ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସଠୁ ଚେନ୍ନାଇ ସୁପର କିଙ୍ଗସ୍ ହାରିବା ପରେ ଧୋନୀଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସ୍ୱେହାଗ। ନିଜର ଭିଡିଓ ସିରିଜ୍ ‘ବୀରୁ କି ବୈଠକ’ରେ ସ୍ୱେହାଗ ଧୋନୀଙ୍କୁ ଜୋରଦାର କଟାକ୍ଷ କରିଛନ୍ତି।
ସ୍ୱେହାଗ କହିଛନ୍ତି, “ଏବେ ଏମିତି ଲାଗୁଛି, ଭାରତକୁ ବୁଲେଟ୍ ଟ୍ରେନ୍ ଚାଲିଆସିବ। ହେଲେ ଧୋନୀ ସିଏସକେ ପାଇଁ ଚାରି ନମ୍ବରରେ ବ୍ୟାଟିଂ କରିବାକୁ ଆସିବେନି। ମୋଦୀ ଜୀ ଆପଣ ହିଁ ତାଙ୍କୁ କିଛି ବୁଝାନ୍ତୁ।”

ଏଥିସହିତ ସ୍ୱେହାଗ ମହେନ୍ଦ୍ର ସିଂହ ଧୋନୀଙ୍କୁ କଟାକ୍ଷ କରି ଆହୁରି ମଧ୍ୟ କହିଛନ୍ତି ଯେ, ବୋଧହୁଏ ଧୋନୀଙ୍କୁ ୧୪ ଓଭର ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି। ତେଣୁ ସେ ଶେଷ ଆଡ଼କୁ ବ୍ୟାଟିଂ କରିବାକୁ ଆସୁଛନ୍ତି। ସେତେବେଳକୁ ମ୍ୟାଚ୍ ଆଉ ସିଏସକେ ହାତରେ ରହୁନି ବୋଲି ସେହ୍ୱାଗ କହିଛନ୍ତି।
ଚଳିତ ସିଜିନରେ ସିଏସକେ ଗତ ଦୁଇଟି ମ୍ୟାଚରେ ଲଗାତାର ପରାଜୟ ଭୋଗିଛି। ଧୋନୀ ତଳ ଅର୍ଡରରେ ବ୍ୟାଟିଂ କରୁଥିବାରୁ ଏହାକୁ ନେଇ ସେହ୍ୱାଗ ତାଙ୍କୁ କଟାକ୍ଷ କରିଛନ୍ତି। ଯଦି ଧୋନୀ ଉପର ଅର୍ଡରରେ ବ୍ୟାଟିଂ କରନ୍ତି ତେବେ ସିଏସକେ ପାଇଁ ଭଲ ହେବ ବୋଲି ସେ କହିଛନ୍ତି।


















