ଓଡ଼ିଶାଲାଇଭ୍ ବ୍ୟୁରୋ
ଜଟିଳ ହୃଦରୋଗ ସମସ୍ୟାରୁ ସୁସ୍ଥ ହେଲେ ଜଣେ ୭୨ ବର୍ଷୀୟ ବୃଦ୍ଧ। ସମ୍ ହସ୍ପିଟାଲ୍ର ହୃଦ୍ରୋଗ ବିଭାଗର ଡାକ୍ତରଙ୍କ ସଫଳ ଉଦ୍ୟମ ଓ କଠୋର ପରିଶ୍ରମ ଫଳରେ ସାଲେପୁର ଅଞ୍ଚଳର ୭୨ ବର୍ଷୀୟ ରତ୍ନାକର ବାରିକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଅଗଷ୍ଟ ୨୨ ତାରିଖ ଦିନ ଗୁରୁତର ହୃଦରୋଗ ଜନିତ ସମସ୍ୟା ନେଇ ସମ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ ରତ୍ନାକର। ତାଙ୍କ ଫୁସ୍ଫୁସ୍ରେ ପାଣି ଜମିବା ସହିତ ତାଙ୍କୁ ନିମୋନିଆ ହୋଇଯାଇଥିଲା। ତାଙ୍କର କିଡନି ଜନିତ ସମସ୍ୟା ମଧ୍ୟ ଦେଖାଦେଇଥିଲା। ଏଭଳି ପରିସ୍ଥିତିରେ ତାଙ୍କୁ ପ୍ରଥମେ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା ଏବଂ ଟେମ୍ପରାରୀ ପେସ୍ ମେକର୍ ଲଗାଯାଇଥିଲା।
ପରବର୍ତ୍ତୀ ସମୟରେ ତାଙ୍କୁ ମେଡିସିନ୍ ବିଭାଗର କ୍ରିଟିକାଲ୍ କେୟାର ୟୁନିଟ୍କୁ ଅଣାଯାଇଥିଲା। ଭେଣ୍ଟିଲେଟରରେ ରହିଥିବା ଏହି ରୋଗୀଙ୍କର ଚିକିତ୍ସା କରିବା ସହ ଅସ୍ତ୍ରୋପଚାର କରିବା ଏତେ ସହଜ ନ ଥିଲା। ତେବେ ହୃଦରୋଗ ବିଜ୍ଞାନ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ମାନଭଞ୍ଜନ ଜେନା ଏବଂ ତାଙ୍କ ଟିମ୍ଙ୍କର ଆପ୍ରାଣ ଉଦ୍ୟମ ଓ ଚିକିତ୍ସା ଫଳରେ ତାଙ୍କ ହାର୍ଟରେ କାର୍ଡିଆକ୍ ରିସିଙ୍କ୍ରୋନାଇଜେସନ୍ ଥେରାପି ୱିଥ୍ ପେସ୍ ମେକର୍ ଲଗାଯାଇଥିଲା।
କାର୍ଡିର୍ଆକ୍ କ୍ୟାଥ୍ ଲ୍ୟାବ୍ରେ ଏହି ଉନ୍ନତମାନର ପେସ୍ମେକର୍ ଲଗାଯାଇଥିଲା। ଅତ୍ୟାଧୁନିକ ସିଆର୍ଟି-ପି ଯନ୍ତ୍ରର ସଫଳ ରୋପଣ ଛାତିର ବାମ ପାଶ୍ୱର୍ରେ କରାଯାଇଛି। ଦୀର୍ଘ ଏକ ମାସ ରହିବା ପରେ ରୋଗୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ତାଙ୍କ ପୁଅ ଦୀପକ ବାରିକ କହିଛନ୍ତି।


















