ଓଡ଼ିଶାଲାଇଭ୍ ବ୍ୟୁରୋ![](https://odisha.live/wp-content/uploads/2020/09/Ishwarchandra_Vidyasagar1.jpg)
ଭାରତରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସାମାଜିକ ସଂସ୍କାର ଆଣିବାରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ଭୂମିକା ଥିଲା ଅତୁଳନୀୟ।
ବଙ୍ଗ ପ୍ରଦେଶର ନବଜାଗରଣକୁ ପ୍ରଭାବିତ କରିଥିବା ବିଶିଷ୍ଟ ବିଦ୍ୱାନଙ୍କ ମଧ୍ୟରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ପ୍ରମୁଖ ଥିଲେ। ସେ ଥିଲେ ଏକଧାରରେ ଦାର୍ଶନିକ, ଶିକ୍ଷକ, ଶିକ୍ଷାବିତ୍, ଲେଖକ, ଅନୁବାଦକ, ପ୍ରକାଶକ, ଉଦ୍ୟୋଗପତି, ସମାଜ ସଂସ୍କାରକ ଓ ମାନବବାଦୀ। ଆଜି ସେହି ମହାନ ବ୍ୟକ୍ତିଙ୍କ ଜୟନ୍ତୀ। ୧୮୨୦ ମସିହା ସେପ୍ଟେମ୍ବର ୨୬ରେ କୋଲକାତାର ଘଟାଲରେ ଜନ୍ମ ହୋଇଥିଲେ।
ସେ ‘କୋଲକାତା ସଂସ୍କୃତ ମହାବିଦ୍ୟାଳୟ’ରୁ ସଂସ୍କୃତ ଭାଷା-ସାହିତ୍ୟ ଓ ଦର୍ଶନ ଶାସ୍ତ୍ରରେ ଉଚ୍ଚ ଶିକ୍ଷା ପ୍ରାପ୍ତ ହୋଇଥିଲେ। ଏହି ମହାବିଦ୍ୟାଳୟ ପକ୍ଷରୁ ପରେ ତାଙ୍କୁ ‘ବିଦ୍ୟାସାଗର’ ଉପାଧି ପ୍ରଦାନ କରାଯାଇଥିଲା। ଏକ ଦରିଦ୍ର ପରିବାରରେ ଜନ୍ମ ହୋଇଥିବାରୁ ଲାଇଟ୍ କିଣିବା ପାଇଁ ଈଶ୍ୱର ଚନ୍ଦ୍ରଙ୍କର ସାମର୍ଥ୍ୟ ନ ଥିଲା। ତେଣୁ, ସନ୍ଧ୍ୟା ପରେ ସେ ରାସ୍ତା ଆଲୁଅରେ ପଢ଼ୁଥିଲେ। ସଂସ୍କୃତ ଭାଷା-ସାହିତ୍ୟ, ବ୍ୟାକରଣ, ବେଦାନ୍ତ, ଅଳଙ୍କାର ଶାସ୍ତ୍ର, ସ୍ମୃତି ଓ ଜ୍ୟୋତିର୍ବିଜ୍ଞାନରେ ତାଙ୍କର ଗଭୀର ଜ୍ଞାନ ଥିଲା। ସେ ଆଇନରେ ମଧ୍ୟ ଡିଗ୍ରି ଲାଭ କରିଥିଲେ। ଏକାଧିକ ମହାବିଦ୍ୟାଳୟରେ ଶିକ୍ଷକତା କରିଥିଲେ। ସେ ଥିଲେ ଦୟା-କରୁଣାର ପ୍ରତିମୂର୍ତ୍ତି। ପଢ଼ୁଥିବା ବେଳେ ବୃତ୍ତି ଟଙ୍କାରୁ କିଛି କିଛି ବଞ୍ଚାଇ ଗରିବଙ୍କୁ ଖାଦ୍ୟ-ଔଷଧ ଦେଉଥିଲେ। ତେଣୁ, ତାଙ୍କୁ ‘ଦୟାସାଗର’ ମଧ୍ୟ କହାଯାଏ।
ରୋଜଗାର କଲା ପରେ ଦାନ-ଧର୍ମ ଓ ସେବା କାର୍ଯ୍ୟକୁ ସେ ଅଧିକ ଗୁରୁତ୍ୱ ଦେଇଥିଲେ। ତାଙ୍କ ସମୟରେ ଶଯ୍ୟାଶାୟୀ ସ˚ଭ୍ରାନ୍ତ ବୃଦ୍ଧମାନଙ୍କ ସହ ବାଳିକା ତଥା କିଶୋରୀଙ୍କୁ ବିବାହ ଦିଆଯାଉଥିଲା। ବୃଦ୍ଧ ପତିମାନଙ୍କ ମୃତ୍ୟୁ ପରେ ଅଳ୍ପ ବୟସ୍କା ବିଧବାମାନେ ଜୀବିତାବସ୍ଥାରେ ନରକ ଯନ୍ତ୍ରଣା ଭୋଗୁଥିଲେ। ଅନେକ ବେଶ୍ୟା ବୃତ୍ତି କରିବାକୁ ବାଧ୍ୟ ହେଉଥିଲେ। ଈଶ୍ୱର ଚନ୍ଦ୍ର ମହିଳାଙ୍କୁ ଉଦ୍ଧାର କରିବା ପାଇଁ ବିଧବା-ବିବାହ ଆଇନ ପ୍ରଚଳନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ସୁଗୁଣ ଦ୍ୱାରା ଆକର୍ଷିତ ହୋଇ ରାମକୃଷ୍ଣ ପରମହ˚ସ ମଧ୍ୟ ତାଙ୍କୁ ଭେଟି ଧର୍ମ-ଦର୍ଶନ ଉପରେ ଆଲୋଚନା କରିଥିଲେ।
ଓଡ଼ିଶା ତଥା ଓଡ଼ିଆ ସାହିତ୍ୟ ଉପରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ବିଶେଷ ପ୍ରଭାବ ରହିଥିଲା। ତାଙ୍କ ଚରିତମାଳାକୁ ଫକୀର ମୋହନ ସେନାପତି ଓଡ଼ିଆରେ ଅନୁବାଦ କରିଥିଲେ। ଏହା ସେସମୟରେ ଖୁବ୍ ଗ୍ରହଣୀୟ ହୋଇଥିଲା। ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ବିଧବା ପୁନଃବିବାହକୁ ପ୍ରଚଳନ କରିବା ନେଇ ବେଶ୍ ଗୁରୁତ୍ୱ ଦେଉଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶାର ବିଦ୍ୟାସାଗର ଭାବେ ଜଣାଶୁଣା ବୈରାଗୀ ମିଶ୍ର ଏହି ଆନ୍ଦୋଳନକୁ ଆଗେଇ ନେଇଥିଲେ।
ସେହିପରି ମୋହନଦାସ କରମଚାନ୍ଦ ଗାନ୍ଧୀ ମଧ୍ୟ ବିଦ୍ୟାସାଗରଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ଅସ୍ପୃଶ୍ୟତା ବିରୋଧରେ ହେଉ କି ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ହେଉ, ସବୁଥିରେ ଉଭୟ ବିଦ୍ୟାସାଗର ଓ ମହାତ୍ମା ଗାନ୍ଧୀ ଗୁରୁତ୍ୱ ଦେଉଥିଲେ। ବିଦ୍ୟାସାଗର ସମାଜର ସବୁ ବର୍ଗଙ୍କ ନିକଟରେ ଶିକ୍ଷା ପହଞ୍ଚାଇବାକୁ ଚାହୁଁଥିଲେ।