ବିଜୟମୋହନ ମିଶ୍ର
‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।
ଓଡ଼ିଆ ଓ ଓଡ଼ିଶା (୩୦)
ସଂସାରରେ “ଏକ”ର ସ୍ଥାନ ସ୍ଵତନ୍ତ୍ର। ଆମେ ନିଜେ “ଏକ”, ସୂର୍ଯ୍ୟ “ଏକ”, ଚନ୍ଦ୍ର “ଏକ”, ଆମର ଜୀବନ “ଏକ”, ଆମର ଜନ୍ମ ଏବଂ ଆମର ମୃତ୍ୟୁ ବି “ଏକ”। କିନ୍ତୁ “ଏକ” ସାଂଗରେ ଆମେ “ଦୁଇ” ବି ବୁଝିଥାଉ। ଆମର ଦୁଇଟା ଆଖି, ଦୁଇଟା କାନ, ଦୁଇଟି ହାତ, ଦୁଇଟି ଗୋଡ଼, ପୁରୁଷ ସ୍ତ୍ରୀ ଦୁଇ ଲିଙ୍ଗ – ଏହିପରି ପ୍ରାକୃତିକ ଦୃଷ୍ଟିରୁ “ଦୁଇ”ର ପ୍ରଚଳନ ଅଛି। ଏକକ ଭାବରେ ଜୀବନ ନିର୍ବାହ ସମ୍ଭବ ନୁହେଁ , କିଛି ଆଲମ୍ବନ ଲୋଡା। ତେଣୁ “ଦୁଇ”। ପାଣି, ପବନ, ଆଲୁଅ – ଏମାନେ ହେଲେ ମଣିଷ ପାଇଁ ଆଉ “ଏକ” – ଏଥିରୁ “ଦୁଇ”ର ସୃଷ୍ଟି।
ଏହିପରି ମଣିଷର ସ୍ଵର ଏକକ। ଆଗରୁ କୁହାଯାଇଥିବା ଅ, ଇ, ଉ, ଋ ଏବଂ ଌ ରେ ମଣିଷର ମୌଳିକତା ଅଛି। ଏ’ ସମସ୍ତଙ୍କର ସ୍ଵର ସମାନ, ଧ୍ଵନି ଅଲଗା। ଉଚ୍ଚାରଣ ଦୃଷ୍ଟିରୁ ଏ’ମାନଙ୍କର ସମୟ ଅବଧି ସମାନ।
ଏ’ ସମୟ ଅବଧି ହେଉଛି ଆମ କଣ୍ଠରୁ ବାୟୁ ନିଷ୍କାସନ ସମୟ, ଯାହା ଆମର ବ୍ୟକ୍ତିଗତ। ଏହି ସମୟ ଅବଧିକୁ ବୈୟାକରଣିକମାନେ “ମାତ୍ରା” ବୋଲି ନାମକରଣ କରିଛନ୍ତି। “ମାତ୍ରା” ହେଲା ଧ୍ଵନିର ଅବଧି ମାପିବାର ମାପକାଠି। ଏ’ ଦୃଷ୍ଟିରୁ ଅ, ଇ, ଉ, ଋ, ଌ ଉଚ୍ଚାରଣର ମାତ୍ରା ହେଲା ମୌଳିକ–ଏ’ ମାପକାଠିର ଏକକ।
ଏ’ ସ୍ଵର ଗବେଷଣା ବହୁତ ପୁରୁଣା, କେବେ ହେଲା ତାର ହିସାବ ଆମ ପାଖରେ ନାହିଁ। ଏହାର ଗବେଷକ ଏକ ବା ଅନେକ–ତା’ ଆମେ ଜାଣିନାହୁଁ। ତେବେ ଆଉ ଗୋଟିଏ କଥା ଆବିଷ୍କୃତ ହେଲା। ତା’ ହେଲା ସ୍ଵରର ମାତ୍ରାକୁ ଦ୍ଵିଗୁଣ କରିବାର ପ୍ରାକୃତିକତା।
