ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାଜନିତ ଡ୍ୟୁଟିରେ ଥିବାବେଳେ ଦୁର୍ଘଟଣାର ଶିକାର ହେଲେ ସରସ୍ୱତୀ। ହସ୍ପିଟାଲରେ ଭର୍ତ୍ତି ହେବାବେଳକୁ ଜଣାପଡ଼ିଲା ସେ କରୋନା ପଜିଟିଭ୍। ଚିକିତ୍ସା ଚାଲିଲା। କିନ୍ତୁ ଶେଷରେ ଆଖି ବୁଜିଲେ ସେ। ତାଙ୍କର ଏହି ଉତ୍ସର୍ଗୀକୃତ ଜୀବନକୁ ସମ୍ମାନ ଜଣାଇଛି ବିଏମ୍‌ସି।

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ କମ୍ୟୁନିଟି ଅର୍ଗାନାଇଜର ଭାବେ କାମ କରନ୍ତି ୪୨ ବର୍ଷୀୟ ସରସ୍ୱତୀ ସାହୁ। ଗତ ଅଗଷ୍ଟ ୨୮ ତାରିଖ ସନ୍ଧ୍ୟାରେ କରୋନାଜନିତ ଡ୍ୟୁଟିରେ ଥିବାବେଳେ ସେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କୁ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି। ବିଏମ୍‌ସି ଟିମ୍‌ ତତ୍ତ୍ୱାବଧାନରେ ତାଙ୍କ ମୃତଦେହକୁ ବୁଧବାର ସନ୍ଧ୍ୟାରେ ସତ୍ୟନଗରସ୍ଥିତ ଶ୍ମଶାନକୁ ଅଣାଯାଇ ଗାର୍ଡ ଅଫ୍ ଅନର ପ୍ରଦାନ ସହ ଅନ୍ତିମ ସଂସ୍କାର କରାଯାଇଛି।

କରୋନାଜନିତ ଡ୍ୟୁଟିରେ ଥିବାବେଳେ ଦୁର୍ଘଟଣାର ଶିକାର ହୋଇ ସରସ୍ୱତୀଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କୁ କୋଭିଡ୍-୧୯ ଯୋଦ୍ଧା ଭାବେ ସମ୍ମାନିତ କରାଯାଇଛି। ତାଙ୍କର ଦୁଇଟି ଗୋଡ଼ ଓ ଗୋଟିଏ ହାତ କଟିଯିବା ସହ ଶରୀରର ଅନେକ ଅଂଶରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଅନେକ ପ୍ରକାର ଅସ୍ତ୍ରୋପଚାର ଓ ବିଶେଷଜ୍ଞଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱ ତାଙ୍କ ଜୀବନ ରକ୍ଷା ସମ୍ଭବ ହୋଇପାରି ନ ଥିଲା। ଦକ୍ଷିଣ-ପଶ୍ଚିମ ଜୋନ୍‌ର କମ୍ୟୁନିଟି ଅର୍ଗାନାଇଜର ପ୍ରତାପ ପଟ୍ଟନାୟକ ଓ ତାଙ୍କ ଟିମ୍ ସରସ୍ୱତୀଙ୍କ ଚିକିତ୍ସା ପାଇଁ ସହାୟତା ଦେଇଥିଲେ।

ସରସ୍ୱତୀ ୨୦୧୨ରେ ବିଏମ୍‌ସିରେ ଯୋଗ ଦେଇଥିଲେ। ବିଏମ୍‌ସିର ସମସ୍ତ ୩ଟି ପ୍ରଶାସନିକ ଜୋନ୍‌ରେ ସେ କାମ କରିଛନ୍ତି। ଖୋର୍ଦ୍ଧା ଟାଉନ ନିକଟସ୍ଥ ଗୁରୁଜଙ୍ଗ ଟାଙ୍ଗିସାହିରେ ତାଙ୍କର ଘର। ଘରେ ବାପା, ୩ ଭାଇ ଓ ଜଣେ ବିଧବା ଭାଉଜ ଅଛନ୍ତି।

ତାଙ୍କର ଅନ୍ତିମ କ୍ରିୟା ବେଳେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ, ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର, ପୁରନ୍ଦର ନନ୍ଦ, ୩ଟି ଜୋନ୍‌ର ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି, ରବିନାରାୟଣ ଜେଠୀ, ଅଂଶୁମାନ ରଥ ଉପସ୍ଥିତ ରହିବା ସହ ସରସ୍ୱତୀଙ୍କୁ ଗାର୍ଡ ଅଫ୍ ଅନର ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Comment