ଅନୁବାଦିତ ବିଷୟର ବ୍ୟବହାର ଓ ପ୍ରୟୋଗ ବିଷୟରେ ବୁଝାମଣା ଇତ୍ୟାଦି। ଏହି ଲେଖାରେ କେବଳ ନାନ୍ଦନିକ ଦୃଷ୍ଟିରୁ ଆଲୋଚନା କରାଯାଉଛି କାରଣ ଆଇନ, ଟଙ୍କା ପଇସା ଇତ୍ୟାଦି କେବଳ ମୂଳ ସ୍ରଷ୍ଟା ଓ ଅନୁବାଦକଙ୍କର ଆପୋସ ସମସ୍ୟା, ଏଥିରେ ପାଠକ ଦର୍ଶକ ଶ୍ରୋତାଙ୍କର କୌଣସି ସଂପର୍କ ନାହିଁ ଏବଂ ସେମାନେ ଏଥିରେ ଆଗ୍ରହୀ ନୁହନ୍ତି।

ରଙ୍ଗବତୀର ନୂଆ ରୂପକୁ ଦର୍ଶକ ଓ ଶ୍ରୋତା ଆନନ୍ଦର ସହିତ ଗ୍ରହଣ କରିଛନ୍ତି, ଏବଂ ଏହା ଦ୍ୱାରା ଗୋଟିଏ ନୂଆ ପିଢ଼ି ଅନୁପ୍ରାଣିତ ହୋଇଛି। ଏହି ଅନୁବାଦ ଗୋଟିଏ ଆଞ୍ଚଳିକ ଭାଷାର ଗୀତକୁ ଆନ୍ତର୍ଜାତିକ ସ୍ତରକୁ ଏବଂ ଏକ ବୃହତ୍ତର ଶ୍ରୋତୃମଣ୍ଡଳୀ ପାଖକୁ ନେଇଯାଇଛି।

ତେବେ ସମାଲୋଚନା କରାଯାଉଛି ଯେ ଏହି ରିମିକ୍ସ ମୂଳ ଗୀତକୁ ବିରୂପ କରୁଛି ଓ ଓଡ଼ିଆ ଜାତୀୟ ସଂଗୀତକୁ ଅବମାନନା କରୁଛି। କେବଳ କଳାତ୍ମକ ଓ ଗ୍ରହଣୀୟତା ଦୃଷ୍ଟିରୁ ଦେଖିଲେ କିନ୍ତୁ ଏହା ଏକ ଅତି ସଫଳ ଅନୁବାଦ ଓ ଆଧୁନିକୀକରଣ, ଏବଂ ଏହା ଲୋକପ୍ରିୟ ହୋଇଥିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏହି ଅନୁବାଦକୁ ସ୍ୱାଗତ କରିବା କଥା।

କୁହାଯାଇଥାଏ ଯେ ଅନୁକରଣ କରିବା ହେଉଛି ତୋଷାମଦ। ତା’କୁ ବିସ୍ତାର କରି କୁହାଯାଇପାରେ ଯେ ଅନୁବାଦ ହେଉଛି ମୂଳ ରଚନା ପ୍ରତି ଶ୍ରଦ୍ଧାଂଜଳି। ଏଠାରେ ସାହିତ୍ୟିକ ଶୈଳୀ ପ୍ୟାରୋଡି ବା ଲାଳିକାକୁ ଅନୁବାଦ ବୋଲି ଧରି ତା’ର ଉଦାହରଣ ମଧ୍ୟ ଦିଆ ଯାଇପାରେ। ରାଧାନାଥ ତାଙ୍କର ଚିଲିକାରେ କୀଟ୍‌ସ୍‌ଙ୍କର ପ୍ରସିଦ୍ଧ ଉକ୍ତି ‘ଏ ଥିଙ୍ଗ ଅଫ ବିଉଟି’ର ମୁକ୍ତ ଅନୁବାଦ କରିଥିଲେ, ସୁନ୍ଦରେ ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ। ଲାଳିକାକାର ଲେଖିଲେ, ମାଂସରେ ତୃପ୍ତିର ଅବସାଦ ନାହିଁ, ଯେତେ ଖାଉଥିଲେ ଆଉ ମାଗୁଥାଇ। ଏହା କୀଟ୍‌ସ୍‌ଙ୍କର ଅବମାନନା  ବା ରାଧାନାଥଙ୍କର ବିକୃତୀକରଣ ନୁହେଁ। ଏହା ହେଉଛି ପ୍ରସିଦ୍ଧ କବିତାର ପ୍ରସିଦ୍ଧ ଧାଡ଼ିକୁ ସମ୍ମାନ ଜଣାଇବା। ସେହିପରି ଫକୀରମୋହନଙ୍କର ‘ଯା ଦେବୀ ବୃକ୍ଷ ମୂଳେଷୁ ଶିଳାରୂପେଣ ସଂସ୍ଥିତା’ କୌଣସି ରୂପେ ଦେବୀ ଦୁର୍ଗାଙ୍କର ବା ମୂଳ ସ୍ତୁତିର ଅପମାନ ନୁହେଁ।

ଆଲୋଚନା ଓ ମୂଲ୍ୟାୟନ କରିବା ବେଳେ ପ୍ରତ୍ୟେକ ଅନୁବାଦକୁ ଏହି ବ୍ୟାପକ ଦୃଷ୍ଟିରୁ ଦେଖିବା ଉଚିତ।

(ଜଗନ୍ନାଥ ପ୍ରସାଦ ଦାସ ଜଣେ ବିଶିଷ୍ଟ ଲେଖକ ଓ ଗବେଷକ। ଏହି ଲେଖାଟି ତାଙ୍କ ପ୍ରକାଶିତ ‘ଆମ ଭାଷା, ଆମ ସଂସ୍କୃତି’ ପୁସ୍ତକର ଅଂଶ। ଏହି ବହିର ବିଭିନ୍ନ ଲେଖାକୁ ଡିଜିଟାଲ ମିଡିଆରେ ପ୍ରକାଶନ କରି ଏକ ବୃହତ୍ତର ପାଠକ ଶ୍ରେଣୀ ପାଖରେ ପହଞ୍ଚାଇବାକୁ ଲେଖକ ‘ଓଡ଼ିଶାଲାଇଭ୍’କୁ ଅନୁମତି ଦେଇଛନ୍ତି। ଏହି ବହିଟିର ମୂଳ ପ୍ରକାଶକ ହେଉଛନ୍ତି ‘ଶିକ୍ଷା ସନ୍ଧାନ’।)

Comment