“ଅ” ଏବଂ “ଇ” ଏକା ସାଂଗରେ ଉଚ୍ଚାରଣ କରାଯାଇପାରେ ଏବଂ ଏହା ଫଳରେ ଉଚ୍ଚାରିତ ଧ୍ଵନି ଉଭୟର ମାତ୍ରା ନେଇ ଉଚ୍ଚାରିତ ହୁଏ। ଏପରି କରାଗଲେ “ଏ” ଧ୍ଵନି ଉତ୍ପନ୍ନ ହୁଏ। ଏକା ସାଂଗରେ ଉଚ୍ଚାରିତ ନହୋଇ ସାମାନ୍ୟ ବ୍ୟବଧାନ ହେଲେ ତା’ “ଐ” ଧ୍ଵନିରେ ଶୁଣାଯାଏ। ଯଦିଓ “ଏ” ଓ“ ଐ” ଆମର ସ୍ଵର ଉପରେ ନିର୍ଭର କରେ, କିନ୍ତୁ “ଅ” ଆଉ “ଇ” ମିଶ୍ରଣରେ ଏମାନଙ୍କର ମାତ୍ରା ହେଲା “ଦୁଇ”।
ସ୍ଵରର ଦୁଇ ମାତ୍ରା ଆବିଷ୍କାର ହେଲା ପରେ ଏକକ ସ୍ଵରମାନଙ୍କୁ ମଧ୍ୟ ଦୁଇ ମାତ୍ରାରେ ପ୍ରୟୋଗର ସାଧାରଣ ପ୍ରଣାଳୀ ଆବିଷ୍କୃତ ହେଲା। ତେଣୁ “ଅ”କୁ ଦ୍ଵି ମାତ୍ରା କଲେ “ଆ”, “ଇ”କୁ ଦ୍ଵି ମାତ୍ରା କଲେ “ଈ”, “ଉ” କୁ ଦ୍ଵି ମାତ୍ରା କଲେ “ଊ”, “ଋ”କୁ ଦ୍ଵିମାତ୍ରା କଲେ “ୠ” ଏବଂ “ଌ”କୁ ଦ୍ଵିମାତ୍ରାକଲେ “ୡ” ଧ୍ଵନି ଉଚ୍ଚାରିତହେଲା। ଆମର ବର୍ତ୍ତମାନର ଓଡ଼ିଆ କଥିତ ବା ଲିଖିତ ଭାଷାରେ “ୠ”, “ଌ”, “ୡ”ର ପ୍ରଚଳନ ନାହିଁ।
ସ୍ଵରର ମାତ୍ରାରେ ଏକ ବା ଦୁଇ ସାଧାରଣ ପରି ଜଣାପଡୁଥିଲେ ହେଁ ଏହାର ଭାଷା ପ୍ରୟୋଗ ଅସାଧାରଣ। ଯେପରି ଗୋଟିଏ ଆଖି ଏବଂ ଦୁଇ ଆଖିର ଦୃଷ୍ଟିରେ ଆକାର, ପ୍ରକାର ଓ ଭାବରେ ବୈଚିତ୍ର୍ୟ ଅଛି, ସେହିପରି ଏକ ଏବଂ ଦୁଇ ମାତ୍ରାଯୁକ୍ତ ଭାଷାରେ ଭାବ ବର୍ଣ୍ଣନାର ବୈଚିତ୍ର୍ୟ ଅଛି। ସଂସାରର ସମସ୍ତ ଦୃଶ୍ୟ ବା ଭାବକୁ ଏହି ଏକ-ଦୁଇ ମାତ୍ରାରେ କ୍ରମଶଃ ଭାବରେ ପ୍ରକାଶ କରାଯାଇପାରେ। ଏହା ହେଲା ସଂସାରର ତାଳ, ତା’ର ମୂର୍ଚ୍ଛନା। ଏହାକୁ ଗ୍ରହଣ କରିବା ପାଇଁ ଆମର ମସ୍ତିଷ୍କର ମଧ୍ୟ ସେହିପରି ଶକ୍ତି ତିଆରି ହୋଇଅଛି। ଆମେ “ରାମ” କହିଲେ କୌଣସି ଧୈର୍ଯ୍ୟବାନ ପୁରୁଷର ଛବି ବୁଝିଥାଉ, ଆଉ “ରାମା” ବୋଲି କହିଲେ କୌଣସି ସୁନ୍ଦରୀ ତରୁଣୀକୁ ବୁଝିଥାଉ। ଏ’ ପ୍ରକାର ଅର୍ଥ ମୀମାଂସା ଆମେ ଆଗରେ ବୁଝିବା।
ଆମ ଓଡ଼ିଆ ଭାଷାରେ ଏକକ ମାତ୍ରାକୁ “ହ୍ରସ୍ଵ” କୁହାଯାଏ ଏବଂ ଦ୍ଵିଗୁଣ ମାତ୍ରାକୁ “ଦୀର୍ଘ” କୁହାଯାଏ। “ହ୍ରସ୍ଵ” ରୁ “ଦୀର୍ଘ” ବ୍ୟବସ୍ଥିତ ଭାବରେ ଦୁଇଗୁଣ ଅବଧି। ଏହା ଆମର ନିଃଶ୍ଵାସ ନିଷ୍କାସନ ସହ ଜଡ଼ିତ। ଏ’ ଅବଧିକୁ ଭାଷାରେ ବ୍ୟବହାର କରିବାରେ ଆମର ନିଜର ଇଚ୍ଛା ଓ ଅଭ୍ୟାସ ଅଛି। ବିଭିନ୍ନ ଅଞ୍ଚଳର ଲୋକମାନଙ୍କର “ଅ” ଉଚ୍ଚାରଣର ଅବଧି ଅଲଗା ହୋଇପାରେ।
କିନ୍ତୁ “ଅ” ଉଚ୍ଚାରଣର ଅବଧି ହିଁ ସେ’ ଲୋକର ହ୍ରସ୍ଵ ମାତ୍ରା ଏବଂ ତା’ର ଦୁଇଗୁଣ ହେଲା ଦୀର୍ଘ ମାତ୍ରା। ଏହା ଶରୀର ଯନ୍ତ୍ର ସହ ସଂଗଠିତ। ବିଭିନ୍ନ ଅଞ୍ଚଳର ଲୋକ ଏକା ସାଂଗରେ ସମାନ ଉଚ୍ଚାରଣର ଧ୍ଵନି କଲେ ମଧ୍ୟ ତା’ କୋଳାହଳ ପରି ଜଣାପଡେ!
ଓଡ଼ିଆ କଥିତ ଭାଷାରେ ଏବଂ ଓଡ଼ିଆ ସଙ୍ଗୀତରେ ଆମେ ଏହି ଦୁଇ ମାତ୍ରାକୁ ବିଭିନ୍ନ ବିଲମ୍ବନରେ ବ୍ୟବହାର କରିଥାଉ। ମାତ୍ରା ଜରିଆରେ ଆମେ ସମୟ, ଦୂରତ୍ଵ ଏବଂ ପରିମାଣ ଇତ୍ୟାଦି ସ୍ଵର ଜରିଆରେ ପ୍ରକାଶ କରିଥାଉ। ଏହା ଲୋକ ପ୍ରଚଳିତ ଓ ଅନୁଭୂତିରୁ ପ୍ରସୂତ। ସଂସ୍କୃତ ବ୍ୟାକରଣରେ ଏହି ବିଳମ୍ବିତ ମାତ୍ରାକୁ “ପ୍ଲୁତ” ବୋଲି କୁହାଯାଇ ଅଛି। “ଜୟ ଜଗଦୀଶ ହରେ” ରେ“ ରେ” ର ମାତ୍ରାକୁ ଠାକୁରଙ୍କ ପାଖରେ ପହଞ୍ଚିଲା ପର୍ଯ୍ୟନ୍ତ ବିଳମ୍ବିତ କରାଯାଇପାରେ। ଏ’ ସମ୍ପର୍କୀୟ ଗବେଷଣା ଏ’ ପର୍ଯ୍ୟନ୍ତ କରାଯାଇନାହିଁ।