ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ ଓ ଲୋକକଳା ସଙ୍ଗୀତକୁ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ଭଞ୍ଜ କଳା ମଣ୍ଡପରେ ଆରମ୍ଭ ହୋଇଛି ‘ରଙ୍ଗବତୀ’ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିବ।

ରଙ୍ଗବତୀ କାର୍ଯ୍ୟକ୍ରମର ପ୍ରଥମ ଦିନରେ ସମ୍ବଲପୁରୀ ନାଚ, ମାଦଳ, ବାଦ୍ୟ ଓ ସଙ୍ଗୀତରେ ବିଭୋର ହୋଇଥିଲେ ଦର୍ଶକେ। କାର୍ଯ୍ୟକ୍ରମର ଆରମ୍ଭରେ ଦୁଃଖୀଶ୍ୟାମ ତ୍ରିପାଠୀ ଓ ସହ କଳାକାରମାନେ ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ। ପରେ ପଶ୍ଚିମ ଓଡ଼ିଶାର ଜଣାଶୁଣା ଲୋକନୃତ୍ୟ ଡାଲଖାଇ ନୃତ୍ୟର ତାଳେ ତାଳେ ଝୁମିଲେ ଦର୍ଶକେ। ସମ୍ବଲପୁର କୁଚିଣ୍ଡାର ଅଭୟ ଆର୍ଟ ଏକାଡେମିର ଶିଳ୍ପୀମାନେ ଡାଲଖାଇ ପରିବେଷଣ କରିଥିଲେ।

ଶେଷ ପ୍ରସ୍ତୁତିରେ ଭବାନୀପଟଣା କେସିଙ୍ଗାର ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ବଜାସାଲ ନୃତ୍ୟ ପରିବେଷଣ କରିଥିଲେ।

ରଙ୍ଗବତୀର ପ୍ରଥମ ଦିନର କାର୍ଯ୍ୟକ୍ରମରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ବିଜୟ କୁମାର ଜେନା ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ (ଶନିବାର) ପଦ୍ମିନୀ ଦୋରାଙ୍କ ସଙ୍ଗୀତ ସାଙ୍ଗକୁ ସମ୍ବଲପୁରୀ ନୃତ୍ୟ ଓ ବାଜସାଲ ଦେଖିବାକୁ ମିଳିବ।

Comment