ଓଡ଼ିଶାଲାଇଭ୍ ବ୍ୟୁରୋ

  • ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବୟାନ ରେକର୍ଡ
  • ବର୍ଷାଙ୍କୁ ୩୦ଟି ପ୍ରଶ୍ନ ପଚାରିଲେ ପ୍ରୋଟେକ୍ସନ ଅଫିସର
  • ବୟାନ ହୋଇଥିବା ରେକର୍ଡ ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ଦାଖଲ
  • ଅକ୍ଟୋବର ୧୨ ତାରିଖରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ

କଟକ:ବହୁ ଚର୍ଚ୍ଚିତ ବର୍ଷା-ଅନୁଭବ ବୈବାହିକ ବିବାହ ମାମଲାରେ ଆଜି ଜିଲ୍ଲା ପ୍ରୋଟେକ୍ସନ ଅଫିସର ମଞ୍ଜୁଲତା ନାୟକ ଏସ୍‌ଡିଜେମ୍‌ଙ୍କ ଅଦାଲତରେ ରିପୋର୍ଟ ଦାଖଲ କରିଛନ୍ତି। ଦୀର୍ଘ ସମୟ ଧରି ପ୍ରୋଟେକ୍ସନ ଅଫିସର ଅଭିନେତ୍ରୀ ବର୍ଷାଙ୍କ ବୟାନ ରେକର୍ଡ କରିଛନ୍ତି। ବୟାନ ରେକର୍ଡ ହୋଇଥିବା ଏହି ରିପୋର୍ଟକୁ ଦାଖଲ ପରେ ଏସ୍‌ଡିଜେଏମ୍‌ଙ୍କ ଅଦାଲତ ମାମଲାର ଶୁଣାଣିକୁ ଆସନ୍ତା ଅକ୍ଟୋବର ୧୨ ତାରିଖକୁ ଧାର୍ଯ୍ୟ କରିଛନ୍ତି।ସୋମବାର ସକାଳୁ ପ୍ରୋଟେକ୍ସନ ଅଫିସର ମଞ୍ଜୁଲତା ନାୟକ ନନ୍ଦିସାହି ସ୍ଥିତ ସାଂସଦ ତଥା ଚଳଚ୍ଚିତ୍ର ଅଭିନେତା ଅନୁଭବ ମହାନ୍ତିଙ୍କ ଘରେ ରହୁଥିବା ବର୍ଷା ପ୍ରିୟଦର୍ଶିନୀଙ୍କ ବୟାନ ରେକର୍ଡ କରିବାକୁ ପହଞ୍ଚିଥିଲେ କିନ୍ତୁ ବର୍ଷା ପ୍ରସ୍ତୁତ ନଥିବାରୁ ସେ ଫେରି ଆସିଥିଲେ। ଏହାପରେ ପ୍ରାୟ ୧୨ଟା ବେଳେ ସେ ପୁଣିଥରେ ଅନୁଭବଙ୍କ ଘରେ ପହଞ୍ଚିଥିଲେ। ପ୍ରଥମ ମହଲାରେ ରହୁଥିବା ବର୍ଷାଙ୍କୁ ସରକାରୀ ନିୟମ ଆଧାରରେ  ପ୍ରସ୍ତୁତ ହୋଇଥିବା ପ୍ରାୟ ୩୦ଟି ପ୍ରଶ୍ନ କରିଥିଲେ। ଏଥିରେ ତାଙ୍କୁ ଘରୋଇ ହିଂସା ସମ୍ପର୍କିତ ପ୍ରଶ୍ନଠାରୁ ଆରମ୍ଭ କରି ତାଙ୍କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚରାଯାଇଛି।

ଏହି ପ୍ରଶ୍ନର  ଉତ୍ତର ଦେବାରେ ବର୍ଷା ସବୁ ପ୍ରକାର ସହଯୋଗ କରିଥିଲେ ମଞ୍ଜୁଲତା ନାୟକ କହିଛନ୍ତି। ଏହି ସମସ୍ତ ବୟାନକୁ ରେକର୍ଡ କରିବା ପରେ ଏହାକୁ ଏକ ରିପୋର୍ଟ ଆକାରରେ ପ୍ରାୟ ସାଢେ ଗୋଟାଏ ସୁଦ୍ଧା ପ୍ରୋଟେକ୍ସନ ଅଫିସର ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ଦାଖଲ କରିଛନ୍ତି।

ଅନ୍ୟପକ୍ଷରେ କଟକ ପରିବାର ଅଦାଲତରେ ବର୍ଷା ଯେଉଁ ମାମଲା ରୁଜୁ କରିଥିଲେ ଏଥିରେ କେତେକ ସଂଶୋଧନ କରିବା ପରେ ଏହି ପିଟିସନ୍‌କୁ ପୁଣି ଥରେ ରୁଜୁ କରାଯିବ ବୋଲି ଜଣାପଡ଼ିଛି । ଆସନ୍ତା ଅକ୍ଟୋବର ୧୪ ତାରିଖକୁ ଏହି ମାମଲାର ଶୁଣାଣି ପାଇଁ  ଦିନ ଧାର୍ଯ୍ୟ ହୋଇଛି। ସେହିଦିନ ମାମଲା ରୁଜୁ ହେବା ସହ ଶୁଣାଣି ହେବ।

ବର୍ଷା ପ୍ରିୟଦର୍ଶିନୀ ଏହି ମାମଲାକୁ ହିନ୍ଦୁ ବିବାହ ଆଇନର ଧାରା ୯ରେ ସେମାନଙ୍କର ବୈବାହିକ ବିଚ୍ଛେଦ ନହେଉ ବୋଲି ପ୍ରାର୍ଥନା କରିଛନ୍ତି। ସେମାନଙ୍କର ବୈବାହିକ ସମ୍ପର୍କକୁ ଚିରସ୍ଥାୟୀ କରାଯାଉ। ନିଜେ ଅଦାଲତ ହୁଅନ୍ତୁ ଅବା କୌଣସି ମଧ୍ୟସ୍ଥି ଦ୍ୱାରା ତାଙ୍କ ସମ୍ପର୍କକୁ ପୁଣି ଥରେ ଯୋଡ଼ି ଦିଆଯାଉ ବୋଲି ପିଟିସନ୍ ଜରିଆରେ ଆକୁଳ ନିବେଦନ କରିଛନ୍ତି।BGUସେହିପରି ତାଙ୍କ ସ୍ୱାମୀ ଅନୁଭବ ମହାନ୍ତି ଦିଲ୍ଲୀର ପରିବାର ଅଦାଲତରେ ବିଚ୍ଛେଦ ପାଇଁ ଯେଉଁ ମାମଲା ରୁଜୁ କରିଛନ୍ତି ତାହା ଖାରଜ କରାଯାଉ ବୋଲି ସେ ଏହି ପିଟିସନ୍ ଜରିଆରେ ପ୍ରାର୍ଥନା କରିଛନ୍ତି। ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଆଇନଜୀବୀ ରାମକୃଷ୍ଣ ରଥ ଏହି ମାମଲା ରୁଜୁ କରିଛନ୍ତି।

Comment