ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ୍‌ର ମେଗା ହ୍ୟାକିଂ ଯୋଜନା। ମାତ୍ର ୫ ଜଣ ଚାଇନିଜ୍‌ ନାଗରିକ ମିଶି ବିଶ୍ୱର ୧୦୦ରୁ ଅଧିକ ପ୍ରମୁଖ କମ୍ପାନି, ଭାରତ ସମେତ ୧୫ଟି ରାଷ୍ଟ୍ରର ମୂଲ୍ୟବାନ ସଫ୍ଟୱେର ଡାଟା ଓ ବ୍ୟାପାର ସମ୍ପର୍କିତ ସୂଚନା ଚୋରି ଉଦ୍ୟମରେ ଲାଗିଛନ୍ତି। ସେମାନେ ଏହି ତଥ୍ୟ ଅନ୍ୟକୁ ବିକ୍ରି କରୁଛନ୍ତି।

ଏଥିରେ ତାଙ୍କୁ ମାଲେସିଆର ଦୁଇଜଣ ନାଗରିକ ସହାୟତା ଦେଉଥିଲେ। ଉପରୋକ୍ତ ୨ ନାଗରିକଙ୍କୁ ଗିରଫ କରାଯାଇଥିବା ବେଳେ ଚୀନ୍‌ର ୫ ଜଣ ହ୍ୟାକର ଏବେ ପଳାତକ ସାଜିଥିବା ଆମେରିକାର ଆଟର୍ନି ଜେନେରାଲ ସୂଚନା ଦେଇଛନ୍ତି। ଏହି କାରଣକୁ ନେଇ ଆମେରିକା ଚୀନ୍‌ ସରକାରଙ୍କୁ କଡ଼ା ସମାଲୋଚନା କରିଛି।

ଟାର୍ଗେଟ୍‌ରେ ବିଭିନ୍ନ ସଂସ୍ଥା, ନେତା, ସାମାଜିକ କର୍ମୀ

ଆମେରିକା ଓ ଭାରତର ସରକାରୀ ସଂସ୍ଥା ଓ ବ୍ୟାବସାୟିକ ଅନୁଷ୍ଠାନକୁ ଅଧିକ ଟାର୍ଗେଟ୍‌ କରିଛନ୍ତି ଏହି ହ୍ୟାକର। ସେହିପରି ସଫ୍ଟୱେର ଡେଭଲପ୍‌ମେଣ୍ଟ, କମ୍ପ୍ୟୁଟର ହାର୍ଡୱେର, ଟେଲି କମ୍ୟୁନିକେଶନ, ସୋସିଆଲ ମିଡିଆ ଓ ଭିଡିଓ ଗେମ୍‌ କମ୍ପାନିଗୁଡ଼ିକ ସେମାନଙ୍କ ହ୍ୟାକିଂ ରେଞ୍ଜ ଭିତରେ ରହିଛନ୍ତି। ସେହିପରି ବିଶ୍ୱବିଦ୍ୟାଳୟ, ଗଣତନ୍ତ୍ରର ସମର୍ଥକ ଥିବା ନେତା, ସାମାଜିକ କର୍ମୀ ମଧ୍ୟ ସେମାନଙ୍କର ଟାର୍ଗେଟ୍‌ ହେଉଛନ୍ତି।

କେଉଁ କେଉଁ ଦେଶ ଉପରେ ହ୍ୟାକରଙ୍କ ନଜର

ଚୀନ୍‌ ସହ ଭାରତ ଓ ଆମେରିକାର ଅନ୍ତର୍ଜାତୀୟ ସମ୍ପର୍କ ତିକ୍ତ ଥିବାରୁ ଏହି ଦୁଇଟି ଦେଶର ସରକାରୀ କଳ ଓ ବ୍ୟବସାୟିକ ସୂଚନା ଓ ତଥ୍ୟ ପଛରେ ପଡ଼ିଛନ୍ତି ହ୍ୟାକର। ଏହି ଦୁଇଟି ଦେଶ ବ୍ୟତୀତ ବିଶ୍ୱର ଆଉ ୧୪ଟି ରାଷ୍ଟ୍ରର ତଥ୍ୟ ଉପରେ ସେମାନଙ୍କ ନଜର ରହିଛି। ସେହି ଦେଶଗୁଡ଼ିକ ମଧ୍ୟରେ ରହିଛି ଅଷ୍ଟ୍ରେଲିଆ, ବ୍ରାଜିଲ, ଚିଲି, ହଂକଂ, ଇଣ୍ଡୋନେସିଆ, ଜାପାନ, ମାଲେସିଆ, ପାକିସ୍ତାନ, ସିଙ୍ଗାପୁର, ଦକ୍ଷିଣ କୋରିଆ, ତାଇୱାନ, ଥାଇଲାଣ୍ଡ ଓ ଭିଏତନାମ।

Comment