ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସୁଶାନ୍ତଙ୍କ ମୃତ୍ୟୁକୁ ବିତିଲାଣି ୪ ମାସ
  • ଏଯାଏଁ ମିଳିଲାନି ସୁରାକ
  • ଡ୍ରଗ୍ସ ଲିଙ୍କ ଉପରେ ଏନସିବିର ତନାଘନା
  • ସିବିଆଇ ତଦନ୍ତ କେତେ ବାଟ ଗଲ ପଚାରିଲେ ଓକିଲ ବିକାଶ ସିଂ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା, ଏ ପ୍ରଶ୍ନର ଉତ୍ତର ଏବେ ବି ସମସ୍ତେ ଜାଣିବାକୁ ଚାହୁଁଛନ୍ତି। ମାତ୍ର ଦିନ ପରେ ଦିନ ବିତି ଚାଲିଛି କିନ୍ତୁ କୌଣସି ସୁରାକ ମିଳୁନାହିଁ। ପ୍ରାୟ ଏକ ମାସ ଧରି ଏହି ଘଟଣାର ତଦନ୍ତ କରୁଥିବା ସିବିଆଇ ଏପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁ ସହ ଜଡିତ କୌଣସି ତଥ୍ୟ ଦେଇ ନାହିଁ। ଏପଟେ କିନ୍ତୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଡ୍ରଗ୍ସ ଲିଙ୍କ୍‌ ସାମ୍ନାକୁ ଆସିଛି। ଏଥିରେ ଜଣକ ପରେ ଜଣେ ବଡ ଷ୍ଟାରଙ୍କ ନାଁ ମଧ୍ୟ ରହିଛି। ଡ୍ରଗ୍ସ ଲିଙ୍କ୍‌ର ତଦନ୍ତ ଜୋରଦାର କରାଯାଇଥିଲା ବେଳେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ କେତେ ବାଟ ଗଲା ତାହା ମଧ୍ୟ ଅସ୍ପଷ୍ଟ।। ଏପରି ସ୍ଥିତିରେ ସୁଶାନ୍ତଙ୍କ ପରିବାର ପକ୍ଷରୁ ଓକିଲ ଥିବା ବିକାଶ ସିଂ ପଡ଼ ପ୍ରତିକ୍ରିୟା ଦେଇଛନ୍ତି।

‘‘ତଦନ୍ତକୁ ଭିନ୍ନ ଦିଗରେ ନିଆଯାଉଛି ବୋଲି ଅଭିନେତା ସୁଶାନ୍ତଙ୍କ ପରିବାର ଲୋକ ଅନୁଭବ କରୁଛନ୍ତି। ଡ୍ରଗ୍ସ ମାମଲାକୁ ଜୋରଦାର କରି ମୃତ୍ୟୁ ମାମଲାରୁ ସମସ୍ତ ଧ୍ୟାନ ହଟାଇବାକୁ ଚେଷ୍ଟା କରାଯାଉଛି’’, କହିଛନ୍ତି ବିକାଶ ସିଂ।

ଏମିତିକି ବିକାଶ ସିଂ ସିବିଆଇ ଉପରେ ମଧ ପ୍ରଶ୍ନ ଉଠାଇଛନ୍ତି। ସିବିଆଇ ଟିମ୍‌ କାହିଁକି ସାତ ଦିନ ଧରି ଏମ୍ସର ଡାକ୍ତର ଟିମକୁ ଭେଟି ନାହାନ୍ତି ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସୁଶାନ୍ତ ମାମଲାର ତଦନ୍ତ ଅନ୍ୟଦିଗକୁ ଯାଉଛି। ସୁଶାନ୍ତଙ୍କ ମାମଲାରେ ଆଜି ଯାଏଁ ସିବିଆଇକୁ କ’ଣ ମିଳିଛି ତାହା ମଧ୍ୟ ଜଣାନାହିଁ।

‘‘ଏମ୍ସର ଜଣେ ଡାକ୍ତର ମୋତେ ବହୁ ପୂର୍ବରୁ କହିଥିଲେ ଯେ ମୁଁ ତାଙ୍କୁ ପଠାଇଥିବା ସୁଶାନ୍ତଙ୍କ ଫଟୋରୁ ଏହା ୨୦୦ ପ୍ରତିଶତ ସ୍ପଷ୍ଟ ଯେ ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ। ତାଙ୍କୁ ହତ୍ୟା କରାଯାଇଥିଲା’’, ଟୁଇଟ କରି କହିଛନ୍ତି ବିକାଶ ସିଂ।

ସୁଶାନ୍ତଙ୍କ ମୃତ୍ୟୁ ଜୁନ୍‌ ୧୪ରେ ହୋଇଥିଲା। ଘଟଣାକୁ ୪ ମାସ ବିତିଥିଲେ ବି ଏଯାଏଁ ମାମଲାର ସତ୍ୟାସତ୍ୟ ଜଣାପଡ଼ିନାହିଁ।

Comment