ଓଡ଼ିଶାଲାଇଭ୍ ବ୍ୟୁରୋ
ଜେଇଇ ପରୀକ୍ଷାର ପ୍ରଥମ ଦିନରେ ସମଗ୍ର ରାଜ୍ୟରୁ ୩୬୦୦ ପରୀକ୍ଷାର୍ଥୀ ଭାଗ ନେଇଥିଲେ। ୨୬ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସବୁ ସେଣ୍ଟରରେ କୋଭିଡ ଗାଇଡଲାଇନକୁ କଡାକଡି ପାଳନ କରାଯାଇଥିବା ଜଣାପଡ଼ିଛି।
ରାଜଧାନୀ ଭୁବନେଶ୍ୱରର ୩ଟି କେନ୍ଦ୍ରରେ ୧୭୦୦ ପିଲା ପରୀକ୍ଷା ଦେଇଥିଲେ। ସରକାରଙ୍କ ପକ୍ଷରୁ ବାହାରୁ ଆସିଥିବା ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ରହିବା ଓ ଯିବା ଆସିବା ସୁବିଧା ଯୋଗାଇ ଦିଆଯାଇଥିଲା। ପରୀକ୍ଷା ହଲକୁ ଯିବା ପୂର୍ବରୁ ସବୁ ପିଲାଙ୍କୁ ମାସ୍କ, ସାନିଟାଇଜର ଓ ପାଣି ବୋତଲ ଦିଆଯାଇଥିଲା। ପରୀକ୍ଷା ଦୁଇଟି ସିଟିଂରେ ହୋଇଥିଲା ସକାଳ ୯ରୁ ୧୨ ଓ ଅପରାହ୍ଣ ୩ରୁ ୬।ପରୀକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କଠାରୁ ଜଣାପଡ଼ିଛି ଯେ ଏବର୍ଷ ଯାହା ଆଶା କରାଯାଉଥିଲା ତା’ଠାରୁ କମ ପିଲା ଆସିଥିଲେ। ବାଲେଶ୍ୱର, ସମ୍ବଲପୁର, ରାଉରକେଲା, ଢେଙ୍କାନାଳ ଆଦି ସହର ପାଇଁ ୮୫୮ ସିଟ ଆଲଟମେଂଟ ହୋଇଥିବା ବେଳେ ୫୨୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ରାଜ୍ୟର ସବୁ ଅଞ୍ଚଳରୁ ପିଲା ଭୁବନେଶ୍ୱରରେ ପରୀକ୍ଷା ଦେଇଥିଲେ। ବିଏମସି ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯାଇଥିଲା।
କେନ୍ଦୁଝର ଜିଲ୍ଲାରୁ ଅସିଥିବା ରଶ୍ମିତା ଟୁଡୁ କହନ୍ତି, ଏହା ଆମ ପାଇଁ ଏକ ନୂଆ ଅନୁଭୂତି ଥିଲା। ପିଲାଙ୍କ ଠାରୁ ଇନଭିଜିଲେଟରଙ୍କ ପର୍ଯ୍ୟନ୍ତ ସମସ୍ତେ ମାସ୍କ ଓ ସାନିଟାଇଜର ବ୍ୟବହାର କରିଥିଲେ। ଆମର ତାପମାତ୍ରା ମପା ଯାଇଥିଲା। ଦୁଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଗୋଟିଏ ସିଟ ଖାଲି ରଖା ଯାଇଥିଲା।
ନବରଙ୍ଗପୁରରୁ ଅସିଥିବା ଅଞ୍ଜନା ମିର୍ଦ୍ଧା କହନ୍ତି ପ୍ରଶ୍ନ ଏତେ କଠିନ ନଥିଲା। ସଂକ୍ରମଣ ଭୟ ସମ୍ପର୍କରେ ସେ କହିଲେ କୋଭିଡ ୧୯କୁ ହରାଯାଇପାରିବ କିନ୍ତୁ ଆମେ ଗୋଟିଏ ବର୍ଷ ହରାଇ ପାରିନଥାନ୍ତୁ।
ସୁଦୂର ମାଲକାନଗିରି ଜିଲ୍ଲାରୁ ଆସିଥିବା ପି ସୌନ୍ଦର୍ଯ୍ୟ କହନ୍ତି ମୋ ଗାଁ ମାଥିଲିଠାରୁ ଭୁବନେଶ୍ୱର ୫୮୦ କିମି। ମୋ ପରିବାରର ସଦସ୍ୟ ଭଲମନ୍ଦ ସମ୍ପର୍କରେ ସ୍ଥାନୀୟ ଅଧ୍ୟକ୍ଷଙ୍କୁ ପଚାରିଥିଲେ। ସରକାରଙ୍କ ପକ୍ଷରୁ ଏଠିକି ଆସିବା ପାଇଁ ସବୁ ପ୍ରକାର ସହାୟତା ଦିଆଯାଇଥିଲା।
ଯେଉଁ ପିଲାମାନେ ଭୁବନେଶ୍ୱର କେନ୍ଦ୍ରରେ ପରୀକ୍ଷା ଦେବା ପାଇଁ ଆସିଥିଲେ ତାଙ୍କ ସହିତ ତାଙ୍କ ବାପା ମା ବି ଆସିଥିବା ଲକ୍ଷ୍ୟ କରାଯାଇଥିଲା। କରୋନା ଭୟରେ ଆଖପାଖ ଅଞ୍ଚଳରୁ କିନ୍ତୁ ନିଜ ନିଜ ଗାଡ଼ିରେ ପିଲା ଆସିଥିଲେ।
ବିଜେଡିର ସାମାଜିକ ସେବା ବିଭାଗ ‘ମୋ ପରିବାର’ର ସଦସ୍ୟ ମାନେ ପିଲାମାନଙ୍କ ସୁବିଧା ଅସୁବିଧା ବୁଝିବା ଦାୟିତ୍ୱରେ ଥିଲେ। ସେଣ୍ଟର ଖୋଜି ପାଇବା ପାଇଁ ଯେଉଁ ପରୀକ୍ଷାର୍ଥୀଙ୍କର ଅସୁବିଧା ହୋଇଥିଲା ମୋ ପରିବାର ସଦସ୍ୟ ସେଥିରେ ସହାୟତା କରିଥିଲେ।
ବୁଧବାର ଆରମ୍ଭ ହୋଇଥିବା ଏହି ପରୀକ୍ଷା ରବିବାର ପର୍ଯ୍ୟନ୍ତ ଚାଲିବ। ଜେଇଇ ପାଇଁ ଏବର୍ଷ ୩୮,୨୩୬ ପିଲା ବସିବାର ଲକ୍ଷ୍ୟ ରଖାଯାଇଛି। ପରୀକ୍ଷା ଆରମ୍ଭର ପୂର୍ବଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରୀକ୍ଷାର୍ଥୀଙ୍କ ଶୁଭ କାମନା କରିଥିଲେ।